କମିସନରେଟ୍ ପୁଲିସ ପକ୍ଷରୁ ୮୩୫ଟି ବୁଥ୍‌ରେ ଫ୍ଲାଗ୍ ମାର୍ଚ୍ଚ, କ୍ବଇକ୍ ରେସ୍‌ପନ୍‌ସ ଟିମ୍; ପ୍ରତି ୧୦ ବୁଥ୍‌ ପାଇଁ ଗୋଟିଏ ପାଟ୍ରୋଲିଂ ପାର୍ଟି

ଆଠଗଡ଼, କୃଷକବଜାରରେ ଅବକାରୀ କଣ୍ଟ୍ରୋଲ୍‌ ରୁମ୍; ୪ ପାଟ୍ରୋଲିଂ ଗାଡ଼ି

କଟକ: ପଞ୍ଚାୟତ ନିର୍ବାଚନ ପାଇଁ କଟକ କମିସନରେଟ୍ ପୁଲିସରେ ବୁଥ ଓ୍ବାରି ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଯାଇଛି। କମିସନରେଟ୍ ପୁଲିସ ସୀମାରେ ୮୩୫ ବୁଥ ଚିହ୍ନଟ ହୋଇଥିବା ବେଳେ ଏଥିରୁ ପ୍ରାୟ ୨୫୦ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। କେବଳ ସମ୍ବେଦନଶୀଳ ବୁଥ ପାଇଁ ବନ୍ଧୁକଧାରୀ ପୁଲିସ କର୍ମଚାରୀ ନିୟୋଜିତ କରାଯିବ। ତୁରନ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ବାଚନ ହେଉଥିବା ପ୍ରତି ଥାନା ଅଧୀନରେ କୁଇକ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ତୁରନ୍ତ ସହୟତା ଯୋଗାଇବା ସହିତ ଅସମାଜିକଙ୍କୁ ନିୟନ୍ତ୍ରଣ କରିବାକୁ ଏହି ଟିମ୍ ଗଠନ କରାଯାଇଛି। ସେହିପରି ଜିଲ୍ଲା ଅବକାରୀ ବିଭାଗ ଆଠଗଡ଼ ଓ କଟକ ପାଇଁ ଉଭୟ କଣ୍ଟ୍ରୋଲ ରୁମ୍ ସହିତ ପାଟ୍ରୋଲିଂ ଭ୍ୟାନ୍ ବି ନିୟୋଜିତ କରିଥିବା ସୂଚନା ମିଳିଛି। କମିସନରେଟ୍ ପୁଲିସ ଅଧୀନରେ ମୋଟ ୮୩୫ଟି ବୁଥରେ ୫ଟି ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ହେବାକୁ ଯାଉଥିବା ବେଳେ କମିସନରେଟ୍ ପୁଲିସ ସାହି ସାହିରେ ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ କରିଛି। ମୁଖ୍ୟତଃ ଗ୍ରାମାଞ୍ଚଳ ସୀମା ଭିତରେ ଥିବା ଚାଉଳିଆଗଞ୍ଜ, ଜଗତପୁର, ଚୌଦ୍ବାର, କନ୍ଦରପୁର, ବାରଙ୍ଗ, କଟକ ସଦର ଥାନା ଅଞ୍ଚଳରେ ଏହି ବୁଥ୍ ଚିହ୍ନଟ ହୋଇଛି। କମିସନରେଟରେ ବାଙ୍କୀ ଓ ଆଠଗଡ଼ର କିଛି ଅ˚ଶ ବି ଯୋଡ଼ି ହୋଇ ରହିଛି। ବୁଥର ନିୟନ୍ତ୍ରଣ ପାଇଁ ପ୍ରାୟ ୧୮ ଜଣ ସୁପରଭାଇଜି˚ ଅଫିସରଙ୍କୁ ନିୟୋଜିତ କରାଯିବ। ଏଥିରେ ଅତିରିକ୍ତ ଡିସିପି, ଏସିପିଙ୍କୁ ଦାୟିତ୍ବ ଦିଆଯିବ। ଏମାନେ ପୁରା ସୁରକ୍ଷା ବ୍ୟବସ୍ଥା ପାଇଁ ଉତ୍ତରଦାୟୀ ରହିବେ। ଏମାନଙ୍କ ବାଦ୍ ପ୍ରାୟ ୧୦ଟି ବୁଥ ପାଇଁ ଗୋଟିଏ ମୋବାଇଲ୍ ପାଟ୍ରୋଲିଂ ପାର୍ଟି ଦାୟିତ୍ବରେ ରହିବେ। ଏହି ମୋବାଇଲ୍ ପାଟ୍ରୋଲିଂ ପାର୍ଟିରେ ପ୍ରାୟ ୧୦୦ ଏସ୍‌ଆଇ ଏବ˚ ଏଏସ୍‌ଆଇଙ୍କୁ ରଖାଯିବ। ପ୍ରତି ବୁଥ ଦାୟିତ୍ବରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ପ୍ରାୟ ୫୦୦ କନ୍‌ଷ୍ଟେବଳ ଏବ˚ ୨୦୨ ଗ୍ରାମରକ୍ଷୀ ବୁଥ ଦାୟିତ୍ବରେ ରହିବେ। ୨୫୦ ପାଖାପାଖି ସମ୍ବେଦନଶୀଳ ବୁଥରେ ବନ୍ଧୁକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କମିସନରେଟ୍ ପୁଲିସ ଅଧୀନରେ ଥିବା ସମସ୍ତ ଗ୍ରାମାଞ୍ଚଳକୁ ୧୦ଟି ଜୋନରେ ଭାଗ କରାଯିବ। ଏସିପି କିମ୍ବା ଇନସ୍ପେକ୍ଟରମାନେ ଜୋନ୍ ଦାୟିତ୍ବରେ ରହିବେ। ତାଙ୍କ ଅଧୀନରେ ୧୭ଟି ସେକ୍ଟର ରହିବ। ଥାନା ଇନ୍‌ସ୍ପେକ୍ଟର ସେକ୍ଟର ଦାୟିତ୍ବରେ ରହିବେ। ନିର୍ବାଚନ ସମୟରେ ଥାନା ଛାଡ଼ି ଆଇଆଇସିମାନେ ବାହାରକୁ ଯାଇପାରିବେ ନାହିଁ। ପ୍ରତି ଥାନା ପିଛା ଗୋଟିଏ ସେକ୍ସନ ଷ୍ଟ୍ରାଇକି˚ ଫୋର୍ସ ଏବଂ କୁଇକ୍ ରେସପନ୍ସ ଟିମ୍ ଯୋଗାଇ ଦିଆଯାଇଛି। ନିର୍ବାଚନ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏମାନେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ସ୍ଥିତି ନିୟନ୍ତ୍ରଣକୁ ଆଣିବେ। ଏହି ଟିମ୍ ଦାୟିତ୍ବରେ ଜଣେ ଇନସ୍ପେକ୍ଟର ପାହ୍ୟାର ଅଧିକାରୀ ନିୟୋଜିତ ହେବେ।

ଅନ୍ୟପଟେ ବର୍ତ୍ତମାନ ପେସାଦାର ଅପରାଧୀମାନେ ପୁଲିସ ପାଇଁ ଅଡ଼ୁଆ କରିପାରନ୍ତି। ସେଥିପାଇଁ ଗ୍ରାମାଞ୍ଚଳରେ ଏବେ ବାହାରେ ବୁଲୁଥିବା ପେସାଦାର ଅପରାଧୀଙ୍କୁ ଗିରଫ କରିବାକୁ କମିସନରେଟ୍ ପୁଲିସ ଉପରୋକ୍ତ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହି ଅଞ୍ଚଳରେ ଥିବା ପୂର୍ବ ବିବାଦ ଯେଭଳି ନିର୍ବାଚନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରେ, ସେଥିପାଇଁ ଥାନାଗୁଡ଼ିକୁ ତାଗିଦ କରାଯାଇଛି। ଥାନା ଆଇଆଇସି ବିବାଦୀୟ ପରିସ୍ଥିତିକୁ ନିଜ ଜୋନ ଏସିପିଙ୍କ ମାଧ୍ୟମରେ ସମାଧାନ କରିବେ। ସେହିପରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଠଗଡ଼ ଓ କଟକ କୃଷକବଜାର କାର୍ଯ୍ୟାଳୟରେ ଦୁଇଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏମାନେ ଜିଲ୍ଲାରେ ବେଆଇନ ମଦ କାରବାର ଉପରେ ୨୪ ଘଣ୍ଟିଆ ନଜର ରଖିବେ। କୌଣସି ବେଆଇନ ମଦ କାରବାର ରୋକିବାକୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପୁରା ଜିଲ୍ଲା ପାଇଁ ମୋଟ ୫୨ ଅବକାରୀ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଚୋରା ମଦ କାରବାର ରୋକିବା ଉଦ୍ଦେଶ୍ୟରେ ୪ଟି ପାଟ୍ରୋଲିଂ ଭ୍ୟାନ୍ ଅବକାରୀ ବିଭାଗର ସହର ଓ ଜିଲ୍ଲାରେ ପଇଁତରା ମାରିବ। ଆଠଗଡ଼ ପାଇଁ ଦୁଇଟି ଓ କଟକ ପାଇଁ ଦୁଇଟି ଭ୍ୟାନ୍ ରଖାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର