ଖୁଣ୍ଟୁଣୀ: ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ତଥା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର ମାଣିତ୍ରୀ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରବିବାର ମଧ୍ୟରାତ୍ରିରେ ଦୁଇଟି ଗାଡ଼ିରେ ଗ୍ରାମକୁ ଟଙ୍କା ବାଣ୍ଟିବା ପାଇଁ ୧୦ରୁ ଅଧିକ ଲୋକ ଆସିଥିବା ଗ୍ରାମବାସୀ ଅଭିଯୋଗ କରି ବିରୋଧ କରିଥିଲେ। ଏହି ସମୟରେ ଅପର ଗୋଷ୍ଠୀର ଲୋକେ ଧମକ ଦେବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଡ଼ି ଦୁଇଟିକୁ ଭଙ୍ଗାରୁଜା କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଅପର ଗୋଷ୍ଠୀ ଗ୍ରାମର ଜଣଙ୍କୁ ଅପହରଣ କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ରବିବାର ରାତି ପ୍ରାୟ ୧୨ଟାରେ ଏକ ବୋଲେରୋ ଓ କାର୍ରେ ଶାସକ ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ଗୋଷ୍ଠୀର ୧୩ଜଣ ମାଣିତ୍ରୀ ଗାଁକୁ ଆସି ଘର କବାଟ ବାଡ଼େଇ ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଭୋଟ ଦେବା ଲାଗି କହିଥିଲେ। ମାତ୍ର ଗ୍ରାମର ମହିଳା ଓ ଯୁବକମାନେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଟଙ୍କା ବାଣ୍ଟିବାକୁ ଆସିଥିବା ଗୋଷ୍ଠୀ ସେମାନଙ୍କୁ ଗାଳିଗୁଳଜ କରିବା ସହ ଭୋଟ୍ ଦେବାକୁ ଧମକାଇ ଥିଲେ। ଫଳରେ ଗ୍ରାମବାସୀ ସଂଘବଦ୍ଧ ଭାବେ ଗାଁ ଦାଣ୍ଡରେ ସେମାନଙ୍କ ଗାଡ଼ି ୨ଟିକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଗାଡ଼ି ଛାଡ଼ି ୧୧ ଜଣ ଦୌଡ଼ି ପଳାଇ ଯାଇଥିଲା ବେଳେ କାର୍ରେ ଥିବା ସତ୍ୟାନନ୍ଦ ସାହୁ ଓ ଅନୀଲ ବେହେରାଙ୍କୁ ଗ୍ରାମବାସୀ କାବୁ କରି ଗାଁ କୋଠଘରେ ବାନ୍ଧି ରଖିଥିଲେ।
ସେମାନଙ୍କ ଗାଡ଼ିରୁ ଏକ ୫୦୦ ଟଙ୍କିଆ ବିଡ଼ା ମଧ୍ୟ ଉଦ୍ଧାର କରାଯାଇଥିଲା। ଅପରପକ୍ଷରେ ଗଣ୍ଡଗୋଳର କିଛି ସମୟ ପରେ ଟ୍ରକ୍ ନେଇ ଘରକୁ ଫେରୁଥିବା ମାଣିତ୍ରୀ ଗ୍ରାମର ଶେଖ୍ ରାଜୁ(ନବି)ଙ୍କୁ ଶାସକ ଗୋଷ୍ଠୀର ଲୋକେ ଅପହରଣ କରି ନେଇଥିବା ଗ୍ରାମରେ ପ୍ରଚାର ହୋଇଥିଲା। ଏହାପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଅପହୃତ ନବିଙ୍କୁ ଛାଡ଼ିବା ପରେ ଗ୍ରାମବାସୀ ଅଟକ ଦୁଇ ଜଣଙ୍କୁ ପୁଲିସ ଜିମା ଦେବେ ବୋଲି ଅଡ଼ି ବସିଥିଲେ। ଏ ନେଇ ଶାସକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଜି ପୂର୍ବାହ୍ନରେ ଅପହୃତ ନବିଙ୍କୁ ସତ୍ୟନାରାୟଣ ଗ୍ରାମରୁ ପୁଲିସ ଉଦ୍ଧାର କରିଥିଲା। ସେହିପରି ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ଦୁଇଜଣଙ୍କୁ ଗ୍ରାମବାସୀ ପୁଲିସକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ଟଙ୍କା ବିଡ଼ା ମଧ୍ୟ ପୁଲିସ ଜିମା ଦିଆଯାଇଥିବା ସୂଚନା ମିଳିଛି। ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀଶଙ୍କର ଖୁଣ୍ଟିଆ ଓ ଏସ୍ଆଇ କେଦାରନାଥ ବିଶ୍ୱାଳ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ରାତିସାରା ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଏ ନେଇ ଉଭୟପକ୍ଷ ଅଭିଯୋଗ ଆଧାରରେ ଖୁଣ୍ଟୁଣୀ ଥାନାରେ ତିନିଟି ମାମଲା ରୁଜୁ କରାଯାଇଥିବା ଆଇଆଇସି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/IMG_20220221_075554_6.jpg)