ପଞ୍ଚାୟତ ନିର୍ବାଚନ ମଇଦାନରେ ୧୧,୧୯୮ ପ୍ରାର୍ଥୀ, ୫ ସରପଞ୍ଚ, ୧୩ ସମିତିସଭ୍ୟ, ୧୮୧୫ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ

କଟକ: ଚିହ୍ନ ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ କଟକ ଜିଲ୍ଲାରେ ରହିଛନ୍ତି ୧୧,୧୯୮ ପ୍ରାର୍ଥୀ। କଟକରେ ୧୮୩୩ ଜଣ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୫ଜଣ ସରପଞ୍ଚ, ୧୩ ଜଣ ସମିତିସଭ୍ୟ ଓ ୧୮୧୫ଜଣ ୱାର୍ଡ ମେମ୍ବର। ଜିଲ୍ଲାର ୪୬ଟି ଜିଲ୍ଲାପରିଷଦ ଆସନ ପାଇଁ ୧୭୫ ଜଣ ପ୍ରାର୍ଥୀ ଥିବା ବେଳେ ୩୭୩ଟି ପଂଚାୟତ ପାଇଁ ୧୪୩୭ ଜଣ ସରପଞ୍ଚ, ୧୨୧୮ ଜଣ ସମିତିସଭ୍ୟ ଏବଂ ୱାର୍ଡ ମେମ୍ବର ପଦ ପାଇଁ ୮୩୬୮ଜଣ ପ୍ରାର୍ଥୀ ରହିଛନ୍ତି। ଅନ୍ୟପଟେ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଜିଲ୍ଲାରେ ଖାଲି ପଡିଥିବା ଅର୍ଥାତ୍‌ କୌଣସି ନାମାଙ୍କନପତ୍ର ଦାଖଲ ହୋଇ ନଥିବା ୨୨୧ଟି ୱାର୍ଡରେ ୱାର୍ଡ ମେମ୍ବର ପଦ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ବୈଦ୍ୟନାଥ ମୁଣ୍ଡା ସୂଚନା ଦେଇଛନ୍ତି। ତେବେ ସରପଞ୍ଚ ପଦରେ ସର୍ବାଧିକ ୩୧୪ ଜଣ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହର କରିଥିବା ଜଣାପଡିଛି। ବାରଙ୍ଗ ଜୋନ -୩୨ ଆସନରୁ ବିଜେପି ତାର ଟିକେଟ୍‌ ଦେଇ ପରବର୍ତ୍ତୀ ସମୟରେ ଟିକେଟ୍‌ ପ୍ରତ୍ୟାହାର କରିନେବା ଫଳରେ ଏହି ଆସନରୁ ପ୍ରା‌ର୍ଥିପତ୍ର ପ୍ରତ୍ୟାହାର କରିଥିବା ନଳିନୀ ରାୟ ସ୍ବାଧୀନଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଜିଲ୍ଲାପରିଷଦ ସଦର ଜୋନ୍‌ ୪ ଆସନରୁ ବ୍ଳକ୍‌ ବିଜେଡି ମହିଳା ସଭାନେତ୍ରୀ କବିତା ଦାସଙ୍କୁ ଟିକେଟ୍‌ ନ ମିଳିବା ଫଳରେ ସେ ସ୍ବାଧୀନଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ଆଠଗଡ଼ରେ ବିଜେପିର ୩ଜଣ ଅସନ୍ତୁଷ୍ଟ ଜୋନ ୩ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସେଥିରୁ ୨ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହର କରିଥିବାବେଳେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। କଟକ ଜିଲ୍ଲାର ବଡମ୍ବାରେ ୨ଜଣ, ଆଠଗଡ଼, ନରସିଂହପୁର, ବାଙ୍କୀରୁ ଜଣେ ଲେଖାଏ ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଆଠଗଡ଼ରେ ୭ଜଣ ସମିତିସଭ୍ୟ, କଟକ ସଦରରେ ୨ଜଣ, ତିଗିରିଆ, ନରସିଂହପୁର, ନିଶ୍ଚିନ୍ତକୋଇଲି, ବାଙ୍କୀରେ ଜଣେ ଲେଖାଏ ସମିତିସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପଟେ ୧୮୧୫ଜଣ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ସେଥିରୁ ନରସିଂହପୁର ବ୍ଲକ୍‌ରେ ସର୍ବାଧିକ ୨୮୦ଜଣ, ଆଠଗଡ଼ରେ ୨୪୭, ବଡମ୍ବାରେ ୨୦୧, କଣ୍ଟାପଡାରେ ୪୭, ତିଗିରିଆରେ ୬୯, ସଦରରେ ୧୪୧, ସାଲେପୁରରେ ୧୦୬, ବାଙ୍କୀରେ ୧୦୨, ଟାଙ୍ଗୀରେ ୯୯, ବାରଙ୍ଗରେ ୬୬, ଡମପଡାରେ ୯୦, ମାହାଙ୍ଗାରେ ୧୨୭, ନିଶ୍ଚିନ୍ତକୋଇଲିରେ ୧୪୬ ଓ ନିଆଳିରେ ୯୪ଜଣ ୱାର୍ଡ ମେମ୍ବର ରହିଛନ୍ତି। ଜିଲ୍ଲାର ୩୭୩ ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ୧୮୨୧ ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସର୍ବାଧିକ ୩୧୪ଜଣ ନାମାଙ୍କନ ପ୍ରତ୍ୟାହର କରିଛନ୍ତି। ୬୫ଜଣଙ୍କର ପ୍ରାର୍ଥିପତ୍ର ଯାଂଚ ସମୟରେ ନାକଚ ହୋଇଯାଇଛି। ଫଳରେ ଏବେ ସରପଞ୍ଚ ପଦ ପାର୍ଇ ୧୪୩୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ସହ ପ୍ରଚାର ଆରମ୍ଭ କରିଛନ୍ତି। ସେହିପରି ୩୭୩ ସମିତିସଭ୍ୟ ପଦ ପାଇଁ ୧୪୬୩ଜଣ ନାମାଙ୍କନ ଦାଖଲ କରିଥିବାବେଳେ ୨୦୩ଜଣ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି ଏବଂ ଯାଂଚ ବେଳେ ୨୯ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି।

ଫଳରେ ଏବେ ମଇଦାନରେ ୧୨୧୮ଜଣ ରହିଛନ୍ତି। ୧୦,୯୮୨ଜଣ ୱାର୍ଡ ମେମ୍ବର ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ୭୧୦ଜଣ ପ୍ରତ୍ୟାହର କରିଥିଲେ ଓ ଯାଂଚ ସମୟରେ ୮୯ଜଣଙ୍କର ନାକଚ ହୋଇଥିଲା। ଫଳରେ ଏବେ ୮୩୬୮ଜଣ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଥିବାବେଳେ ୨୨୧ଟି ପଦରେ ପୁନଃ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୪୬ଟି ଜିଲ୍ଲାପରିଷଦ ଆସନରେ ୧୭୫ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି, ବିଜେପି ୪୬ଟି ଯାକ ଆସନରେ ଏବଂ କଂଗ୍ରେସ ୪୪ଟି ଆସନରେ ପ୍ରାର୍ଥୀ ଦେଇଛି। ନିଶ୍ଚିନ୍ତକୋଇଲି ୨୮ ନମ୍ବର ଜୋନ ଓ ଟାଙ୍ଗୀ ୧୦ ନମ୍ବର ଜୋନରେ ଦଳର କେହି ପ୍ରାର୍ଥୀ ନାହାନ୍ତି। ନାମାଙ୍କନପତ୍ର ଯାଂଚ ସମୟରେ ନିଶ୍ଚିନ୍ତକୋଇଲି ଜୋନ୍‌-୨୮ ଆସନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନିରୂପମା ସାହୁଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଅନ୍ୟପଟେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ର ୧୦ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରଥମରୁ ପ୍ରାର୍ଥୀ ଦେଇ ନଥିବା ବେଳେ ସେହି ଆସନରେ ସିପିଆଇ(ଏମ୍‌)ର ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେବାକୁ ଘୋଷଣା କରିଛି। ବିଭିନ୍ନ ଜୋନରେ ୧୮ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସିପିଆଇ(ଏମ୍‌) ୩ଟି, ବିଏସ୍‌ପି ୨ଟି ଓ ଆପ୍‌ କେତେକ ଆସନରେ ପ୍ରାର୍ଥୀ ଦେଇଛି।

ସମ୍ବନ୍ଧିତ ଖବର