ଆଜି ସଂଧ୍ୟାରେ ମାହାଙ୍ଗା, ନରସିଂହପୁର ଓ କଟକ ସଦରରେ ସରିବ ପ୍ରଚାର

କଟକ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ପ୍ରଚାର। ସେଇ କାରଣରୁ ଝାଳବୁହା ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ, ନେତା ଓ ସମର୍ଥକ। ଗାଁ ଦାଣ୍ଡରେ ଜମୁଛି ଭୋଜିଭାତର ଆସର। କେଉଁଠି ଅଭିନେତ୍ରୀ ବୁଲି ପ୍ରଚାର କରୁଛନ୍ତି ତ’ ପୁଣି କେଉଁଠି ତୁଙ୍ଗ ନେତାମାନେ ଚଳାଇଛନ୍ତି ପ୍ରଚାର। କେଉଁଠି ମନ୍ତ୍ରୀ, ବିଧାୟକ ପ୍ରଚାରରେ ବ୍ୟସ୍ତ ତ’ ପୁଣି କେଉଁଠି ପ୍ରାର୍ଥୀ ନିଜେ ସମର୍ଥକଙ୍କ ଗହଣରେ ଚଳାଇଛନ୍ତି ପ୍ରଚାର। କଟକ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ୧୪ଟି ବ୍ଲକ୍‌ରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥି‌ରେ ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ, ୫୭୦୩ଟି ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ଅନୁ୍ଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମାହାଙ୍ଗା, ନରସିଂହପୁର ଓ କଟକ ସଦର ବ୍ଲକ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ୧୪୫୧ଟି ବୁଥରେ ୧୨ଟି ଜିଲ୍ଲାପରିଷଦ ଆ‌ସନ, ୯୫ଟି ସରପଞ୍ଚ, ୯୩ଟି ସମିତିସଭ୍ୟ ଆସନ ସହ ୧୪୫୧ଟି ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମାହାଙ୍ଗାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମାରାଥନ୍‌ ନିର୍ବାଚନ ପ୍ରଚାର ଚଳାଇଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ ନେତା ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ଓ ବିଜେପିର ବିଧା‌ୟକ ପ୍ରାର୍ଥୀ ସାରଦା ପ୍ରଧାନ ମଧ୍ୟ ତାଙ୍କ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। ସେହିପରି ନରସିଂହପୁର ବ୍ଲକ୍‌ରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଧାୟକ ତଥା ବିଜେଡିର ତୁଙ୍ଗ ନେତା ଦେବୀ ପ୍ରସାଦ ମିଶ୍ର ୪ଟି ଜିଲ୍ଲାପରିଷଦ ପ୍ରାର୍ଥୀ ଓ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବିଜେପି ଓ କଂଗ୍ରେସ ଶିବିରରେ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚା‌ର ଚଳାଇଛନ୍ତି।

ଅନ୍ୟପଟେ କଟକ ସଦରରେ କଂଗ୍ରେସ  ଜିଲ୍ଲା ସଭାପତି ମାନସ ଚୌଧୁରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍‌ ପ୍ରଚାର ଚଳାଇଥିବା ବେଳେ ବିଜେଡି ଓ ବିଜେପି ଶିବିର ଅସନ୍ତୁଷ୍ଟ ଭୋଟ୍‌ବ୍ୟ‌ାଙ୍କକୁ ହାତେଇବା ପାଇଁ ପ୍ରୟାସ ଚଳାଇଛନ୍ତି। ସେପଟେ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଅନ୍ୟ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବାରୁ ତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁନି। ତାଙ୍କ ଦଳର ନେତା ଓ କର୍ମୀମାନେ ପ୍ରାର୍ଥୀଙ୍କୁ ନେଇ ଚଳାଇଛନ୍ତି ପ୍ରଚାର। ବିଜେପି ବିଧ‌ାୟକ ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ ତାଙ୍କ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍‌ ପ୍ରଚାର ଚଳାଇଛନ୍ତି। ୧୪ ତାରିଖ ସଂଧ୍ୟା ସୁଦ୍ଧା ପ୍ରଚାର ସରିବାର କାର୍ଯ୍ୟକ୍ରମ ଥିବାରୁ ପ୍ରାର୍ଥୀଙ୍କ ଝାଳବୁହା ପ୍ରଚାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର