କିଏ ମାରିବ ପୌର ବାଜି? ବିଜେଡିଠୁ ଗଡ଼ ଛଡ଼ାଇନେବ କି ବିଜେପି!

ଜଗତସିଂହପୁର: ପାରାଦୀପ ପୌର ରାଜନୀତି ଏବେ ସରଗରମ ହେବାରେ ହୋଇପଡ଼ିଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ଯେମିତି କ୍ଲିନ୍ ସୁଇପ୍ କରିଥିଲା, ପୌର ନିର୍ବାଚନରେ ମଧ୍ୟ ସେଇଆ ହେବ ବୋଲି ଜୋରଦାର ଚର୍ଚ୍ଚା ଚାଲିଥିଲା। ମାତ୍ର ବିଜେଡିକୁ ଏବେ ଅଧାରୁ ଅଧିକ ୱାର୍ଡରେ କଡ଼ା ମୁକାବିଲା କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ଚାଲିଛି। ଏଥର ବିଜେଡି ଗଡ଼ ଛଡ଼ାଇ ନେବାକୁ ବିଜେପି ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ଚାଲିଛି। ପ୍ରତ୍ୟେକ ୱାର୍ଡରେ ଏବେ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି। ଆଜି ବିଜେପି ନେତା ସମ୍ପଦ ସ୍ବାଇଁ ୱାର୍ଡ ନଂ.୧୧ ଓ ୧୨ରେ ପାରିଷଦ ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଦୁଇଟି ୱାର୍ଡରେ ବିଜେପି ଭଲ ପ୍ରାର୍ଥୀ ଦେଇଥିବା ବେଳେ ଏଠାରେ ବିଜେଡି ବିରୋଧରେ ଥିବା ଭୋଟକୁ ହାତେଇବା ପାଇଁ ଯୋଜନା କରିଛି। ୱାର୍ଡ ନଂ.୧୨ରେ ବିଜେପି ଏହାର ଯୁବ ଟାଣୁଆ ନେତା ପ୍ରତାପ ନାୟକଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଶଙ୍କର ପ୍ରସାଦ ରାଉତଙ୍କ ସହ ତାଙ୍କର କଡ଼ା ଟକ୍କର ହେଉଛି। ଗତଥର ମଧ୍ୟ ପ୍ରତାପ ଓ ଶଙ୍କରଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା। ଖୁବ୍ କମ୍ ବ୍ୟବଧାନରେ ହାରିଥିବାରୁ ପ୍ରତାପ ଏଥର ବେଶ୍ ଆଶାବାଦୀ। ଏହି ଦୁଇ ଜଣଙ୍କର ୱାର୍ଡ ନଂ.୧୦ରେ ଲଢେ଼ଇ ହୋଇଥିଲା। ଯେହେତୁ ପୂର୍ବ ୱାର୍ଡଟି ସଂରକ୍ଷିତ ରହିଛି, ସେଥିପାଇଁ ବିଜେଡି ଶଙ୍କରଙ୍କୁ ଏହି ୱାର୍ଡରେ ପ୍ରାର୍ଥୀ କରିଛି।

ଶଙ୍କରଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ଚେକ୍ ଦେବା ପାଇଁ ସମ୍ପଦ ପୁଣି ଥରେ ପ୍ରତାପ ଗୋଟି ଖେଳିଛନ୍ତି। ଏଣୁ ନିର୍ବାଚନ ଲଢେ଼ଇ ବେଶ୍ ରୋଚକ ସ୍ଥିତିରେ ପହଞ୍ଚିଛି। ଏହାସହ ୱାର୍ଡ ନଂ.୧୧ରେ ମଧ୍ୟ ବିଜେଡିର ସ୍ଥିତି ସେତେଟା ଭଲ ନାହିଁ। ସେଠାରେ ପୂର୍ବତନ ପୌରଉପାଧ୍ୟକ୍ଷା ପ୍ରଭାତି ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ଏହି ୱାର୍ଡଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାରୁ ପ୍ରଭାତିଙ୍କ ବଦଳରେ କାହିଁକି ଦଳ ନୂଆ ପ୍ରାର୍ଥୀ ନ ଦେଲା, ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏଣୁ ସେଠାରେ ଜଣେ ନୂଆ ଯୁବ ନେତା ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେ ପ୍ରଭାତିଙ୍କୁ କଡ଼ା ଟକ୍କର ଦେବେ ବୋଲି ବିଜେପି କର୍ମୀମାନେ ଦାବି କରିଛନ୍ତି। ଏଣୁ ଆଜି ଏହି ଦୁଇଟି ୱାର୍ଡରେ ସମ୍ପଦ ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଶେଷ ମୂହୂର୍ତ୍ତରେ ବିଜେପି ଗୌତମ ନାୟକଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରି ବିରୋଧୀମାନଙ୍କୁ ଚମକାଇ ଦେଇଛନ୍ତି। ଚଳିତ ଥର ବିଜେଡି ପ୍ରାର୍ଥୀ ବସନ୍ତ ବିଶ୍ବାଳଙ୍କ ସହ ତାଙ୍କର ଟକ୍କର ହେବ ବୋଲି ଆଶା କରାଯାଉଛି। ଯେହେତୁ ଗତ ନିର୍ବାଚନରେ ୱାର୍ଡ ନଂ.୧୨ରେ ଏହି ଦୁଇ ଜଣ ପାରିଷଦ ଭାବେ ଲଢୁଥିଲେ। ସେଥିପାଇଁ ଭୋଟର ଏହି ଦୁଇ ଜଣଙ୍କୁ ଭଲ ଭାବେ ଜାଣନ୍ତି। ଏଣୁ ବାଛି ବାଛି ସମ୍ପଦ ଏମିତି ଜଣେ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରିଛନ୍ତି। ୱାର୍ଡରେ ଏକାଧିକ ଯୁବ ପାରିଷଦ ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ସମ୍ପଦ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର