ସମବାୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୪୩,୭୮୧ରୁ ଭୋଟ୍‌ ଦେଲେ ମାତ୍ର ୧୩,୫୪୪

କଟକ: କଟକରେ ପ୍ରଥମ ପର୍ଯ୍ୟାୟ ସମବାୟ ଭୋଟ୍‌ର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ରବିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ୪୭ଟି ସମବାୟ ସଂସ୍ଥାରେ ୪୩ ହଜାର ୭୮୧ଭୋଟର ସେମାନଙ୍କ ପ୍ରତିନିଧି ତଥା ସମବାୟ ସମିତିର ନେତା‌ ଚୟନ କରିଥାନ୍ତେ। କିନ୍ତୁ, ମାତ୍ର ୧୩ହଜାର ୫୪୪ଜଣ ଭୋଟ୍‌ ଦେଇଛନ୍ତି। ଏହା ମୋଟ ଭୋଟର୍‌ଙ୍କର ମାତ୍ର ୩୧ ପ୍ରତିଶତ ବୋଲି ଜଣାପଡିଛି। ଜିଲ୍ଲାର କଟକରେ ଥିବା ସ୍ବୟଂଶ୍ରୀ ମହିଳା ସମବାୟ ସମିତିରେ ସର୍ବାଧିକ ୨୭ହଜାର ୯୦୦ଶହ ଭୋଟର ଥିବାବେଳେ ସେଥିରୁ ମାତ୍ର ୩ହଜାର ୪୫୬ଜଣ ଭୋଟ ଦେଇଛନ୍ତି। ଏହା ଜିଲ୍ଲାରେ ଭୋଟ୍‌ ହାର କମିବାର ଏକ ପ୍ରମୁଖ କାରଣ ବୋଲି ଡିଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। କଟକରେ ପ୍ରଥମ ପର୍ଯ୍ୟାୟରେ ୩୪୬ଟି ସ୍ଥାନରେ ନିର୍ବାଚନ ହେବା କଥା। କିନ୍ତୁ ସେଥିରୁ ୨୯୯ଟି ସ୍ଥାନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ବାକି ୪୭ଟି ସ୍ଥାନରେ ଆଜି ମତଦାନ ହୋଇଥିଲା।

ଜିଲ୍ଲାରେ କଟକ ସର୍କଲ୍‌ରେ ୨୮ଟି ସ୍ଥାନରେ, ଆଠଗଡ଼ରେ ୨ଟି, ଆଠଗଡ଼ ଟେକ୍ସଟାଇଲ୍‌ ବିଭାଗ ଅଧୀନରେ ଥିବା ୪ଟି ସ୍ଥାନରେ, ବାଙ୍କୀ ସର୍କଲ୍‌ରେ ୧୧ଟି, କଟକ ସିଟି ସର୍କଲରେ ଗୋଟିଏ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଟକ ସର୍କଲରେ ୨୮ଟି ପ୍ୟାକ୍ସରେ ୧୨ ହଜାର ୬୨୧ ଭୋଟର, ଆଠଗଡ଼ ସର୍କଲ୍‌ରେ ୨ଟି ସ୍ଥାନରେ ୧୨୩ ଭୋଟର, ବାଙ୍କୀ ସର୍କଲରେ ୧୧ଟି ସ୍ଥାନରେ ୨୮୧୨ ଭୋଟର, ସିଟି ସର୍କଲ୍‌ରେ ୨୭ ହଜାର ୯୦୦, ଆସିଷ୍ଟାଣ୍ଟ ଡାଇରେକ୍ଟର୍‌ ଟେକ୍ସଟାଇଲ-ଆଠଗଡ଼ ଅଧୀନରେ ଥିବା ୪ଟି ସ୍ଥାନରେ ୩୨୫ଜଣ ଭୋଟର୍‌ ଭୋଟ ହେବା କଥା। କିନ୍ତୁ ମୋଟ ୧୩ହଜାର ୫୪୪ଜଣ ଭୋଟ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର