କୋରାପୁଟ/ନାରାୟଣପାଟଣା: ପୁଣି ନିର୍ଣ୍ଣାୟକ ଭୂମିକା ନେବ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଜିଲ୍ଲାପରିଷଦ ଆସନ। ୨୦୧୨ ଓ ୨୦୧୭ ଜିଲ୍ଲାପରିଷଦ ଆସନ ପରି ୨୦୨୨ରେ ମଧ୍ୟ ଏହି ଆସନ ବିଜେଡି, ବିଜେପି, କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥିୀଙ୍କ ବହୁତ ଗୁରୁତ୍ବ ରଖିବ। ତେବେ ଆସନ୍ତାକାଲି ଚାଷୀମୂଲିଆ ସଂଘର ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବି ନାଚିକା ପ୍ରାର୍ଥି ପତ୍ର ଦାଖଲ କରିବାକୁ ଯାଉଛନ୍ତି। ଗତ ୨୦୧୭ ନିର୍ବାଚନରେ ନାଚିକା ଲିଙ୍ଗା ଜେଲରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ନିର୍ବାଚନ ଦୌଡରୁ ବାଦ ପଡିଥିଲେ। ବିଜେଡି, ବିଜେପି, କଂଗ୍ରେସ ସହ ଦୁଇ ପ୍ରାର୍ଥୀ କଡ଼ା ଟକ୍କର ହେବା ଆଶଙ୍କା କରାଯାଉଛି। ନାରାୟଣପାଟଣା ବ୍ଲକ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ନାରାୟଣପାଟଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ହବିକା ରବିଙ୍କୁ ଦଳ ଚଳିତ ଥର ମଇଦାନକୁ ଓହ୍ଲାଇବାକୁ ଏକ ପ୍ରକାର ସ୍ଥିର କରି ସାରିଛି। ନାରାୟଣପାଟଣା ଜିଲ୍ଲାପରିଷଦ ଆସନ ଅନୁସୁଚିତ ଜନଜାତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରବିଙ୍କୁ ନେଇ ହଟଚମଟ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବିଜେପି ଏଥର ଜଣେ ଶିକ୍ଷିତ ମହିଳାଙ୍କୁ ଟିକଟ ଦେଇ ମଇଦାନକୁ ଓହ୍ଲାଇବାକୁ ପ୍ରକିୟା ଆରମ୍ଭ କରିଥିବା ଦଳିୟ ମହଲରୁ ପ୍ରକାଶ ପାଇଛି। ଦଳ ନାରାୟଣପାଟଣା ବ୍ଲକ ଶିକ୍ଷକ ସଙ୍ଘର ସଭାପତି ପର୍ଶୁରାମ ତାଡିଙ୍ଗୀଙ୍କ ଝିଅ ମୀନାକ୍ଷୀ ତାଡିଙ୍ଗୀକୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଯୋଗାଡ଼ କରୁଛି। ସେପଟେ ଶାସକ ଦଳରୁ ଟିକଟ ପାଇବା ପାଇଁ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି।
/sambad/media/post_attachments/wp-content/uploads/2022/01/NPT-nachika-_linga-2.jpg)
ବର୍ତ୍ତମାନ ବିଜେଡିର ତିନି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିବା ବେଳେ କିଏ ପ୍ରାର୍ଥୀ କରିବ ସେ ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ଦଳୀୟ ମହଲରେ। ବିଧାୟକ ପ୍ରଭୁ ଜାନୀଙ୍କ ଏକ ଗୋଷ୍ଠୀ, ପୂର୍ବତନ ସାଂସଦ ଝିନ୍ନ ହିକ୍କାଙ୍କ ଗୋଷ୍ଠୀ ଏବଂ କିଛିଦିନ ତଳେ କଂଗ୍ରେସରୁ ବିଜେଡିରେ ଯୋଗଦେଇ ସଙ୍ଗଠନ ମଜବୁତ୍ କରି ଆଖିଦୃଶିଆ କାମ କରି ସାଧାରଣ ସମ୍ପାଦକ ପଦ ପାଇଥିବା କୈଳାସ କୁଲେସିକାଙ୍କ ଗୋଷ୍ଠୀ ବି ନିଜ ନିଜର ପ୍ରାର୍ଥୀଙ୍କୁ ବଡ଼ ପଣ୍ଡାଙ୍କୁ ଖୁସି କରେଇ ପ୍ରାର୍ଥୀ କରିବାକୁ ଲବି ଆରମ୍ଭ କରିଦେଇଛନ୍ତି। ଏହି ରେସ୍ରେ ଗୋଲାଦୀ ତ୍ରୀନାଥ, ତିମୁଲୀ ମାଣ୍ଡିଙ୍ଗୀ ଏବଂ ସନ୍ଧ୍ୟା ରାଣୀ ମେଲେକା ଆଗରେ ରହିଛି। ସେପଟେ ସମସ୍ତଙ୍କ ଆଖି ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗାଙ୍କ ଉପରେ। ସେ କାହାକୁ ପ୍ରାର୍ଥୀ କରୁଛନ୍ତି ତାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ନଜର। ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକାଙ୍କୁ ମଇଦାନକୁ ସ୍ବାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇବାକୁ ଏକ ପ୍ରକାର ଥୟ ବୋଲି ସୁଚନା ମିଳିଛି। ଜଣେ ଉଚ୍ଚ ଶିକ୍ଷିତ ହୋଇ ନାଚିକା ଲିଙ୍ଗାଙ୍କ ପୁଅ ରବି ବେଶ କିଛି ଦିନ ହେବ ଲୋକଙ୍କ ନିକଟତର ହୋଇ ପାରିଛନ୍ତି। ବ୍ଲକରେ ନାଚିକାଙ୍କ ନିଜସ୍ବ ପରିଚୟ ଥିବା ବେଳେ ଭୋଟ ବ୍ୟାଙ୍କ ବି ରହିଛି। ୨୦୧୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ଦଳ ସ୍ବାଧୀନ ଭାବେ ଜୁରୋ ମାଉକାଙ୍କୁ ଠିଆ କରି ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ କରି ଜିଲ୍ଲାର ରାଜନୀତିକୁ ସରଗରମ କରି ଦେଇଥିଲେ।ସେହି ସମୟରେ ଉଭୟ ବିଜେଡି ଓ କଂଗ୍ରେସକୁ ୧୪-୧୪ ସିଟ୍ ମିଳିଥିବା ବେଳେ ନାଚିକା ଲିଙ୍ଗାଙ୍କ ପ୍ରାର୍ଥୀ ଶେଷରେ ବିଜେଡିକୁ ସମର୍ଥନ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡିକୁ ମିଳିଥିଲା। ଏଣୁ ଯଦି ଲିଙ୍ଗାଙ୍କ ପୁଅ ରବି ନାଚିକା ଜିଲ୍ଲାପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହେଉଛନ୍ତି ତା'ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ଚତୁର୍ମୁଖୀ ଲଢେଇ ହେବାର ବେଶ ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2022/01/NPT-RABI-NACHIKA.jpg)
୨୦୧୭ ନିର୍ବାଚନରେ ଶାସକ ଦଳ ପ୍ରଥମଥର ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାବେ ଲଳିତ ପରିଡାଙ୍କୁ ପ୍ରାର୍ଥୀ କରି ୩୫ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ଇତିହାସ ରଚିଥିଲା। ୨୦୧୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାରାୟଣପାଟଣା ଜିଲ୍ଲା ପରିଷଦ ସଭ୍ୟ ପାଇଁ ୬ ଜଣ ପ୍ରାର୍ଥୀ ହୋଇଥିଲେ। ସେତେବେଳେ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇ ବିଦ୍ରୋହ ଭାବେ ସ୍ବାଧୀନ ପ୍ରାର୍ଥୀ ଭାବେ ଅଭିମନ୍ୟୁ ସାହୁ ୩୪୮୧ ଭୋଟ ପାଇଥିବା ବେଳେ ନାଚିକା ଲିଙ୍ଗାଙ୍କ ସମର୍ଥନରେ କେ ଶାୟାରାଜୁ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ୩୬୩୫ ଟି ଭୋଟ ପାଇ ଚର୍ଚ୍ଚାକୁ ଆସିଥିଲେ। ବିଜେପିର ବନମାଳୀ ପଣ୍ଡୁ ୨୧୧୫, ସିପିଆଇ ରେଡ୍ ଷ୍ଟାରର ରମେଶ ପ୍ରଧାନ ୭୭୯ ଭୋଟ ପାଇଥିଲେ। କିନ୍ତୁ ବିଜେଡିକୁ କଡ଼ା ଟକ୍କ୍ର ଦେଇଥିଲେ କଂଗ୍ରେସର ପ୍ରାର୍ଥୀ ସପନ ସରିତ ତୁରୁକ। ସପନ ସରିତ ତୁରୁକ୍ ୪୬୬୯ ଭୋଟ ପାଇଥିବା ବେଳେ ବିଜେଡ଼ିର ଲଳିତ ନାରାୟଣ ପରିଡାଙ୍କୁ ୪୬୯୪ ଟି ଭୋଟ ମିଳିଥିଲା। ବର୍ତ୍ତମାନ ଦଳୀୟ ମହଲରେ ଗୋଷ୍ଠୀ କନ୍ଦଳ ଯୋଗୁଁ ୨୦୨୨ ନିର୍ବାଚନରେ ଶାସକ ଦଳ ନିଜର ଦବଦବା ବଜାୟ ରଖୁଛି ନା ପ୍ରତିଦ୍ବନ୍ଦିତା କରିବାକୁ ପଡୁଛି ତାକୁ ଦେଖିବାକୁ ମାର୍ଚ୍ଚ ମାସର ଫଳାଫଳକୁ ଅପେକ୍ଷା।