ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୀତି ଚର୍ଚ୍ଚା ଏବେ ଉଷ୍ମ ଧରିଛି। ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ମଧ୍ୟ ଆରମ୍ଭ ହୋଇଛି। ୩୬ ପଞ୍ଚାୟତ ବିଶିଷ୍ଟ ଚାନ୍ଦବାଲି ବ୍ଲକରେ ୫ ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ୪୭୬ ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ଏଠାରେ ୧ ଲକ୍ଷ ୮୩ ହଜାର ୯୪୯ ଜଣ ଭୋଟର ମତଦାନ କରିବେ। ଏଇ ମତଦାତାଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରାର୍ଥୀମାନେ ନିଜର ନିଜର ଦଳୀୟ ସମର୍ଥକଙ୍କୁ ନେଇ ଘରକୁ ଘର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଆଗ ନିର୍ବାଚନ ଭଳି ଏବେ ପ୍ରଚାର ହେଉନି, ପୋଷ୍ଟର ବେନର ଆଗଭଳି ଦେଖା ଯାଉନି। କିନ୍ତୁ ଡୋର କ୍ୟାମ୍ପେନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସବୁ ଦଳ ଏହି ଫର୍ମୁଲା ଆପ୍ଲାଏ କରିଛନ୍ତି। ଏଠି ମୁଖ୍ୟତଃ ୩ ଟି ରାଜନୈତିକ ଦଳ ନିର୍ବାଚନ ମଇଦାନରେ ନିଜର ପତିଆରା ଜାରି କରିଛନ୍ତି। ବିଜେଡି-ବିଜେପି-କଂଗ୍ରେସ ଭିତରେ ହେବ ତ୍ରିମୁଖୀ ଲଢେଇ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଲଗାତର ଭାବେ ବିଜେଡି ଦଖଲକୁ ଯାଇଛି। ବିଜେଡି ବିଧାୟକ ବିଜୟ ନାୟକଙ୍କ ପରେ ଏଇ ଆସନଟି ଯୁବ ବିଜେଡିର ସଭାପତି ବ୍ୟୋମକେଶରାୟଙ୍କ ହାତକୁ ଯାଇଛି। ଶ୍ରୀ ରାୟ ଲଗାତର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ବିଧାୟକ ଶ୍ରୀ ରାୟଙ୍କର ଏଠାରେ ଏକ ସ୍ବତନ୍ତ୍ର ଦବ୍ ଦବା ରହିଛି।
ଚଳିତ ପଞ୍ଚାୟତ ନିର୍ବାଚନ ରେ ବ୍ଲକ ଦଖଲ କରିବା ସହ ୫ଟି ଜିଲ୍ଲା ପରିଷଦ କିଭଳି ବିଜେଡି ଦଖଲକୁ ଯିବ। ସେଇ ଲକ୍ଷ୍ୟ ନେଇ ଶ୍ରୀ ରାୟ ଗୋଟି ଚାଳନା ଆରମ୍ଭ କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବିଧାୟକଙ୍କ ଇଙ୍ଗିତରେ ଘନଘନ ବସୁଛି ବୈଠକ। ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରର ମଙ୍ଗ ମଧ୍ୟ ବିଧାୟକ ଧରିଛନ୍ତି। ଚାନ୍ଦବାଲିରେ ପୁଣି ବିଜେଡି ନିଜର କ୍ଷମତା ଜହାରି କରିବାକୁ ଚାହୁଁ ଥିବାବେଳେ ଏଠି ବିଜେଡିକୁ କଡା ଟକ୍କର ଦେଉଛି ବିଜେପି। ବିଜେପିର ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏଇ ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେଉଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।
ମନମୋହନଙ୍କ ନେତୃତ୍ତ୍ବରେ ଏଠାରେ ବିଜେପି କିଭଳି କ୍ଷମତାକୁ ଫେରିବ। ସେଇ ଲକ୍ଷ୍ୟରେ ପ୍ରଚାର ଜୋରଦାର କରାଯାଉଛି। କେବଳ ବିଜେଡି କି ବିଜେପି ନୁହେଁ, ଏଠାରେ କଂଗ୍ରେ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ଦିଗମ୍ବର ଦାସ ଏଠାରେ ନିର୍ବାଚନ ପରିଚାଳନା କରୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛି। ଏଇ ତିନି ପ୍ରମୁଖ ଦଳ ବ୍ଲକ ଦଖଲ କରିବାକୁ ନେଇ ଆଶାବାଦୀ ରହିଛନ୍ତି। ବିଶେଷ କରି କିଏ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବ ଓ କଉେଁ ଦଳ ବ୍ଲକ ଦଖଲ କରିବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏଇ ବ୍ଲକରେ ୫ ଟି ଜିଲ୍ଲା ପରିଷଦ ଜୋନ୍ ରହି ଥିବା ବେଳେ ଜୋନ୍ ନମ୍ବର-୧ରୁ ବିଜେଡିର ଛାତ୍ର ନେତା ପ୍ରିନ୍ସ ରାକେଶ ନାୟକ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଦଳରୁ ସୁରେଶ ସାହୁ ପ୍ରାର୍ଥୀ ହୋଇଛନ୍ତି।
ସେହିପରି ଏଇ ଜୋନରୁ କଂଗ୍ରେସ ଦଳରୁ ନିମାଇଁ ଚରଣ ଦାସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ଏଇ ତିନି ନେତା ନିଜ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ସେହିପରି ଚାନ୍ଦବାଲି ବ୍ଲକର ଜିଲ୍ଲା ପରିଷଦ ଜୋନ୍-୨ ରୁ ବିଜେଡି ଦଳର ପ୍ରାର୍ଥୀ ହୋଇଛନ୍ତି ରଂଜନ କୁମାର ସାହୁ ଓ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ କୁମାର ରାଉଳ ଓ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଦୀପକ କୁମାର ଭୋଇ। ଏଇ ତିନି ପ୍ରମୁଖ ଦଳର ନେତା ଓ କର୍ମୀ ଏଠାରେ ନିର୍ବାଚନ ପ୍ରଚାର ଜୋରଦାର ଆରମ୍ଭ କରିଥିବାବେଳେ ଏମାନଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ଜିଲ୍ଲା ପରିଷଦ ଜୋନ୍ ୩ରୁ ବିଜେଡି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ମଇଦାନକୁ ଆସିଛନ୍ତି ଗୀତାଞ୍ଜଳି ଦାସ। ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ସୁଜାତା ମଣ୍ଡଳ ଓ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ବିଶ୍ବାଳ। ଏଇ ତିନି ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଛକା ପଞ୍ଝା ରାଜନୀତି। ସବୁ ଦଳ ପକ୍ଷରୁ ଏଠାରେ ପ୍ରଚାର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ଜୋନ୍-୪ ରୁ ବିଜେଡି ଦଳର ପ୍ରାର୍ଥୀ ହୋଇଛନ୍ତି ସ୍ମରଣିକା ସମଦର୍ଶନୀ ବଳ ତାଙ୍କୁ ଏଠାରେ କଡା ମୁକାବିଲା କରୁଛନ୍ତି ବିଜେପି ଦଳର ପ୍ରାର୍ଥୀ ଚାନ୍ଦିନୀ ତ୍ରିପାଠୀ ଓ କଂଗ୍ରେସ ଦଳର ପ୍ରାର୍ଥୀ ଦୀପ୍ତିମୟୀ ଜେନା।
ସେହିପରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଜୋନ୍-୫ରୁ ଶାସକ ବିଜେଡି ଦଳର ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ବଳଭଦ୍ର ମାଝୀ। ଶ୍ରୀ ମାଝୀଙ୍କର ପ୍ରଚାର ଜୋରଦାର ଆରମ୍ଭ ହୋଇଥିବାବେଳେ ତାଙ୍କୁ ମଇଦାନରେ ମୁକାବିଲା କରୁଛନ୍ତି ବିଜେପି ଦଳର ପ୍ରାର୍ଥୀ ତ୍ରିଦ୍ବବେଶ ପ୍ରଧାନ ଓ କଂଗ୍ରେସ ଦଳର ପ୍ରାର୍ଥୀ ଉମେଶ ଚନ୍ଦ୍ର ମହାକୁଡ। ଏହି ତିନି ଦଳର ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତାମାନେ ପ୍ରଚାର ମଙ୍ଗ ଧରିଥିବା ବେଳେ ପ୍ରାର୍ଥୀ ଘରେ ଘରେ ବୁଲି ଭୋଟ ମାଗୁଛନ୍ତି। ସବୁ ପ୍ରାର୍ଥୀ ନିଜ ସପକ୍ଷରେ କହୁଥିବା ବେଳେ ଶାସକ ଦଳର ପ୍ରାର୍ଥୀ ବିକାଶ କଥା କହି ଭୋଟ ମାଗୁଥିବା ବେଳେ ବିରୋଧୀ ପ୍ରାର୍ଥୀ ଶାସକ ଦଳର ବିଫଳତା କଥା କହି ଭୋଟ ମାଗୁଛନ୍ତି। ପ୍ରଚାର କାର୍ଯ୍ୟ ସକାଳୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲୁଛି। ଚାନ୍ଦବାଲିର ଚଳିତ ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।