ପାଟଣାଗଡ଼: ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଉଚ୍ଛେଦ କରାଯାଇଥିବାରୁ ଏହାକୁ ପାଟଣାଗଡ଼ରେ ତୀବ୍ର ବିରୋଧ କରାଯାଇଛି। ଆଦିବାସୀ ସଂଘର କର୍ମକର୍ତ୍ତାମାନେ ସଶସ୍ତ୍ର ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ୍ ଅଫିସକୁ ଧସେଇ ପଶିବା ସହ ଲାଗିଥିବା ବ୍ୟାନର ଚିରି ଦେଇଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନୀ ସାହୁ, ବିଜେଡି ସାଂଗଠନିକ ସଂପାଦକ ବବି ଦାସଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପ୍ରକାଶ ଯେ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ଅକ୍ଟୋବର ମାସରେ ବିଭିନ୍ନ ପଦର ଏକ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ପରେ ପୁଣି ଏକ ତାଲିକା ପ୍ରକାଶ ପାଇଥିଲା। ସେଥିରେ କେତେକ ଅଞ୍ଚଳରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣକୁ ବାଦ୍ ଦିଆଯାଇଥିଲା। ଏହାକୁ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ କଡ଼ା ବିରୋଧ କରାଯାଇଥିଲା। ସ୍ଥାନୀୟ ଆଦିବାସୀ ଭବନ ଠାରେ ବିଭିନ୍ନ ଗାଁର ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ସେଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ୍ ଅଫିସ ଆଗରେ ପହଞ୍ଚିଥିଲେ। ଦାବି ପୂରଣ ନହେବା ଯାଏ ବିଜେଡିର ଯେକୌଣସି ବିଧାୟକ, ମନ୍ତ୍ରୀ, ନେତାଙ୍କୁ ଯେଉଁଠି ଦେଖିଲେ ପଥର ମାଡ଼ କରିବା ଓ ରାଜରାସ୍ତାରେ ବିକ୍ଷୋଭ ସହ ଜଳାପୋଡ଼ା କରିବାକୁ ଧମକ ଦେଇଥିଲେ। ପରେ ବିଡିଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ସେହିପରି ବ୍ଲକ୍ ଅଫିସ ଆଗରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନୀ ସାହୁ ଆଦିଙ୍କ କୁଶପୁତ୍ତଳିକା ପୋଡ଼ିଥିଲେ। କଡ଼ା ପୁଲିସ ବ୍ୟବସ୍ଥା ଥିଲେ ମଧ୍ୟ ବ୍ଲକ୍ ଅଫିସ ପରିସରକୁ ଧସେଇ ପଶିଥିଲେ। ବ୍ଲକ୍ ଅଫିସ ପରିସର ଓ ବାହାରେ ଟଙ୍ଗା ହୋଇଥିବା ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ସମସ୍ତ ସରକାରୀ ହୋର୍ଡିଂକୁ ଗୋବର ଫିଙ୍ଗିବା ସହିତ ଚିରି ଦେଇଥିଲେ। ଆଦିବାସୀ କଲ୍ୟାଣ ମହାସଂଘର ପାଟଣାଗଡ଼ ବ୍ଲକ୍ ସଭାପତି ଅଷ୍ଟରତ୍ନ ବରିହାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଖପ୍ରାଖୋଲ ବ୍ଲକ୍ ସଭାପତି ବିପ୍ର ବିଶି, ପୁରୁଷୋତ୍ତମ ଧରୁଆ, ଟଙ୍କଧର ଧରୁଆ, ସାରଥି ବାଗ, ଗିରିଧାରୀ ଭୋଇ, ଧୁବଳେଶ୍ବର ଭୋଇ, ପୂର୍ଣ୍ଣ ଭୋଇ, କେତନ ଛତ୍ରିଆ, ଜଗଜୀବନ ଭୋଇ, ରାଜକିଶୋର ଛତ୍ରିଆ, କୁନୁ ମୁଣ୍ଡା, ସନ୍ତୋଷିନୀ ବିଶି, ମନବୋଧ ବରିହା, ଶିବ ବରିହା, ବସନ୍ତ ମାଝୀ, ପୂର୍ଣ୍ଣମାସୀ ବରିହା, ଘନ ଭୁଏ, ଚନ୍ଦ୍ରମଣୀ ବରିହା, ମନବୋଧ ବରିହା, ରଘୁବୀର ସିଂହ ବରିହା, ଚନ୍ଦ୍ରଶେଖର ବାଗ, ହୃଷିକେଶ ଭୋଇ, ଗୌରାଙ୍ଗ ବରିହା ପ୍ରମୁଖଙ୍କ ସହିତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।