ପ୍ରଥମ ପର୍ଯ୍ୟାୟ ମତଦାନ: ଭଦ୍ରକ ଓ ବନ୍ତ ବ୍ଲକରେ ୮୩୮ଟି ୱାର୍ଡ ପାଇଁ ହେବ ଭୋଟ

୮୩୮ଟି କେନ୍ଦ୍ରରେ ୩ ଲକ୍ଷ ୪ ହଜାର ୪୨୧ ଭୋଟର କରିବେ ମତଦାନ, ୧୨୬ଟି ଉତ୍ତେଜନାପୂର୍ଣ୍ଣ ବୁଥ୍ ଉପରେ ପୁଲିସର ନଜର

ଭଦ୍ରକ: ଆସନ୍ତାକାଲି ୧୬ ତାରିଖ ବୁଧବାର ସକାଳ ୭ଟାରୁ ଦିନ ଗୋଟାଏ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ। ଭଦ୍ରକ ଜିଲ୍ଲାର ଭଦ୍ରକ ଓ ବନ୍ତ ବ୍ଲକରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ଦୁଇ ବ୍ଲକରେ ମୋଟ ୭ ଟି ଜିଲ୍ଲା ପରିଷଦ ଜୋନ, ୬୧ ଟି ପଞ୍ଚାୟତ ଓ ୮୩୮ ଟି ୱାର୍ଡ ପାଇଁ ହେବ ନିର୍ବାଚନ। ଏଥିପାଇଁ ମୋଟ ୮୩୮ ଟି ଭୋଟ ଦାନ କେନ୍ଦରେ ମୋଟ ୩ ଲକ୍ଷ ୪ ହଜାର ୪୨୧ ଜଣ ଭୋଟ ସେମାନଙ୍କର ମତଦାନ କରିବେ। ଆଜି ସନ୍ଧ୍ୟା ସୁଦ୍ଧା ଏଇସବୁ ମତଦାନ କେନ୍ଦ୍ରରେ ବ୍ୟାଲେଟ୍ ବକ୍ସ ଓ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ସାମଗ୍ରୀ ଧରି ପୁଲିଂ ପାଟିଂ ପହଞ୍ଚି ସାରିଛନ୍ତି। ଆଜି ରାତିରେ ପ୍ରିଜାଡିଂ ଅଫିସର, ପୁଲିଂ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀମାନେ ନିର୍ବାଚନ ସଂପର୍କିତ କାଗଜପତ୍ର ପ୍ରସ୍ତୁତ କରିବେ। ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ। ଏଥିପାଇଁ ମୋଟ ୩୩୫୨ ଜଣ କର୍ମଚାରୀ ନିର୍ବାଚନ ପରିଚାଳନା କରିବା ପାଇଁ ନିୟୋଜିତ ହୋଇଛନ୍ତି।

ସେହିପରି ଏହିସବୁ ପୁଲିଂ ପାଟିକୁ ବୁଥକୁ ନେବା ପାଇଁ ୨୫୩୬ ଟି ଗାଡି ନିୟୋଜିତ କରାଯାଇଛି। ଭଦ୍ରକ ଓ ବନ୍ତ ବ୍ଲକରେ ‌ ମୋଟ ୧୨୬ଟି ଉତ୍ତେଜନା ପୂର୍ଣ୍ଣ ବୁଥ୍ ଚିହ୍ନଟ କରାଯାଇଥିବା ବେଳେ ଏଇ ସବୁ ବୁଥ୍ ଉପରେ ପୁଲିସ ପକ୍ଷରୁ କଡା ନଜର ରଖାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ୩୪ ଟି ମୋବାଇଲ ଟିମ୍ ଗଠନ କରାଯାଇଥିବା ବେଳେ ୬ଟି ସୁପରଭାଇଜିଂ ଟିମ୍ ଗଠନ କରାଯାଇଛି। ସେହିପରି ନିର୍ବାଚନ କାର୍ଯ୍ୟ ଅବାଧ ଓ ନିରପେକ୍ଷ କରାଯିବା ନେଇ ୨ ଟି ନୋଡାଲ ଅଫିସର ଟିମ୍ ଓ ୨ ଟି ସେକ୍ଟର ଅଫିସର ଟିମ୍ ଗଠନ କରାଯାଇଛି।

ଏହା ବ୍ୟତୀତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି, ଏଏସପି, ଏସଡିପିଓ ଓ ଡିଏସପି ମାନେ ମଧ୍ୟ ଆସନ୍ତାକାଲିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳାନା ଉପରେ କଡା ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକ ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରେ ରହିଛି ୨୫, ୨୬, ୨୭ ଓ ୨୮ ନମ୍ବର ଜିଲ୍ଲା ପରିଷଦ ଜୋନ। ସେହିପରି ୩୬ ଟି ପଞ୍ଚାୟତ ଓ ୫୦୦ ଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହେବ। ଏଥିପାଇଁ ଭଦ୍ରକ ବ୍ଲକରେ ମୋଟ ୧ ଲକ୍ଷ ୭୯ ହଜାର ୫୧ ଜଣ ଭୋଟର ସେମାନଙ୍କର ମତଦାନ ସବ୍ୟସ୍ତ କରିବେ। ବନ୍ତ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରେ ରହିଛି ୧୪, ୧୫ ଓ ୧୬ ନମ୍ବର ଜିଲ୍ଲାପରିଷଦ ଜୋନ। ଏଇ ବ୍ଲକରେ ୨୫ଟି ପଞ୍ଚାୟତ ଓ ୩୩୮ ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବନ୍ତ ବ୍ଲକରେ ମୋଟ ୧ ଲକ୍ଷ ୨୫ ହଜାର ୩୭୦ ଜଣ ଭୋଟର ମତଦାନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ଏଇ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୋଟ ୮୫୦ ଜଣ ହୋମ ଗାର୍ଡଙ୍କ ସହ ୧୦ ପ୍ଲାଟୁନ୍ ଫୋର୍ସ ୧୫୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ମୁତୟନ କରାଯାଇଥିବା ନେଇ। ସେହିପରି ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ୫୦ ଜଣ ବରିଷ୍ଠ ଓ ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର