ଇତିହାସ ରଚିଲା ବାଙ୍କୀ ନୂଆଗାଁ ପଂଚାୟତ, ନିର୍ଦ୍ବନ୍ଦ୍ବରେ ପୁଣି ସରପଞ୍ଚ ହେଲେ ମମତା

ରାଜନୈତିକ ଆକ୍ରୋଶରୁ ଗଡ଼ିଥିଲା ସ୍ବାମୀଙ୍କ ମୁଣ୍ଡ

ବାଙ୍କୀ: ଇତିହାସ ସୃଷ୍ଟି କରିଛି କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ନୂଆଗାଁ ପଂଚାୟତ। ଲଗାତାର ଦ୍ବିତୀୟ ଥର ପଂଚାୟତର ସମସ୍ତ ପଦବିରେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତ ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ସରପଂଚ ନିର୍ବାଚିତ ହୋଇଥିବା ମମତା ମହାପାତ୍ର ଏଥର ବି ନିର୍ବାଚିତ ହୋଇଛନ୍ତି। ରାଜନୈତିକ ଆକ୍ରୋଶରୁ ମମତାଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ତାଙ୍କ ସହଯୋଗୀ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ୨୦୨୦, ଫେବ୍ରୁଆରି ୧୫ରେ ବାଙ୍କୀ-କଳାପଥର ରାସ୍ତାର ଯୋକଲାଞ୍ଜି ପ୍ରକଳ୍ପ ନିକଟରେ ଦିନ ଦ୍ବିପହରରେ ହତ୍ୟା କରାଯାଇଥିଲା। ସେହି ଘଟଣାରେ ପୁଲିସ ୧୨ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଏଥର ପୁଣି ସରପଞ୍ଚ ମମତା ମହାପାତ୍ର, ସମିତିସଭ୍ୟଭାବେ ବିଧିତ୍ୟ ରଣସିଂହ ଓ ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ଏହି ପଞ୍ଚାୟତ ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ବାଙ୍କୀ ବ୍ଲକ ପୂର୍ବରୁ ୧୮ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହୋଇଥିବା ପୁନର୍ଗଠନ ପ୍ରକ୍ରିୟାରେ ବାଙ୍କୀ ବ୍ଲକରେ ଦୁଇଟି ନୂତନ ପଞ୍ଚାୟତ ସୃଷ୍ଟି ହୋଇଥିଲା। ପୂର୍ବରୁ କାଳିପୋଇ ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ସବୁଠାରୁ ବଡ ରାଜସ୍ବ ଗ୍ରାମ ଥିଲା। ତେବେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ୨୦୧୬ରେ ନୂଆଗାଁ (ଖଜୁରିପଦା)କୁ ନୂତନ ପଞ୍ଚାୟତର ମାନ୍ୟତା ମିଳିଥିଲା। ପ୍ରଥମ କରି ପଞ୍ଚାୟତ ହୋଇଥିବାରୁ ଏହାକୁ ଏକ ଦୃଷ୍ଟାନ୍ତ ଭାବେ ପରିଗଣିତ କରିବା ନିମନ୍ତେ ସେତେବେଳେ ଗ୍ରାମବାସୀମାନେ ସଂକଳ୍ପ ନେଇଥିଲେ। ନିର୍ବାଚନ ସମୟରେ ଗ୍ରାମର ବିଭିନ୍ନ ରାଜନୈତିକ ଦଳର ସମର୍ଥକ ମାନଙ୍କ ମଧ୍ୟରେ ସୃଷ୍ଟି ହେବାକୁ ଥିବା ମନୋମାଳିନ୍ୟ ତଥା ବିଦ୍ବେଶଭାବକୁ ଏଡାଇବା, ଗ୍ରାମରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସର୍ବସମ୍ମତ ପ୍ରାର୍ଥୀ ଦେବା ନିମନ୍ତେ ଗ୍ରାମ କମିଟି ଉଦ୍ୟମ କରି ଗତ ନିର୍ବାଚନରେ ସଫଳ ହୋଇ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲା। ଗତ ୨୦୧୭ ନିର୍ବାଚନରେ ସମସ୍ତ ରାଜନୈତିକ ଦଳକୁ ସମ୍ମାନ ଜଣାଇ ଗ୍ରାମ୍ୟ କମିଟି ଚୟନ କରିଥିବା ସାଧାରଣ ବର୍ଗ ସରପଞ୍ଚ ପଦବି ନିମନ୍ତେ ମମତା ମହାପାତ୍ର ଏବଂ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସମିତିସଭ୍ୟା ଭାବେ କବିତା ପ୍ରଧାନଙ୍କ ସମେତ ସମସ୍ତ ୧୨ ଗୋଟି ୱାର୍ଡର ସଭ୍ୟ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶଂସାପତ୍ର ଏବଂ ପ୍ରୋତ୍ସାହନ ପାଇଥିବା ଏହି ପଂଚାୟତ କିନ୍ତୁ ଏକ ଅଭାବନୀୟ ଘଟଣାରେ ରାଜ୍ୟ ତଥା ଜାତୀୟ ସ୍ତରରେ ପୁଣି ଚର୍ଚ୍ଚିତ ହୋଇଥିଲା। ପଞ୍ଚାୟତର ପ୍ରଥମ ଏବଂ ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ତଥା ବାଙ୍କୀ କଂଗ୍ରେସର ଜଣେ ଦୃଢ ସଂଗଠକ ଭଗବାନ ସ୍ବାଇଁ ଏବଂ ଯୁବ ସଂଗଠକ ତଥା ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ୨୦୨୦, ଫେବ୍ରୁଆରି ୧୫ ତାରିଖ ଦିନ ଦ୍ବିପ୍ରହରରେ ଗ୍ରାମ ନିକଟରେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ଆକ୍ରୋଶରୁ ହତ୍ୟା କରାଯାଇଥିବା ଏବଂ ଏଥିରେ ଶାସକ ଦଳର କିଛି ସମର୍ଥକ ରହିଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ଘଟଣା ରାଜ୍ୟ ତଥା ଜତୀୟ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଏହି ବର୍ବର କାଣ୍ତ ଦୁଇଟି ପରିବାରର ସୁଖ ଛଡାଇ ନେଇଥିବା ବେଳେ ସେବେଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଚଳିତଥର ଗ୍ରାମବାସୀ ମାନଙ୍କ ସର୍ବସମ୍ମତ ପ୍ରାର୍ଥୀ ଭାବେ ସରପ‌ଞ୍ଚ ପଦବି ପାଇଁ ପୁଣି ମମତା ମହାପାତ୍ର ଏବଂ ସମିତିସଭ୍ୟ ପାଇଁ ବିଧିତ୍ୟ ରଣସିଂଙ୍କ ସମେତ ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ନାମାଙ୍କନ ଦାଖଲ କରିଥିଲେ। ଅନ୍ୟ କୈାଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ। ଯାଂଚ ପ୍ରକ୍ରିୟାରେ ସମସ୍ତ ପ୍ରାର୍ଥିପତ୍ର କାଏମ ରହିଥିବାରୁ ନୂଆଗାଁ (ଖଜୁରି ପଦା) ଗ୍ରାମ ପଂଚାୟତ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ବିନା ପ୍ରତିଦ୍ବନ୍ଦ୍ବିତାରେ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର