ଜଗତସିଂହପୁର ଟାଉନ୍: ତିନି ବର୍ଷରୁ ଅଧିକ ସମୟ ଧରି ଜଗତସିଂହପୁର ପୌରପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବା ବେଳେ ପୌର ନିର୍ବାଚନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ଏଠାରେ ରାଜନୈତିକ ଗତିପିଧି ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ଥର ପୌରାଧ୍ୟକ୍ଷ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଉତ୍ସାହ ଦ୍ବିଗୁଣିତ ହୋଇଛି। ପୌରାଞ୍ଚଳ ୱାର୍ଡ଼ ଓ ପୌରାଧ୍ୟକ୍ଷଙ୍କ ପାଇଁ କଣ ସରଂକ୍ଷଣ ଚିଠା ଆସିବ ତାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଶିବିରରେ ଅଙ୍କକଷା ଆରମ୍ଭ ହୋଇଛି। ଏଠାରେ ୱାର୍ଡ ସଂଖ୍ୟା ବୃଦ୍ଧି ହେବ କି ନାହିଁ ସେନେଇ ଥିବା ଦ୍ବନ୍ଦ୍ବ ଦୂର ହୋଇଛି। କାରଣ ଏଥର ୱାର୍ଡ ପୁନର୍ଗଠନ କରାଯିବ ନାହିଁ। ତେବେ ଚଳିତ ଥର କେଉଁ ୱାର୍ଡ଼ରେ କଣ ସଂରକ୍ଷଣ ରୂପ କଣ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷ କରି ପୌରାଧ୍ୟକ୍ଷ ପଦ ସରଂକ୍ଷିତ ରହିବ ନା ନାହିଁ ତାକୁ ନେଇ ମଧ୍ୟ ତର୍ଜମା ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ବିଜ୍ଞପ୍ତି ଅନୁସାରେ ପୌରପରିଷଦର ବିଭିନ୍ନ ୱାର୍ଡର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ନଭେମ୍ବର ୯ରେ ପ୍ରକାଶ ପାଇବ। ଏହା ପରେ ନଭେମ୍ଭର ୧୮ ଭିତରେ ଆପତ୍ତି ଅଭିଯୋଗ ଦେଇ ପାରିବେ। ୧୮ରୁ ୨୯ ତାରିଖ ଭିତରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ସଂଶୋଧିତ ତାଲିକା ରାଜ୍ୟ ସରକାରଙ୍କୁ ଦେବେ। ନଭେମ୍ବରରୁ ୧୩ ଡିସେମ୍ବର ୧୫ ଦିନ ଭିତରେ ଗୃହ ଓ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ। ୨୦୨୧ରେ ଜନଗଣନାହୋଇ ନଥିବାରୁ ୨୦୧୧ ଜନଗଣନା ରିପୋର୍ଟକୁ ଆଧାର କରି ସଂରକ୍ଷଣ ଚିଠା ପ୍ରକାଶ ପାଇବ। ସେ ଅନୁସାରେ ଜଗତସିଂହପୁରର ୨୧ଟି ୱାର୍ଡ଼ରେ ୩୩୬୩୧ ଜଣ ଓ ପାରାଦୀପର ୧୯ଟି ୱାର୍ଡ଼ରେ ଜନ ସଂଖ୍ୟା ୬୮୬୬୫ ରହିଛି। ଉଭୟ ପୌରପରିଷଦରେ ଏହି ୧୦ ବର୍ଷ ଭିତରେ ଅନ୍ୟୂନ ୨୦ ହଜାର ଜନସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ସ୍ଥାନ ସଂରକ୍ଷଣ ଓ ନୂଆ ୱାର୍ଡ଼ ଗଠନ ପାଇବା ସୁବିଧାରୁ ସହରବାସୀ ବଞ୍ଚିତ ହେବେ।
୨୦୧୩ ପୌରାଞ୍ଚଳ ନିର୍ବାଚନରେ ପାରାଦୀପ ପୌରପରିଷଦ ଦଖଲ କରିଥିଲା ବିଜେଡି। ଅନ୍ୟପଟେ ଜଗତସିଂହପୁର ପୌରପରିଷଦରେ କଂଗ୍ରେସ କ୍ଷମତା ହାସଲ କରିଥିଲା। ଏଥର ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେବ। ୧୩.୦୩.୧୯୭୨ ମସିହାରେ ଜଗତସିଂହପୁରକୁ ଏନ୍ଏସି ଘୋଷଣା କରାଯାଇଥିଲା। ସେତେବେଳେ ବରିଷ୍ଠ କଂଗ୍ରେସ ନେତା ବିଷ୍ଣୁ ମହାନ୍ତି ଲଗାତାର ତିନି ଥର ନଗରପାଳ ହୋଇଥିଲେ। ଏହାପରେ ୧୯୯୨ ମସିହାରେ ସିଧାସଳଖ ନଗରପାଳ ନିର୍ବାଚନ ହୋଇଥିଲା। ଜଗତସିଂହପୁର ପୌରାଧ୍ୟକ୍ଷ ଭାବେ ଜନତା ଦଳର ଗୋରାଚାନ୍ଦ କାନୁନ୍ଗୋ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୭ ମସିହାରୁ ୨୦୦୨ କଂଗ୍ରେସ ନେତା ସତ୍ୟବ୍ରତ ମହାପାତ୍ର ନଗରପାଳ ଥିବା ବେଳେ ଜଗତସିଂହପୁର ଏନ୍ଏସି ୨୦୦୧ରେ ପୌରାଚଂଳ ଘୋଷଣା କରାଯାଇଥିଲା। ୨୦୦୩ରୁ ୨୦୦୮ ବିଜେଡି ନେତ୍ରୀ ମିନତି ଦାସ, ୨୦୦୮ରୁ ୨୦୧୩ ବିଜେଡି ନେତା ମଧୁସୂଦନ ସାହୁ ପୌରାଧ୍ୟକ୍ଷ ଥିଲେ। ୨୦୧୩ ମସିହାରେ ପୁଣି ପୌରାଚଂଳ ଦଖଲ କରିଥିଲା କଂଗ୍ରେସ। ମୋଟ ୨୧ଟି ୱାର୍ଡରୁ ୯ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ୧୨ଟି ୱାର୍ଡରେ କଂଗ୍ରେସ ବିଜୟୀ ହୋଇ ପୌରାଧ୍ୟକ୍ଷ ଆସନ ଅକ୍ତିଆର କରିଥିଲା। ୧୫ ନମ୍ବର ୱାର୍ଡରୁ ବିଜୟୀ ହୋଇଥିବା ବିପ୍ଲବ ଚୌଧୁରୀଙ୍କୁ ଅଧ୍ୟକ୍ଷ ଆସନରେ ବସାଇଥିଲା କଂଗ୍ରେସ। ତେବେ ୨୦୧୩ରେ ୧୨ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ଅସମର୍ଥ ହୋଇ ନଥିବା ବିଜେପି ସ୍ଥିତି ନୈରାଶ୍ୟଜନକ ଥିଲା। ଯେଉଁ ୯ଟି ୱାର୍ଡରେ ବିଜେପି ପ୍ରାର୍ଥୀ ଦେଇଥିଲା ସେଥିରେ ଜଣେ ପ୍ରାର୍ଥୀଙ୍କୁ ସର୍ବାଧିକ ୩୫ ଖଣ୍ତ ଭୋଟ୍ ମିଳିଥିଲା। ଖାତା ଖୋଲି ପାରନଥିଲା ବିଜେପି। ୨୦୧୮ ମସିହାରୁ ପୌରପରିଷଦ ଭାଙ୍ଗିଯିବା ପରେ ପ୍ରଶାସନ ହାତରେ ରହିଛି ପୌରପରିଷଦ।