ମାଲକାନଗିରି: ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ। ନକ୍ସଲ ଆଗରେ ସରକାର ଏକ ପ୍ରକାର ହାର ମାନିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଓବାଦୀ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ନିର୍ବାଚନ କରାଇଦେବେ ନାହିଁ ବୋଲି ଧମକ ଦେବା ପରେ ଲୋକେ ଏବଂ ପ୍ରଶାସନ ଏଠାରେ ନିର୍ବାଚନ କରିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ। ଭୋଟ ଦେଲେ ଲୋକଙ୍କ ଅଙ୍ଗୁଳି କଟାଯିବ ବୋଲି ମାଓବାଦୀ ଧମକ ଦେବା ପରେ ଲୋକେ ନିଜ ଘରୁ ପଦାକୁ ବାହାରିଲେ ନାହିଁ।

Advertisment

ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଯଦି କେହି ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ସଂପର୍କିତ କିଛି ବା କାର୍ଯ୍ୟ କରନ୍ତି ତେବେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେବା ପରେ ସରକାରୀ ବାବୁମାନେ ଜୀବନ ବିକଳରେ ଦାୟିତ୍ବରୁ ନିବୃତ ରହିଲେ। ନିଜ ନିଜର ଜରୁରୀ କାମ ଦର୍ଶାଇ ନିର୍ବାଚନରୁ ଓହରି ଗଲେ। ନିର୍ବାଚନ ସରି ଚାରି ବର୍ଷ ପୁରିଲାଣି, କିନ୍ତୁ ସରକାର ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ କରାଇପାରିଲେ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକରେ ମୋଟ ଜନସଂଖ୍ୟା ହେଉଛି ୩୩,୫୭୯। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୫୦ ହଜାର ଡେଇଁବଣି ବୋଲି କୁହାଯାଇଛି। ଏଠାରେ ୪୨ ପ୍ରତିଶତ ଲୋକେ ସାକ୍ଷର ଅଟନ୍ତି।

publive-image Sambad

ସେହିପରି ଅଶୀ ପ୍ରତିଶତ ଲୋକେ ଅନୁସୂଚିତ ଜାତି ଓ ଜନଜାତିର ଅଟନ୍ତି। ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡିକ ବୁଥସ୍ତରରୁ ନିଜର କର୍ମୀଙ୍କୁ ସଜବାଜ କଲେଣି। ଜିଲ୍ଲାରେ ଗତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ବିଜେପି ୧୦ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଶାସନ ଚଳାଇଛି। କଂଗ୍ରେସର ଅବସ୍ଥା ମଧ୍ୟ ବିଜେଡି ଭଳି ହୋଇଯାଇଥିଲ। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ କିନ୍ତୁ ତିନି ପ୍ରମୁଖ ଦଳ ବିଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ନବୀନ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଜଣାପଡିଛି।

ସେହିପରି ବିଜେପି କେନ୍ଦ୍ର ସରକାରଙ୍କର ଉନ୍ନତିମୂଳକ ଯୋଜନା ନେଇ ଲୋକଙ୍କ ପାଖେ ପହଞ୍ଚିବ। ତେବେ କଂଗ୍ରେସ କିନ୍ତୁ ଏହି ଦୁଇ ଦଳର ଦୁର୍ନୀତିର ମୁଖା ଖୋଲିବା ସହ କଂଗ୍ରେସ ହିଁ ବିକାଶ ପଥର ଏକ ମାତ୍ର ରାଜନୈତିକ ଦଳ କହି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଜଣାପଡିଛି। ତେବେ ଲୋକେ କାହାକୁ ନିଜର କରିବେ ତାହା ସମୟ କହିବ। ଚିତ୍ରକୋଣ୍ଡା ବ୍ଲକରେ ମୁରବୀ ବିହିନ ଶାସନ ଚାଲିଛି।

publive-image Sambad

ଲୋକେ ନିଜର ଲୋକ ପ୍ରତିନିଧି ବାଛିନପାରି ନିଜର କୌଣସି ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରି ପାରୁନାହାଁନ୍ତି। ଯାହାଫଳରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ସରକାରୀ ବାବୁମାନଙ୍କ ମନମୁତାବକ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ସାରିଲେଣି। ଚିତ୍ରକୋଣ୍ଡା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଯାହାକୁ ନେଇ କଂଗ୍ରେସ ହୋହାଲ୍ଲା କରୁଛି। କିଛି ଦିନ ତଳେ ଚିତ୍ରକୋଣ୍ଡା ବିଡିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ଏହାର ଜ୍ବଳନ୍ତ ଉଦାହରଣ। ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ପଞ୍ଚାୟତକୁ ନକ୍ସଲ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଛନ୍ତି। ଏବେ ଧିରେ ଧିରେ ସୁରକ୍ଷା କର୍ମୀ ଭିତରେ ପଶି ଏହି ଅଂଚଳର ଅର୍ଦ୍ଧାଧିକ ଅଂଚଳ ନିଜର ଅକ୍ତିଆରକୁ ଆଣିଥିବା ବେଳେ ଲୋକେ ରାତିରେ ଶାନ୍ତିରେ ଶୋଇ ପାରୁଛନ୍ତି। ସ୍ବାଭିମାନ ଅଂଚଳରେ ଲୋକେ ଭୟ ଓ ଆତଙ୍କରେ ଜୀବନ କାଟୁଥିଲେ।

publive-image Sambad

ସୁରକ୍ଷା କର୍ମୀଙ୍କ ସାହସରେ ଲୋକେ ନିଜେ ଧନୁତୀର ଧରିଲେଣି। ତେବେ ହୁଏତ ଆସନ୍ତା ପଞ୍ଚାୟତ ନିର୍ବାଚନ ଏଠାରେ ଶାନ୍ତିଶୃଙ୍ଖଳାର ସହ ହୋଇପାରେ ବୋଲି ଆଶା କରାଯାଏ। ଲୋକ ପ୍ରତିନିଧି ନଥିବାରୁ ଏହି ଅଂଚଳର ଲୋକେ ବାରମ୍ବାର ମାଲାକନଗିରି ପହଞ୍ଚି ଜିଲ୍ଲାପାଳଙ୍କୁ ଗୁହାରି କରି କରି ଥକିଲେଣି। ସରକାର କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଠାରେ ବିକାଶର ପାହାଡ ଛିଡା କରି ଦେଇଛନ୍ତି। କୋଟି କୋଟି ଟଂକା ଦେବା ସହ ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ସବୁ ରାଜନୈତିକ ଦଳ ଚିତ୍ରକୋଣ୍ଡାକୁ ଫୋକସ କରୁଥିବା ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ବାଭିମାନ ଅଂଚଳର ଲୋକେ ପିଚୁ ରାସ୍ତାରେ ଚାଲିପାରୁଛନ୍ତି। ଏହି ଅଂଚଳକୁ ଡିଜିଟାଲ ମୁହାଁ କରାଯାଇଛି। ସ୍ବାଭିମାନ ଅଂଚଳର ୬ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ମୋବାଇଲ ପ୍ରଦାନ ସହ ନେଟଵର୍କ ସେବା ଯୋଗାଇ ଦିଆଯାଇଛି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ସରକାର କରାଇବାରେ ସଫଳ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।