ତୃତୀୟ ପର୍ଯ୍ୟାୟରେ ଭୋଟ୍‌କୁ ଯିବେ ସାଲେପୁର, କଣ୍ଟାପଡ଼ା ଓ ତିଗିରିଆ, ୮ରୁ ୮ ଜିଲ୍ଲାପରିଷଦ ଜୋନ୍‌ ଥିଲା ବିଜେଡି ଦଖଲରେ

କଟକ: ସାଲେପୁର, କଣ୍ଟାପଡା ଓ ତିଗିରିଆ ବ୍ଲକ୍‌ ପାଇଁ ୩ୟ ପର୍ଯ୍ୟାୟ ଅର୍ଥାତ ଫେବ୍ରୁଆରି ୨୦ରେ ହେବ ନିର୍ବାଚନ। ଏଥିରେ ୮ଟି ଜିଲ୍ଲାପରିଷଦ ଆସନ, ୬୩ଟି ସରପଞ୍ଚ ଓ ସମିତିସଭ୍ୟ, ୯୯୩ଟି ୱାର୍ଡ ସଭ୍ୟ ପଦ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିରେ ୨ ଲକ୍ଷ ୯୯ ହଜାର ୫୧୭ଜଣ ଭୋଟର ନିଜ ପସନ୍ଦର ପ୍ରାର୍ଥୀ ବାଛିବେ। ଗତ ନିର୍ବାଚନରେ ୮ରୁ ୮ ଆସନ ବିଜେଡି ଦଖଲରେ ଥିଲା। କିନ୍ତୁ ଏହି ଅଞ୍ଚଳରୁ ଜିଲ୍ଲା ପରିଷଦ ଜିତି ସଭାପତି ହୋଇଥିବା ଜ୍ୟୋତିରେଖା ନାୟକଙ୍କ ସମେତ ୭ ଜଣ ସଂରକ୍ଷଣ ବ୍ୟବସ୍ଥ‌ାରେ ନିଜ ଜୋନରୁ ପୁଣି ଲଢିବା ସୁଯୋଗ ହରାଇଛନ୍ତି।

ସାଲେପୁର ବ୍ଲକ୍‌ରେ ରହିଛି ୩୫ଟି ପଞ୍ଚାୟତ, ୪ଟି ଜିଲ୍ଲାପରିଷଦ ଆସନ ଓ ୫୬୪ଟି ୱାର୍ଡ ସଭ୍ୟ ଆସନ। ଭୋଟର ସଂଖ୍ୟା ହେଉଛି ୧ଲକ୍ଷ ୬୬ହଜାର ୮୫୯। ରାମେଶ୍ବର, ଗୋପୀନାଥପୁର, ସତ୍ୟଭାମାପୁର, ସଉରୀ, ନାନ୍ଦୋଳ, ମହଣ, ଶିଶୁଆ ଓ ନଇଗୁଆଁକୁ ଆଦି ୮ଟି ପଞ୍ଚାୟତକୁ ନେଇ ସାଲେପୁର ଜୋନ ୪୩ ଜିଲ୍ଲା ପରିଷଦ ଆସନ ଗଠିତ। ଗତ ନିର୍ବାଚନରେ ଏହି ଆସନ ଅସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ସବୁ ଦଳରେ ଏଥର ନୂଆ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ। ଏହି ଆସନରେ ଚିତ୍ତ ରଞ୍ଜନ ମହାନ୍ତି ବିଜେଡିର ବିଜୟୀ ହୋଇଥିଲେ। ତେଣୁ ତାଙ୍କ ପାଇଁ ପୁଣି ଥରେ ଜିଲ୍ଲା ପରିଷଦ ପାଇଁ ଛିଡା ହେବାର ସମ୍ଭାବନା ନାହିଁ। ୯ଟି ପଞ୍ଚାୟତ ମୁତାରିଫା, ଚମ୍ପତି, ପଶ୍ଚିମକଚ୍ଛ, ମହାଜନପୁର, ମଧ୍ୟକଚ୍ଛ, ବହୁଗ୍ରାମ, ତେନ୍ତୋଳ, ଗୁଜରପୁର, ତ୍ରିଲୋଚନପୁରକୁ ନେଇ ସାଲେପୁର ଜୋନ ୪୪ ଜିଲ୍ଲା ପରିଷଦ ଆସନ ଗଠିତ। ଗତ ନିର୍ବାଚନରେ ଏହି ଆସନ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏଥର ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଏହି ଆସନରେ ସବୁ ଦଳ ନୂଆ ପ୍ରାର୍ଥୀ ଦେବେ। ଏଠାରୁ ଶୁଭାଶିଷ ପ୍ରଧାନ ବିଜେଡିର ବିଜୟୀ ହୋଇଥିବାବେଳେ ସେ ମଧ୍ୟ ଆଉ ସାଲେପୁର ବ୍ଲକ୍‌ରେ ଜିଲ୍ଲାପରିଷଦ ଆସନରେ ଛିଡା ହୋଇପାରିବେ ନାହିଁ। ସାଲେପୁର ଜୋନ ୪୫ ଜିଲ୍ଲା ପରିଷଦ ଆସନ ହେଉଛି ସବୁଠୁ ଚର୍ଚ୍ଚିତ ଆସନ। ଜିଲ୍ଲାପରିଷଦ ସଭାପତି ଜ୍ୟୋତିରେଖା ନାୟକଙ୍କ ଏହି ଆସନର ସଂରକ୍ଷଣ ବଦଳି ଥିବାରୁ ସେ ଆଉ ଏଠାରୁ ଛିଡ଼ା ହୋଇପାରିବେ ନାହିଁ। ମାଳଶାସନ, ଭୀମଦାସପୁର, ଓଡାସିଂହ, ମିର୍ଜାପୁର, ରାଇସୁଙ୍ଗୁଡା, ରାମକୃଷ୍ଣପୁର, ନରଦା, କଟରପା, ସିଢୋ ଆଦି ୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ଆସନ ଗତ ନିର୍ବାଚନରେ ମହିଳାଙ୍କ ପାଇଁ ରହିଥିବା ବେଳେ ଏଥର ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଏହି ଆସନରେ ବି ସବୁ ଦଳର ନୂଆ ଚେହେରା ପ୍ରାର୍ଥୀ ହେବେ। ସାଲେପୁର ଜୋନ ୪୬ ଜିଲ୍ଲା ପରିଷଦ ଆସନ ଚନ୍ଦ୍ରାଦେଇପୁର, ବାରିଗୋଳ, ପିକୋଳ, ଛାଣିପୁର, ତରିତୋ, ପୁରୁଣାହାଟ, ବାଲିସାହି, ସୁଦ୍ଧଖଣ୍ଡ, ରଟିଲୋ ଆଦି ୯ଟି ପଞ୍ଚାୟତକୁ ନେଇ ଗଠିତ। ଗତନିର୍ବାଚନରେ ଏହି ଆସନ ଅଣସଂରକ୍ଷିତ ରହିଥିଲା। କିନ୍ତୁ ଚଳିତ ନିର୍ବାଚନରେ ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଆସନରୁ ଅନେକ ଦାବିଦାର ରହିଛନ୍ତି। ବିଜେଡିର ଅଶୋକ କୁମାର ଭୂୟାଁ ବିଜୟୀ ହୋଇଥିଲେ। ସେ ଏଥର ସରପଞ୍ଚ ପାଇଁ ଛିଡା ହେବେ ବୋଲି ଚର୍ଚ୍ଚା ହେଉଛି।

କଣ୍ଟାପଡା ବ୍ଲକ୍‌ରେ ରହିଛି ୧୪ପଞ୍ଚାୟତ, ୨ ଜିଲ୍ଲାପରିଷଦ ଆସନ ଓ ୨୧୨ୱାର୍ଡ ସଭ୍ୟ ଆସନ। ୭୩,୬୩୯ଜଣ ଭୋଟର ପଂଚାୟତ ପାଇଁ ପ୍ରାର୍ଥୀ ବାଛିବେ। ଦୁଇଟିଯାକ ଜିଲ୍ଲା ପରିଷଦ ଆସନ ଗତ ନିର୍ବାଚନରେ ବିଜେଡି ଦଖଲରେ ରହିଥିଲା। କଣ୍ଟାପଡା ବ୍ଲକ୍‌ ନିଆଳି ନିର୍ବାଚନମଣ୍ଡଳୀରେ ଯାଉଥିବାବେଳେ ଜିଲ୍ଲାପରିଷଦ ୮ନମ୍ବର ଜୋନ ବଡପାଟସୁନ୍ଦରପୁର, ବ୍ରାହ୍ମଣସାଇଲୋ, ଗୋବିନ୍ଦପୁର, ଝାରପଡା, ନାହାଳପୁର, ନୂଆଗାଁ ଗ୍ରାମକୁ ନେଇ ଗଠିତ। ଗତ ନିର୍ବ‌ାଚନରେ ଏହି ଆସନ ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଅସଂରକ୍ଷିତ ରହିଛି। ଏହି ଆସନରୁ ବିଜେଡିର ପୁଷ୍ପଲତା ଦାସ ବିଜୟୀ ହୋଇଥିବାବେଳେ ଏଥର ଏହି ଆସନରେ ଏବେ ସମସ୍ତଙ୍କ ପାଇଁ ସୁଯୋଗ ରହିଛି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ଏହି ଆସନରୁ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତା ରାଣୀ ସ୍ବାଇଁ ଛିଡା ହେବାକୁ ଯୋଜନା ରଖିଛନ୍ତି। କଣ୍ଟାପଡା ଜୋନ ୯ ଜିଲ୍ଲା ପରିଷଦ ଆସନ ୮ଟି ପଞ୍ଚାୟତ ଅଡଶପୁର, ବାଗଲପୁର, କଣ୍ଟାପଡା, ପୋସ୍ତଳୋ, ଉରାଢ, ଉତ୍ତାରଣ, ବ୍ରାହ୍ମଣବାରବାଟୀ, ଡିମିରିକୁ ନେଇ ଗଠିତ। ଗତ ନିର୍ବାଚନରେ ଏହି ଆସନ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏଥର ଏସ୍‌ସି(ମହିଳା)ଙ୍କ ପାଇଁ ରହିଛି। ଫଳରେ ଏହି ଆସନରେ ସବୁ ଦଳର ନୂଆ ଚେହେରା ଦେଖିବାକୁ ମିଳିବ। ଏହି ଆସନରୁ ବିଜେଡିର କୈଳାସ ମହାରଣା ବିଜୟୀ ହୋଇଥିବା ଏଥର ଏହି ଆସନ ସଂରକ୍ଷଣ ବ୍ୟବସ୍ଥାରେ ବଦଳି ଯାଇଛି। ସେ ସମିତସଭ୍ୟ ଆସନରୁ ଛିଡା ହେବା ପାଇଁ ଯୋଜନା ରଖିଛନ୍ତି।

ତିଗିରିଆ ବ୍ଲକ୍‌ରେ ରହିଛି ୧୪ ପଞ୍ଚାୟତ, ୨ ଜିଲ୍ଲାପରିଷଦ ଆସନ ଓ ୨୧୭ଟି ୱାର୍ଡ ସଭ୍ୟ ଆସନ। ମୋଟ ୫୯,୦୧୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ତିଗିରିଆ ଜୋନ ୧୪ ଜିଲ୍ଲା ପରିଷଦ ଆସନ ୭ଟି ପଞ୍ଚାୟତ ଅଚଳକୋଟ, ଜେମାଦେଇପୁର, ନୂଆପାଟଣା, ପାଞ୍ଚଗାଁ, ଭିରୁଡା, ସୋମପଡା, ଭୋଗଡାକୁ ନେଇ ଗଠିତ। ଗତ ନିର୍ବାଚନରେ ଏହି ଆସନ ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ନିର୍ବାଚନରେ ଅସଂରକ୍ଷିତ ରହିଛି। ଏହି ଆସନରୁ ବିଜେଡିର ରଶ୍ଜିତା ମହାଳିକ ବିଜୟୀ ହୋଇଥିବାବେଳେ ସେ ଚଳିତ ନିର୍ବାଚନରେ ପୁଣି ମଇଦାନକୁ ଓହ୍ଳାଇବେ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି। ତିଗିରିଆ ଜୋନ ୧୫ ଜିଲ୍ଲା ପରିଷଦ ଆସନ ୭ଟି ପଞ୍ଚାୟତ ବଡନାଉପୁଟ, ବିନ୍ଧାଣିମା, ଗଦାଧରପୁର, ନିଜିଗଡ, ପୁରୁଣା ତିଗିରିଆ, ବାଲିପୁଟ, ହାଟମାଳକୁ ନେଇ ଗଠିତ। ଗତନିର୍ବାଚନରେ ଏହି ଆସନ ଏସ୍‌ସି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନ ଅସଂରକ୍ଷିତ ରହିଛି। ଫଳରେ ଏହି ଆସନ ପାଇଁ ମାଳମାଳ ଆଶାୟୀ ରହିଛନ୍ତି। ଏହି ଆସନରୁ ବିଜେଡିର ବିଜୟଲକ୍ଷ୍ମୀ ଖଟୁଆ ବିଜୟୀ ହୋଇଥିଲେ। କିନ୍ତୁ ସେ ଚଳିତ ନିର୍ବାଚନରେ କୌଣସି ପଦ ପଦବିରେ ଲଢିବେନି ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଦଳୀୟ ସମର୍ଥନ ମିଳିଲେ ନିଜର ବୋହୂଙ୍କୁ ସମିତିସଭ୍ୟ ଆସନରେ ଛିଡା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର