ପଞ୍ଚାୟତ ରାଜନୀତି ଭିତରେ ପୌର ରାଜନୀତି ଉ‌ଷ୍ମ, ପୌରାଧ୍ୟକ୍ଷ ଉପରେ ଫୋକସ୍‌

ଭଞ୍ଜନଗର: ବର୍ତ୍ତମାନ ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ଉଠୁଛି ପଡୁଛି। ଏଭଳି ସମୟରେ ପ‌ୌର ନିର୍ବଚନ ପାଇଁ ନିର୍ବାଚନ କମିଶନ ସବୁଜ ସଙ୍କେତ ଦେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଞ୍ଚାୟତ ରାଜନୀତି ଭିତରେ ପୌର ରାଜନୀତିର ଉଷ୍ପ ସ୍ପଷ୍ଟ ବାରି ହୋଇପଡିଲାଣି। ସବୁ ଦଳର ନେତା ମାନେ ଗାଁ ମୁହାଁ ହୋଇଥିବା ବେଳେ ପୌର ନିର୍ବାଚନ ପାଇଁ ଅନେକ ଆଶାୟୀ ନିଜର ଭାଗ୍ୟ କରିବାକୁ ନେଇ ଅଙ୍କ କଷିବା ଆରମ୍ଭ କରିଦେଲେଣି। ସଂରକ୍ଷଣ ତାଲିକାକୁ ନେଇ କେଉଁ ୱାର୍ଡରୁ ପ୍ରାର୍ଥୀ ହେବେ ତାକୁ କସରତ ଆରମ୍ଭ କରି ଦେଇଛନ୍ତି। ବହୁ ପୁରାତନ ଭଞ୍ଜନଗର ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ‌ରାଜନୌତିକ ଉଷ୍ମତା ଦେଖିବାକୁ ମିଳୁଛି। ୱାର୍ଡ ନିର୍ବାଚନ ସହ ପୌରାଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରକାଶ ପାଇଥିବା ଚିଠା ତାଲିକାରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣସଂରକ୍ଷିତ ରହିଛି। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ୧୫ ଟି ୱାର୍ଡ ରହିଛି।

ଏଥିରେ ପ୍ରତି ନିର୍ବାଚନରେ ଓ୍ବାର୍ଡ ସଦସ୍ୟ ସଦସ୍ୟା ମାନେ ନିର୍ବାଚିତ ହେବା ପରେ ପ‌ରୋକ୍ଷ ଭାବେ ନଗରପାଳ ନିର୍ବାଚିତ କରୁଥିଲେ। ଚଳିତବର୍ଷ କିନ୍ତୁ ସିଧା ସଳଖ ‌ଭୋଟର ଅଧ୍ୟକ୍ଷ ବାଛିବାକୁ ମଉକା ପାଇଥିବାରୁ ଏହା ରୋଚକପୂର୍ଣ୍ଣ ହେବ ନେଇ ସ୍ପଷ୍ଟ ହୋଇଛି। ଭଞ୍ଜନଗର ଏନଏସି ଗତ ୧୯୫୭ ମସିହାରେ ସ୍ଥାପନ ହୋଇଥିବା ବେଳେ ଏଠାରେ ଏଯାବତ୍‌ ଦୁଇଥର ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ଦୁଇ ଥର ଅଧ୍ୟକ୍ଷ ପଦ ଅଣକଂଗ୍ରେସ ନେତୃତ୍ବକୁ ଯାଇଥିବା ଇତିହାସରୁ ଜଣାପଡିଛି। ସହରରେ ଥିବା ୧୫ ‌ଗୋଟି ୱାର୍ଡ ପାଇଁ ଅନେକ ଆଶାୟୀ ରହିଥିବା ବେଳେ ପଞ୍ଚାୟତ ନିର୍ବାଚନ ଶେଷକୁ ଅପେକ୍ଷା କରିଛନ୍ତି। ଆଗାମୀ ମାର୍ଚ୍ଚ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ବେଳକୁ ପୌର ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ନେଇ ମଧ୍ୟ ଖବର ଶୁଣିବାକୁ ମିଳୁଛି। ଏଭଳି ସ୍ଥିତିରେ ଭଞ୍ଜନଗର ଏନ୍‌ଏସିର ୧,୨,୮,୧୧ ଓ ୧୨ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୬ ଏବଂ ୧୩ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ସେହିପରି ୯ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳା ଏବଂ ୧୪ ନମ୍ବର ୱାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ୱାର୍ଡ ନମ୍ବର ୩, ୪, ୫, ୭, ୧୦ ଏବଂ ୧୫ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ଯାହାକୁ ନେଇ ସହରରେ ଏନଏସି ନିର୍ବାଚନ ଚର୍ଚ୍ଚା ବେଶ ସରଗରମ ହୋଇଛି। ଗତ ଏନ୍‌ଏସି ନିର୍ବାଚନରେ ଶାସକ ବିଜେଡି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କାଉନିସଲ୍‌ ଗଠନ କରିଥିଲା। ମୋଟ ୧୫ ଟି ୱାର୍ଡରୁ ୧୨ ଟି ବିଜେଡି ଅକ୍ତିଆର କରିଥିବା ବେଳେ ୩ ଟି ୱାର୍ଡ କଂଗ୍ରେସ ବିଜୟ ହାସଲ କରିଥିଲା। ବ‌ିଜେପି ଜମାରୁ ଖାତା ଖୋଲି ପାରିନଥିଲା। କିନ୍ତୁ ସାଧାରଣ ନିର୍ବାଚନ ପରେ ରାଜନ‌ୈତିକ ସମୀକରଣ ବଦଳି ଯାଇଛି। ଗତ ଥର ୩ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟ ହୋଇଥିବା ଝିଲ୍ଲୀ ‌ବେହେରା ବର୍ତ୍ତମାନ ବିଜେଡି ଶିବିରରେ। ୪ ନମ୍ବର ୱାର୍ଡର ବିଜୟିନୀ ମନୋରମା ପ୍ରଧାନ ତାଙ୍କ ସ୍ବାମୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ସହ ବିଜେପି ମଙ୍ଗ ଧରିଛନ୍ତି। ଆଉ ୯ ନମ୍ବରରୁ ବିଜୟ ହୋଇଥିବା କାଉନ୍‌ସିଲର ସନ୍ତୋଷ ଦିଗାଲ୍‌ ବର୍ତ୍ତମାନ କଂଗ୍ରେସ ନଗର ସଭାପତି ଦାୟିତ୍ବରେ ଅଛନ୍ତି।

ବିଜେଡି ପୁଣି ସମସ୍ତ ୱାର୍ଡ ଦଖଲ କରିବା ସହ ଅଧ୍ୟକ୍ଷ ପଦ ନିଜ ଅକ୍ତିଆରକୁ ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଗତ ସାଧାରଣ ନିର୍ବାଚନରେ ‌ବିଜେପି ଭୋଟ ବୃଦ୍ଧି ହୋଇଥିବାରୁ ତାକୁ ପାଥେୟ କରି ନିର୍ବାଚନକୁ ଓହ୍ଳାଇ ବୋଲି ନେତା ମାନେ ପ୍ରକାଶ କରୁଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଉଭୟ ଦଳକୁ ଭଲ ପ୍ରତିଦ୍ବନ୍ଦିତା କରିବ ବ‌ୋଲି କହିଛି। ଅନ୍ୟପକ୍ଷେ ପୌରାଧ୍ୟକ୍ଷ ପଦବି ଉପରେ ସବୁ ଦଳ ଫୋକସ କରିଛନ୍ତି। ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଲଢିବାକୁ ଆଶା କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଆଉ ‌ଏବେଠାରୁ ନିର୍ବାଚନରେ ସିଧା ସଳଖ ‌ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଲେଣି। ବିଭିନ୍ନ ଦଳରୁ ଏକାଧିକ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବି ପାଇଁ ନିଜକୁ ଦାବିଦାର କରିବାକୁ ଲାଗିଲେଣି। ଅନେକ ତୁଙ୍ଗ ନେତାଙ୍କ ଗୋଟି ଚାଳନା ରାଜନୈତିକ ଚର୍ଚ୍ଚାକୁ ଗରମ କରିବାକୁ ଇନ୍ଧନ ଯୋଗାଇଛି। ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ହୋଇଥିବାରୁ ବହୁ ବ୍ୟକ୍ତି ବିଶେଷ ଉତ୍ସାହିତ ହୋଇ ପଡିଛନ୍ତି।

ସମ୍ବନ୍ଧିତ ଖବର