ବାସୁଦେବପୁର ନିର୍ବାଚନୀ ମଣ୍ଡଳୀରେ ନିର୍ବାଚନ ରାଜନୀତି

ବିଜେଡିର ବିଷ୍ଣୁବ୍ରତ, କଂଗ୍ରେସର ଅଶୋକ, ବିଜେପିର ଉଦୟ ଧରିଲେ ମଙ୍ଗ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି। ବିଧାୟକ ବିଜେଡି ଦଳରେ ରହିଥିବା ବେଳେ ପୌର ପାଳିକା କଂଗ୍ରେସ ଦଖଲକୁ ଯାଇଥିବାର ନଜିର ରହିଛି। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବିଜେଡି ଗଡ କୁହାଯାଏ। କିନ୍ତୁ ତୃଣମୂଳ ସ୍ତରରେ ଫଳ ଓଲଟା ହୁଏ। ଏହାର କାରଣ ଅନେକବାର ଖୋଜା ଯାଇଛି। ଏବେ ଏଠି ବିଧାୟକ ଅଛନ୍ତି ବିଜେଡିର ବିଷ୍ଣୁବ୍ରତ ରାଉତରାୟ। ପଞ୍ଚାୟତ ନିର୍ବାଚନରେ ବିଜେଡି ତାର ନିଜର ସ୍ଥିତି ଜାହିର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏବେ ଅଧିକ ଅସନତୁଷ୍ଟ ପ୍ରାର୍ଥୀ ଦଳୀୟ ନେତାଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ଜନହୀତକାର କାର୍ଯ୍ୟ ପାଇଁ ଅନ୍ୟ ଦଳରୁ ନେତା ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଏତେ କର୍ମୀ ଆଉ ନେତାଙ୍କୁ ‌ ନେଇ ବିଜେଡି ବେଶ ଓଜନଦାର ହୋଇଥିବାବେଳେ ଏକାଧିକ ପ୍ରାର୍ଥୀ ଦଳୀୟ ସମର୍ଥନରେ ଲଢିବାକୁ ମନ ବଳାଇବା ପରେ ସୃଷ୍ଟି ହୋଇଛି ବିବାଦ। ୩୬ ଗ୍ରାମ ପଞ୍ଚାୟତ ବିଶିଷ୍ଟ ବାସୁଦେବପୁର ବ୍ଲକରେ ସଂଖ୍ୟାଧିକ ପଞ୍ଚାୟତ ଏବେ ବିଜେଡି ଦଖଲରେ ରହିଥିବାବେଳେ ଆଗାମୀ ନିର୍ବାଚନରେ ସଂଖ୍ୟାଧିକ ଆସନ ବିଜେଡି ଦଖଲକୁ ନେବାପାଇଁ ଦଳର ଆଗାମୀ ପଞ୍ଚାୟତ ନିର୍ବାଚନୀ ମଙ୍ଗ ଧରିଥିବା ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଗୋଟି ଚାଳନା ଆରମ୍ଭ କରିଛନ୍ତି। ୫ ଜିଲ୍ଲା ପରିଷଦ ଆସନ ବଣ୍ଟନ ଠିକ୍ ଠାକ୍ ଭାବେ ହୋଇଥିବା ବେଳେ ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ଦଳୀୟ ସମର୍ଥନରେ ଚୟନ କରିବା କାଠିକର ପାଠ ହୋଇଛି। ବିଜେଡି କର୍ମୀଙ୍କ ମଧ୍ୟରୁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦଳ କାହାକୁ ଭିତିରି ସମର୍ଥନ ଦେବ। କାହାକୁ ଦଳୀୟ ସମର୍ଥିତ ପ୍ରାର୍ଥୀ କହିବ। ତାକୁ ନେଇ ବିବାଦ ଦେଖା ଦେଇଛି।

ଭାଗ ନଛିଡିବାରୁ ଶେଷରେ ବହୁ ସଂଖ୍ୟାରେ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଇ ବ୍ଲକର ପଦ୍ମପୁର, ସୁଗ, ଆରୁହା, କରଂଜାଗଡିଆ, ନାୟକାଣିଡିହି, ଆନ୍ଦୋଳା, ଚୂଡାମଣି, ଆର୍ତ୍ତିୁଂ, ଶାଶୁଭୁଆଶୁଣୀ, ରାଜଘରପୋଖରୀ, ବିରଷ, ଇରମ, ଜଗନ୍ନାଥ ପ୍ରସାଦ ଆଦି ପଞ୍ଚାୟତରେ ସଂଖ୍ୟାଧିକ ପ୍ରାର୍ଥୀ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯାହାକୁ ନେଇ ବିଜେଡିର ମଙ୍ଗଧରି ଥିବା ବିଧାୟକ ବିଷ୍ଣୁବ୍ରତ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଧାୟକ ବିଷ୍ଣୁବ୍ରତଙ୍କର ବାପା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜଚୟଶ୍ରୀ ରାଉତରାୟ ମଙ୍ଗ ଧରିଥିଲେ। ସେତେବେଳେ ବାପାଙ୍କୁ ଦଳୀୟ କାର୍ଯ୍ୟରେ ବିଷ୍ଣୁବ୍ରତ ସହଯୋଗ କରୁଥିଲେ। ଏବେ ବାପା ନାହାଁନ୍ତି। ଏକାଏକା ଦଳୀୟ ମଙ୍ଗ ସମ୍ଭାଳୁଛନ୍ତି। ବିଦ୍ରେହୀ ପ୍ରାର୍ଥୀଙ୍କ ସଂଖ୍ୟା ତାଙ୍କୁ ଏବେ ରାଜନୈତିକ ମଇଦାରେ କଲବଲ କରୁଥିବା ବେଳେ ବିଷ୍ଣୁବ୍ରତ ମଧ୍ୟ ବେଶ ଅଡୁଆ ସ୍ଥିତିରେ ଅଛନ୍ତି। କାହାକୁ କିଭଳି ମନାଇବେ ସେଇ ଗୋଟି ଚାଳାନା କରୁଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି। କେଉଁ ପଞ୍ଚାୟତରୁ କେତେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଛନ୍ତି। ତାହା ଉପରେ ବିଜେଡି ଦଳର ମଙ୍ଗୁଆଳ ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲି ପରେ ବିଜେଡିର ଅନ୍ତକନ୍ଦଳ ରହିବ ନା ଦୂରେଇଯିବ ସେଇ ଅନେକ କଥା ସ୍ପଷ୍ଟ ହୋଇଯିବ। ଗତ ପଞ୍ଚାୟତ ନିର୍ବାଚନରେ ଏଇ ବ୍ଲକର ୫ ଟି ଯାକ ଜିଲ୍ଲା ପରିଷଦ ଜୋନ ବିଜେଡି ଦଖଲରେ ରହିଥିବା ବେଳେ ବ୍ଲକ ମଧ୍ୟ ବିଜେଡି ଦଖଲ କରିଥିଲା।

ଚଳିତ ନିର୍ବାଚନରେ ମଧ୍ୟ ୫ ଜିଲ୍ଲା ପରିଷଦ ସହ ବ୍ଲକ ଦଖଲ କରିବାକୁ ବିଷ୍ଣୁବ୍ରତ ଉଦ୍ୟମ ଆରମ୍ଭ କରିଛନ୍ତି। ସମୟ କହିବ ତାଙ୍କ ଉଦ୍ୟମ କେତେ ଫଳବତୀ ହେଉଛି। ଏଇ ନିର୍ବାଚନ ମଣ୍ଡଳୀରେ ବିରୋଧୀ କଂଗ୍ରେସ ପୂର୍ବରୁ ଏଠାରେ ବିଜେଡିକୁ ସବୁ ନିର୍ବାଚନରେ କଡା ଟକ୍କର ଦେଉଥିଲା। କେତେବେଳେ ବ୍ଲକ ତ କେତେବବେ ପୌର ପାଳିକା କଂଗ୍ରେସର ଦଖଲକୁ ଯାଉଥିଲା। ଗତ ୨୦୧୯ ସରାଧାରଣ ନିର୍ବାଚନରେ କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ ଦଳ ଛାଡି ବିଜେପିରେ ମିଶି ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ମାଧ କଂଗ୍ରେସ ଛାଡିବା ପରେ ବାସୁଦେବପୁର କଂଗ୍ରେସ ଦଳର ମଙ୍ଗ ସମ୍ଭାଳୁଛନ୍ତି ପର୍ବତନ ବାସୁଦେବପୁର ପୌରାଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା କଂଗ୍ରେସର ସଭାପତି ଅଶୋକ ଦାସ। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଦଳୀୟ ଟିକଟ ବଣ୍ଟନ ସବୁ କଥା ଅଶୋକ ବୁଝୁଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ମଧ୍ୟ ଅଶୋକଙ୍କ ନେତୃତ୍ବରେ ଆରମ୍ଭ ହୋବ ବୋଲି ପ୍ରଯୋନା ପ୍ରସ୍ତୁତ ହୋଇଛି। ଚଳିତ ନିର୍ବାଚନରେ କଂଗ୍ରେସ ଏଠାରେ ବ୍ଲକ ଦଖଲ କରିବାକୁ ଉଦ୍ୟମ କରୁଥିବାବେଳେ ସମୟ କହିବ ଅଶୋକ କିଭଳି ନିଜର ଦଳୀୟ ମଙ୍ଗ ସମ୍ଭାଳୁଛନ୍ତି। ଅଶୋକ ନିର୍ବାଚିନ ମଇଦାନରେ ଜଣେ ପୋଖତ ଖେଳୱାଡ। ପୂର୍ବର ପ‌ୌର ନିର୍ବାଚନ ବେଳେ ବିଜୟଶ୍ରୀ ରାଉତରାୟ ମନ୍ତ୍ରୀ ପଦରେ ଥିବା ବେଳେ ଅଶୋକ ବିଜେଡିକୁ ଚ୍ୟାଲେଞ୍ଜ କରି ବିଜେଡି ଗଡରେ କଂଗ୍ରେସର ମାଜିମାତ କରିଥିଲେ। ନିଜେ ବାସୁଦେବପୁର ପୌରାଧ୍ୟକ୍ଷ ଆସନରେ ବସିଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ଅଶୋକ କିଛି ସେମିତି କିମିଆ କରିବେ କି ବୋଲି ଚର୍ଚ୍ଚା ହେଉଛି। ଏଇ ନିର୍ବାଚନ ମଣ୍ତଳୀରେ ତୃତୀୟ ସ୍ଥାନରେ ଥିବା ବିଜେପି ମାଧବାନନ୍ଦ ମଲ୍ଲିକ କଂଗ୍ରେସ ଛାଡି ବିଜେପିକୁ ଯିବା ପରେ ବିଜେପି ଏଠାରେ ଚଳଚଞ୍ଚଳ ରହିଛି।

ମାଧଙ୍କ ପୁତ୍ର ବିଜେପିର ଯୁବନେତା ଉଦୟନାରାୟଣ ମଲ୍ଲିକ ଏବେ ଦସଳୀୟ ମଙ୍ଗ ଧରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳରୁ ୫ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ତାଙ୍କ ଦ୍ବାରା ହୋଇଥିବାବେଳେ ପ୍ରତି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଛନ୍ତି। ଉଦୟଙ୍କ ନିର୍ବାଚନ ପରିଚାଳନା ଆଗାମୀ ଦିନରେ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ କେତେ ସାଥ୍ ଦେଉଛି। ତାହା ସମୟ କହିବ। ବାସୁଦେବପୁରରେ ବିଜେଡି, କଂଗ୍ରେସ ଓ ବିଜେପି ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଥିବା ବେଳେ ଆସନ୍ତାକାଲିର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅସଲ ଖେଳ ଆରମ୍ଭ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର