ଦୁର୍ଗମ କର୍ତ୍ତନପାଲ୍ଲୀରେ ପ୍ରଦୀପ ମାଝୀଙ୍କ ବିଶାଳ ନିର୍ବାଚନୀ ସଭା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ଭାବେ କର୍ତ୍ତନପାଲୀ ଅନ୍ୟତମ। ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ଦୁର୍ଗମ କର୍ତ୍ତନପାଲ୍ଲୀ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡିର ବିକାଶ ଧାରା ସମ୍ପର୍କରେ ବଖାଣିଥିଲେ। ବିଜେଡି ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବା ବେଳେ ଜିଲ୍ଲାରେ ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ଶିକ୍ଷା ଭଳି ଅନେକ କ୍ଷେତ୍ରରେ ଉନ୍ନତି ହୋଇଥିବା ଲୋକଙ୍କୁ କହିଥିଲେ। ଏହି ବିଶାଳ ସଭାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ।ଏହି ଅଞ୍ଚଳରେ ଏବେ ନକ୍ସଲଙ୍କ ଧମକ ପୂର୍ଣ୍ଣ ଚେତାବନୀକୁ ଖାତିରି ନକରି ବିଜେଡିର ନେତାମାନେ ନିର୍ବାଚନୀ ସଭା କରି ଭୋଟର ମାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଆଜି ଠାରୁ ପ୍ରଦୀପ ମାଝୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି। ମାଥିଲି ବ୍ଲକର ତିନୋଟି ଜୋନରେ ସେ ପ୍ରଚାର କରିବା ପରେ କାଲିମେଳା ଏବଂ ପଡିଆ ଜୋନରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Sambad

ବିଜେଡିର ଷ୍ଟାର ପ୍ରଚାରକ ଭାବେ ପ୍ରଦୀପ ମାଝୀ ରହିଛନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରଦୀପ ମାଝୀଙ୍କର ବେଶ ଦବଦବା ରହିଥିବାରୁ ବିଜେଡି ତାଙ୍କୁ ଏହି ଜିଲ୍ଲା ପାଇଁ ଦାୟିତ୍ବ ପ୍ରଦାନ କରିଛି। କର୍ତ୍ତନପାଲୀରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ସେ ଭୋଟ ଭିକ୍ଷା କରିଥିଲେ।ଏହି ଅଞ୍ଚଳର ବିକାଶ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ଭୋଟ ଦେଲେ ସେ ସମସ୍ତ ବିକାଶମୂଳକ କାର୍ଯ୍ୟ କରିବାରେ ସହାୟକ ହେବେ ବୋଲି ଲୋକଙ୍କୁ ବୁଝାଇଥିଲେ। ତେବେ ପ୍ରଦୀପ ମାଝୀଙ୍କ ଗସ୍ତ ବେଶ ବିଜେଡିକୁ ସୁହାଇବ ବୋଲି ଆଲୋଚନା ଜୋର ଧରିଛି। ତାଙ୍କର ଭାଷଣ ଶୁଣିବାକୁ ଦୁର୍ଗମ କର୍ତ୍ତନପାଲୀ ଠାରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ଲୋକେ ଶ୍ରୀ ମାଝୀଙ୍କ ଭାଷଣରେ ମୁଗଧ ହୋଇଥିଲେ। ତେବେ ଆଗାମୀ ଦିନରେ ଏହି ନିର୍ବାଚନୀ ଆସନରୁ କିଏ ଜିତିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର