ରାୟଗଡା: ଦୀର୍ଘଦିନ ଧରି ରାୟଗଡା ଟ୍ରକ ମାଲିକ ସଂଘରେ ଲାଗିଥିବା ବିବାଦ ଶେଷରେ ଥମିଛି। ଟ୍ରକ ମାଲିକ ସଂଘରେ ଗତ କିଛିଦିନ ହେଲା ସଂଘର ପରିଚାଳନାକୁ ନେଇ ବିବାଦ ଉପୁଜିଥିଲା। ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ନାମରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହାପରେ ସଂଘକୁ ଭାଙ୍ଗି ନୂତନ ସଂଘ ଗଢିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ ସଭାପତି ପଦବୀ ପାଇଁ ୟାଲ କୋଣ୍ଡାବାବୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଉକେହି ନାମାଙ୍କନ ପତ୍ର ଦାଖଲ କରି ନଥିଲେ। ତେଣୁ ସେ ନିର୍ଦ୍ବନ୍ଦରେ ସଭାପତି ପଦବୀରେ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଏହି ଅବସରରେ ସେ ଆଜି ଏକ ବିରାଟ ରାଲିରେ ମା’ ମଝିଘରିଆଣୀଙ୍କ ମନ୍ଦିରରୁ ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।
ବାଦ୍ୟର ତାଳେ ତାଳେ ଲୋକେ ନାଚିବା ସହ ଆତିସବାଜି ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ଅର୍ଥ ହେଉଛି ପୂର୍ବତନ ସାଂସଦଙ୍କୁ ଚ୍ୟାଲେଞ୍ଜ କରିବା। ଭାସ୍କର ରାଓଙ୍କୁ ଟ୍ରକ ମାଲିକ ସଂଘରୁ ହଟାଯିବା ପରେ ୟାଲା କୋଣ୍ଡା ବାବୁ ଏବେ ଦାୟିତ୍ବ ନେଇ ଆଗକୁ କାମ କରିବେ ବୋଲି କହିଥିଲେ। ଆସନ୍ତା ୭ ତାରିଖରେ ନିର୍ବାଚନ ହୋଇଥାନ୍ତା। ତେବେ ଅନ୍ୟ ପଦ ପଦବୀ ପାଇଁ ମଧ୍ୟ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି ଭାବେ ରାମ ମୋହନ ରାଓ, ଉପସଭାପତି ଭାବେ କୋଟା ସୁରୟା ଓ ଜି ଧର୍ମା,ସାଧାରଣ ସଂପାଦକ ଭାବେ କେ. ଜାନକୀ ରାମାୟା, ସହସଂପାଦକ ଭାବେ ଏମ. ଭାନୁ ପ୍ରସାଦ, କୋଷାଧ୍ୟକ୍ଷ ଭାବେ ଭି ପ୍ରସାଦ, ସହକୋଷାଧ୍ୟକ୍ଷ ଭାବେ ବି. କେ ସାମଲ ରହିଛନ୍ତି। ନିର୍ବାଚନକୁ ଆଇନଜୀବୀ ବ୍ରଜସୁନ୍ଦର ନାୟକ ପରିଚାଳନା କରିଥିବା ବେଳେ ଆଇନଜୀବୀ ବିରଜା ପାତ୍ର ଏବଂ କିନ୍ତାଲି ରାଜୁ ସହଯୋଗ କରିଥିଲେ।