ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ରାୟଗଡ଼ାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ୧.୫୨ ଲକ୍ଷ ଭୋଟର

ଫୋକସରେ ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର ବ୍ଲକ୍, ୫ ଜିଲ୍ଲା ପରିଷଦ, ୪୬ ପଞ୍ଚାୟତ ପାଇଁ ହେବ ଭୋଟ ଗ୍ରହଣ

ରାୟଗଡ଼ା: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ବୁଧବାର ଭୋଟ ଗ୍ରହଣ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହେବ। ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର ବ୍ଲକର ୫ ଜିଲ୍ଲା ପରିଷଦ ଜୋନ, ୪୬ ପଞ୍ଚାୟତ, ୫୫୪ଟି ୱାର୍ଡ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ ପାଇଁ ମତଦାନ କରିବେ ୧ ଲକ୍ଷ ୫୨ ହଜାର ଭୋଟର। ମାଓ ପ୍ରବଣ ଏହି ବ୍ଲକ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ କରିବାକୁ ପୁଲିସ, ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ବିଷମକଟକ ବ୍ଲକର ୨ ଜିଲ୍ଲା ପରିଷଦ ଜୋନ, ୨୧ ପଞ୍ଚାୟତ, ୨୪୬ ୱାର୍ଡ ପାଇଁ ଭୋଟ ଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୨ ଜିଲ୍ଲା ପରିଷଦ ଜୋନ ପାଇଁ ୧୧ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡ଼ି-କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି। ୨୦୧୭ ନିର୍ବାଚନରେ ବିଷମକଟକର ୨ଟି ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇ କଂଗ୍ରେସ ବାଜିମାତ୍ କରିଥିଲା। ଚଳିତ ନିର୍ବାଚନରେ ଏହି ଦୁଇ ଜିଲ୍ଲା ପରିଷଦ ଜୋନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଳେବଳେ କୌଶଳେ ଜିତିବା ପାଇଁ ବିଜେଡ଼ି ସମସ୍ତ ରଣନୀତି ଆପଣାଇଛି।

ସେପଟେ କଂଗ୍ରେସ ନିଜ ଗଡ଼ ସୁରକ୍ଷିତ ରଖିବାକୁ ଯୋଜନା କରି ଭୋଟରଙ୍କ ପାଖକୁ ଯାଇଛି। ଶାସକ ବିଜେଡ଼ି, ବିରୋଧୀ କଂଗ୍ରେସକୁ ଚକମା ଦେବା ପାଇଁ ବିଜେପି, ବିଏସପି ସମେତ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ। ଯାହା ବିଜେଡ଼ି-କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ସେହିପରି ମୁନିଗୁଡ଼ାର ୨ ଜିଲ୍ଲା ପରିଷଦ ‌ଜୋନ, ୧୭ ପଞ୍ଚାୟତ, ୨୧୧ ୱାର୍ଡ ପାଇଁ ଭୋଟ ଗ୍ରହଣ ନେଇ ବୁଥ୍ ପ୍ରସ୍ତୁତି ହୋଇଛି। ୨ ଜିଲ୍ଲା ପରିଷଦ ଜୋନରେ ୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ୨୦୧୭ ନିର୍ବାଚନରେ ମୁନିଗୁଡ଼ା ‘କ’ ଜୋନରେ କଂଗ୍ରେସ, ‘ଖ’ ଜୋନରେ ବିଜେପି ବିଜୟୀ ହୋଇଥିଲା।

ବିଷମକଟକ ଭଳି ମୁନିଗୁଡ଼ାରେ ମଧ୍ୟ ବିଜେଡ଼ି ପରାଜିତ ହୋଇଥିବାରୁ ଚଳିତ ନିର୍ବାଚନରେ ଭୋଟରଙ୍କ ମନ ଜିଣିବାକୁ ଦଳ ଗାଁ ଗାଁରେ ରାଜ୍ୟ ସରକାରଙ୍କ ବିକାଶକୁ ମୁଦ୍ଦା କରିଛି। ପୂର୍ବ ନିର୍ବାଚନ ଭଳି ସ୍ଥିତି ବଜାଇ ରଖିବାକୁ କଂଗ୍ରେସ ଛତିଶଗଡ଼ ମନ୍ତ୍ରୀ ଏବଂ କୋରାପୁଟ ସାଂସଦଙ୍କ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଛି। ବିଜେପି ପୂର୍ବ ନିର୍ବାଚନ ଭଳି ଗୋଟିଏ ଆସନରେ ବିଜୟୀ ହେବାକୁ ରଣନୀତି କରିଛି। ଚନ୍ଦ୍ରପୁରର ଗୋଟିଏ ଜୋନ୍, ୮ ପଞ୍ଚାୟତ, ୯୭ ୱାର୍ଡରେ ମତଦାନ ପାଇଁ ପୋଲିଂ ପାର୍ଟି ପହଞ୍ଚି ପ୍ରସ୍ତୁତି ସାରିଛନ୍ତି। ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ପାଇଁ ୪ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

୨୦୧୭ ନିର୍ବାଚନରେ ଚନ୍ଦ୍ରପୁର ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ସବୁ ନିର୍ବାଚନରେ ଏହି ଆସନ କଂଗ୍ରେସ ସପକ୍ଷରେ ଯାଉଥିବାରୁ ବିଜୟ ଧାରାରେ ରୋକ୍ ଲଗାଇବାକୁ ବିଜେଡ଼ି ଯୋଜନା କରିଛି। କଂଗ୍ରେସ ସ୍ଥିତି ଚନ୍ଦ୍ରପୁରରେ ସୁଦୃଢ଼ ଥିବାରୁ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ କଷ୍ଟ ହୋଇପାରେ। ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ପୂର୍ବରୁ ଚନ୍ଦ୍ରପୁର ଗସ୍ତରେ ଆସି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏକଲବ୍ୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ବିଜେପି ଭୋଟହାର ବୃଦ୍ଧିରେ ସହାୟକ ହୋଇଛି। ୩ଟି ବ୍ଲକର ୫୫୪ଟି ବୁଥ ମଧ୍ୟରେ ୪୬ଟି ଅତି ସମ୍ବେଦନଶୀଳ ଓ ୮୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୧୧ଟି ବୁଥକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନିମନ୍ତେ ୩ଟି ବ୍ଲକର ୫୫୪ଟି ବୁଥ ନିମନ୍ତେ ୧୬୬୨ଜଣ ପୋଲିଂ ଅଧିକାରୀଙ୍କ ସମେତ ୫୫୪ଟି ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୨୨୧୬ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର