ବିଦ୍ୟୁତ୍‌ ଆଘାତରେ ବୃଦ୍ଧା ମୃତ,କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଧାରଣା

ହାଟଡିହି: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦଧିବାମନପୁର ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଦଧିବାମନପୁର ଓ ଆମ୍ବଗଡ଼ିଆ ଗ୍ରାମବାସୀ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଦଧିବାମନପୁର ଗ୍ରାମର ଟ୍ରାନ୍ସଫର୍ମର ନିକଟରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଏନେଇ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଜଣାଇବା ପରେ କର୍ମଚାରୀମାନେ ପହଞ୍ଚି ମରାମତି କରିଥିଲେ। ଆଜି ସକାଳେ ଗ୍ରାମର ଦୁଃଖା ଜେନାଙ୍କ ପତ୍ନୀ ଜଞ୍ଜି ଜେନା (୬୫)ଘର ଚାରିପାଖ ଓଳାଉଥିବା ସମୟରେ ଟ୍ରାନ୍ସଫର୍ମରର ଷ୍ଟେ ତାର ସଂସ୍ପର୍ଶରେ ଆସିଥିଲେ। ପାଟି ଶୁଣି ତା ବୋହୂ ଓ ଅନ୍ୟ ଜଣେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା।

ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇ ଜଞ୍ଜିଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲକ୍ଷ୍ମୀପ୍ରିୟା ଯେନା, ସଞ୍ଜୁଲତା ଯେନା, ବିନି ଯେନା, ସୁସ୍ମିତା ଯେନା, ହେମଲତା ଯେନା, ଜେମ ଯେନା, ପାର୍ବତୀ ଯେନା, ବିଟଳ ଯେନା, ସାଧବ ଯେନା, ଟିକିନ ଯେନା, ଦୁଃଖା ଯେନା, କୁନି ଯେନା, ସଞ୍ଜୁଲତା ଯେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଦଧିବାମନପୁରଠାରେ ଥିବା ବିଦ୍ୟୁତ୍‌ ଷ୍ଟ୍ରକଚର୍‌ ସମ୍ମୁଖରେ ଧାରଣାରେ ବସିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ବିଭାଗୀୟ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ଧାରଣରୁ ଉଠିଥିଲେ।

ସମ୍ବନ୍ଧିତ ଖବର