ଆଜି ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବାରେ ଭୋଟ୍‌, ୨୬୬୬ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫ ପଞ୍ଚା‌ୟତବାସୀ

୧୩୧୦ ମତଦାନ କେନ୍ଦ୍ରରେ ପହଞ୍ଚିଲେ ପୁଲିଂ ପାର୍ଟି

କଟକ: ୧୮ ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାର ୩ଟି ବ୍ଲକ୍‌ରେ ଅନୁଷ୍ଠିତ ହେବ ମତଦାନ। ଏଥି‌ରେ ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବା ବ୍ଲକ୍‌ର ୨୬୬୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ ଲକ୍ଷ୫୬ହଜାର ୬୯୦ଜଣ ଭୋଟର। ଆଜି ସଂଧ୍ୟା ସୁଦ୍ଧା ୩ଟି ବ୍ଲକ୍‌ର ୧୩୧୦ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି ପୁଲିଂ ପାର୍ଟି। ଶୃଙ୍ଖଳିତ, ଅବାଧ, ନିରପେକ୍ଷ ମତଦାନ କରାଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ୧୪ଟି ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମାହାଙ୍ଗା, ନରସିଂହପୁର ଓ କଟକ ସଦର ବ୍ଲକ୍‌ରେ ମତଦାନ ଶେଷ ହୋଇ ବ୍ୟାଲଟ୍‌ ବକ୍ସ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରହିଛି। ଏପଟେ ୨ୟ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବା ବ୍ଲକ୍‌ର ୧୩୧୦ଟି ବୁଥ୍‌ରେ ୧୦ଟି ଜିଲ୍ଲାପରିଷଦ ଆ‌ସନ, ୯୫ଟି ସରପଞ୍ଚ, ୯୫ଟି ସମିତିସଭ୍ୟ ଆସନ ସହ ୧୩୧୦ଟି ୱାର୍ଡମେମ୍ବର୍‌ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୩୭ ଜିଲ୍ଲାପରିଷଦ ପ୍ରାର୍ଥୀ, ୩୬୨ ଜଣ ସରପଞ୍ଚ, ୩୩୫ ସମିତିସଭ୍ୟ ଓ ୧୯୬୯ ୱାର୍ଡମେମ୍ବର ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେଥିରୁ ବାରଙ୍ଗ ବ୍ଲକ୍‌ରେ ୧୬ଟି ପଞ୍ଚାୟତରେ ୯ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ, ୬୩ଜଣ ସରପଞ୍ଚ, ୬୧ଜଣ ସମିତିସଭ୍ୟ ଓ ୩୧୯ଜଣ ୱାର୍ଡମେମ୍ବର ପ୍ରାର୍ଥୀ ଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ୧୪ଜଣ ଜିଲ୍ଲାପରିଷଦ, ୧୯୦ ସରପଞ୍ଚ, ୧୫୧ ସମିତିସଭ୍ୟ ଓ ୧୦୫୪ଜଣ ୱାର୍ଡମେମ୍ବର ପାଇଁ ତଥା ବଡ଼ମ୍ବାରେ ୧୪ଜଣ ଜିଲ୍ଲାପରିଷଦ, ୧୦୯ ସରପଞ୍ଚ, ୧୨୩ ସମିତିସଭ୍ୟ ଓ ୫୯୬ଜଣ ୱାର୍ଡମେମ୍ବର୍‌ ପ୍ରାର୍ଥୀ ଅଛନ୍ତି। ଆଜି ସକାଳେ ତିନୋଟି ବ୍ଲକ୍‌ କାର୍ଯ୍ୟାଳୟରୁ ପୁଲିଂ ପାର୍ଟି ବାହାରି ନିଜ ନିଜ ବୁଥ୍‌ରେ ପହଞ୍ଚିଥିବା ବେଳେ ସକାଳ ୭ଟାରୁ ମତଦାନ ପ୍ରତି ବୁଥ୍‌ରେ ଅନୁଷ୍ଠିତ ହେବ। ନିଶ୍ଚିନ୍ତକୋଇଲିରେ ୨୦ଟି ମୋବାଇଲ ପାର୍ଟି, ୯ଜଣିଆ ଅଫିସର ଟିମ୍‌ ଓ ୨ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ୫୯୦ଟି ବୁଥ୍‌ରୁ ୮୫ଟି ସମ୍ବେଦନଶୀଳ ବୁଥ ଥିବା ସୂଚନା ମିଳିଛି। ସେହିପରି ବଡମ୍ବାରେ ୪୯୦ ଟି ବୁଥ୍‌ ରହିଥିବାବେଳେ ୧୦ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଏଥିରେ ୨୭ଟି ମୋବାଇଲ ପାର୍ଟି, ତଦାରଖ ଦାୟିତ୍ବରେ ୯ଜଣ ଅଫିସର ନିୟୋଜିତ ଥିବା ବେଳେ ଦେଢ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର