ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ମାଲଗୋଦାମରେ ଏକ ଟ୍ରକ୍ ଧକ୍କାରେ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ନିକଟସ୍ଥ ବସ୍ତିର ଶହଶହ ଲୋକ ମାଲଗୋଦାମ ଭିତରେ ପଶି ସେଠାରେ ଥିବା ପ୍ରାୟ ଶହେ ସରିକି ଟ୍ରକ୍କୁ ଭଙ୍ଗାରୁଜୁ କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲଗୋଦାମ ନିକଟରେ ଥିବା ବୁଦ୍ଧିଗୋଛା ବସ୍ତିରେ ରହୁଥିବା ସାବିତ୍ରୀ ଦେଇ(୬୧ ବର୍ଷ) ନାମକ ଜଣେ ମହିଳାଙ୍କୁ ମାଲଗୋଦାମ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଟ୍ରକ୍କୁ ନେଇ ମାଲଗୋଦନାମ ଭିତରେ ରଖି ଫେରାର ହୋଇ ଯାଇଥିଲେ । ଅପରପକ୍ଷେ ଦୁର୍ଘଟଣାରେ ଗୁରୁତର ସାବିତ୍ରୀଙ୍କୁ ବସ୍ତି ଲୋକ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଶହଶହ ସଂଖ୍ୟାରେ ଲୋକ ମାଲ ଗୋଦାମରେ ପଶି ସେଠାରେ ଥିବା ପ୍ରାୟ ୧୦୦ ଟ୍ରକ୍ର କାଚ, ଡୋର୍ ପ୍ରଭୃତି ଭଙ୍ଗାରୁଜା କରିବା ସହିତ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଖବର ପାଇ ପୁଲଇସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Woman-Died_Baleswar_Thumbnail.jpg)
