ରାୟଗଡ଼ା: ଦିନକ ପରେ ପୌର ପରିଷଦ ଉପାଧ୍ୟକ୍ଷ ପଦବି ପାଇଁ ହେବ ନିର୍ବାଚନ। ଉପାଧ୍ୟକ୍ଷ ପଦବି ଲାଗି ବହୁ ଆଶାୟୀ ଲବିରେ ଅଛନ୍ତି। ତେବେ ବିଜେଡିର ତୁଙ୍ଗ ନେତା କାହା ନାମକୁ ସୁପାରିଶ କରୁଛନ୍ତି ତାକୁ ନେଇ ରାୟଗଡ଼ା, ଗୁଡାରିରେ ସସପେନ୍ସ ଜାରି ରହିଛି। ଗୁଣପୁର ପୌର ପରିଷଦକୁ ସ୍ବାଧୀନ ପ୍ରାର୍ଥୀ ହାତେଇଥିବାରୁ ଏଠାରେ ଦଳର ସାନ ଗୌଡ଼ ଉପାଧ୍ୟକ୍ଷ ପଦବିରେ ବସିବା ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି। ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷ ପଦବି ଉପରେ ସଭିଁଙ୍କ ନଜର ରହିଛି। ଦୌଡ଼ରେ ଦଳର ୩ ନଂ ୱାର୍ଡର କାଉନସିଲର୍ ଶୁଭ୍ରା ପଣ୍ଡା, ୧୪ ନଂ ୱାର୍ଡର କାଉନସିଲର୍ ପାଲକୋଣ୍ଡା ମମିତା, ୧୬ ନଂ ୱାର୍ଡର କାଉନସିଲର୍ ଶ୍ରମିତା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଏହି ୩ ଆଶାୟୀଙ୍କ ମଧ୍ୟରୁ ହିଁ ଜଣଙ୍କ ନାଁକୁ ଦଳୀୟ ନେତା ସୁପାରିଶ କରିବା ପରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଚୂଡ଼ାନ୍ତ ମୋହର ପାଇଁ ସୁପ୍ରିମୋଙ୍କ ନିକଟକୁ ପଠାଇବେ। ଦୌଡ଼ରେ ଆଗରେ ଥିବା କାଉନସିଲର୍ ଶୁଭ୍ରା ପଣ୍ଡା ବୃତ୍ତିରେ ଆଇନଜୀବୀ ସହିତ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। ଦେଢ଼ବର୍ଷ ତଳେ ବିଜେଡିରେ ଯୋଗଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶୁଭ୍ରାଙ୍କ ପାଇଁ ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ଲବି ଜାରି ରଖିଛନ୍ତି। ଅଧ୍ୟକ୍ଷ ଭାବେ ରାୟଗଡ଼ା ନୂଆ ଟାଉନସିପର ପି. ମହେଶ ପଟ୍ଟନାୟକଙ୍କୁ ଦଳ ଚୟନ କରିଥିବାରୁ ଉପାଧ୍ୟକ୍ଷ ପଦବିକୁ ପୁରୁଣା ଟାଉନକୁ ଦେବା ପାଇଁ ଲବି ଜାରି ରହିଛି। ସେହିପରି ଲବିରେ ଥିବା ପାଲକୋଣ୍ଡା ମମିତାଙ୍କ ନାଁକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଜାରି ରହିଛି। ମମିତା ଦୁଇ ଥର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିବା ବେଳେ ସ୍ବାମୀ ପାଲକୋଣ୍ଡା ପ୍ରକାଶ ଥରେ କାଉନସିଲର୍ ହୋଇଛନ୍ତି। ଆଦିବାସୀ ଭୋଟକୁ ହାତେଇବା ପାଇଁ ଦଳ ମମିତା ଓ ପ୍ରକାଶଙ୍କ ଲବିକୁ ମଧ୍ୟ ଗୁରୁତର ସହ ବିଚାର କରୁଛି। ଶୁଭ୍ରା, ମମିତାଙ୍କୁ ଛାଡ଼ିଲେ ଉପାଧ୍ୟକ୍ଷ ପଦବି ଲାଗି ଲବିରେ ଥିବା ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ତଥା ୧୬ ନଂ ୱାର୍ଡର କାଉନସିଲର୍ ଶ୍ରମିତା ପାଢ଼ୀଙ୍କୁ ମଧ୍ୟ ଦଳ ଅଣଦେଖା କରିନପାରେ। ଶ୍ରମିତା ଲଗାତର ଦୁଇ ନିର୍ବାଚନରେ କାଉନସିଲର୍ ଭାବେ ବିଜୟୀ ହୋଇ ଆସୁଛନ୍ତି। ଏଥି ସହିତ ୨/୩ଟି ୱାର୍ଡରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ ସାଧାରଣ ଓ ପୌର ନିର୍ବାଚନରେ କାର୍ଯ୍ୟ ରଖିଛନ୍ତି। ୨୦୧୩ ନିର୍ବାଚନରେ ଉପାଧ୍ୟକ୍ଷ ପଦବି ପାଇଁ ଶ୍ରମିତା ଲବି କରିଥିଲେ।
କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁକୁ ବାଦ୍ ଦିଆଯାଇଥିଲା। ତେବେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଥିବାରୁ ବୁଧବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ। ଲବିରେ ଥିବା ୩ ମହିଳା ନେତ୍ରୀଙ୍କ ପ୍ରଚ୍ଛଦ ପଟରେ ଥିବା ନେତା ରାଜ୍ୟସଭା ସାଂସଦଙ୍କ ଘନିଷ୍ଠ ହୋଇଥିବାରୁ କାହା ନାଁକୁ ସାଂସଦ ଚୟନ କରୁଛନ୍ତି ତାକୁ ନେଇ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ପଦବି ଲାଗି ମଧ୍ୟ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲବି ଚାଲିଛି। ଆଶାୟୀ ତାଲିକାରେ ୨ ନଂ ୱାର୍ଡର କାଉନସିଲର୍ ବି. ଯୋଗେଶ୍ବର ରାଓ, ୫ ନଂ ୱାର୍ଡର କାଉନସିଲର୍ ସୁଦର୍ଶନ ନାୟକ, ୧୦ ନଂ ୱାର୍ଡର ରବିନ୍ଦ୍ରନାଥ ପାତ୍ର ଅଛନ୍ତି। ଜିଲ୍ଲା ସଭାପତି ସୁଧୀର ଦାଶ କାହା ନାଁକୁ ସୁପାରିଶ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୁଣପୁର ପୌର ପରିଷଦକୁ ଚଳିତ ଥର ସ୍ବାଧୀନ ପ୍ରାର୍ଥୀ ହାତେଇ ନେଇଥିବାରୁ ଉପାଧ୍ୟକ୍ଷ ପଦବିକୁ ନେଇ ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅଧ୍ୟକ୍ଷା ଭାବେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ଼ ବିଜୟୀ ହୋଇଥିବା ବେଳେ ୬ ନଂ ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ମମତାଙ୍କ ସ୍ବାମୀ ସାନ ଗୌଡ଼। ଗୁଣପୁର ରାଜନୀତିକୁ ନିଜ ହାତମୁଠାରେ ରଖିବା ପାଇଁ ସାନ ହିଁ ଉପାଧ୍ୟକ୍ଷ ଦାୟିତ୍ବ ସମ୍ଭାଳିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ପୌର ନିର୍ବାଚନ ପୂର୍ବରୁ ସାନଙ୍କ ଗୋଟି ଚାଳନାରେ ଗୁଣପୁର ବ୍ଲକକୁ ମଧ୍ୟ ସ୍ବାଧୀନ ସମର୍ଥିତ ପ୍ରାର୍ଥୀନୀ ଝିଲି ଶବର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଗୁଣପୁର ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନ୍ ମଧ୍ୟ ବିଜେଡି ହାତରୁ ଖସି କଂଗ୍ରେସ ଅଧୀନକୁ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/election-eeee.jpg)