କଟକ: ଟାଙ୍ଗୀ-ଚୌଦ୍ବାର, ଆଠଗଡ଼ ଓ ବାଙ୍କୀ-ଡମପଡା ବ୍ଲକ୍ରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ ଫେବ୍ରୁଆରି ୨୨ରେ ହେବ ନିର୍ବାଚନ। ଏଥିରେ ୯ଟି ଜିଲ୍ଲାପରିଷଦ ଆସନ, ୭୫ଟି ସରପଞ୍ଚ ଓ ସମିତିସଭ୍ୟ ପଦ ଓ ୧୧୪୪ଟି ୱାର୍ଡସଭ୍ୟ ପାଇଁ ମତଦାନ କରାଯିବ। ଏଥିରେ ୩ଲକ୍ଷ ୧୭ହଜାର ୨୭୭ଜଣ ଭୋଟର ନିଜ ପସନ୍ଦର ପ୍ରାର୍ଥୀ ବାଛିବେ। ଗତ ନିର୍ବାଚନରେ ୯ରୁ ୯ ଆସନ ବିଜେଡି ଦଖଲରେ ଥିଲା। ଫଳରେ ବିଜେଡି ପୁଣି ଥରେ ତାର ପୂର୍ବସ୍ଥିତି ବଜାୟ ରଖିବା ପାଇଁ ଯୋଜନା କରୁଥିବାବେଳେ ବିଜେପି ଓ କଂଗ୍ରେସ ନିଜ ନିଜର ଖାତା ଖୋଲିବା ଯୋଜନାରେ ଅଛନ୍ତି। ଆଠଗଡ଼ ଜିଲ୍ଲାପରିଷଦ ଜୋନ ୧ ଆସନରୁ ବିଜୟୀ ହୋଇ ଜିଲ୍ଲାପରିଷଦ ଉପସଭାପତି ଆସନରେ ବସିଥିବା ସୁନିଲ ପରିଡା ଚଳିତ ନିର୍ବାଚନରେ ନିଜ ଆସନରୁ ଛିଡା ହୋଇପାରିବେ ନାହିଁ, ଫଳରେ ତାଙ୍କ ପତ୍ନୀଙ୍କୁ ଛିଡା କରିବାର ଯୋଜନା ରଖିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଆଠଗଡ଼ର ସବୁ ଜିଲ୍ଲାପରିଷଦ ଜୋନରେ ପୁରୁଣା ନେତାଙ୍କୁ ପୁଣି ସେମାନଙ୍କ ଆସନରୁ ଛିଡା ହେବାର ସୁଯୋଗ ରହିଛି। ଟାଙ୍ଗୀ-ଚୌଦ୍ବାର ବ୍ଲକ୍ରେ ରହିଛି ୨୪ଟି ପଞ୍ଚାୟତ, ୪ଟି ଜିଲ୍ଲାପରିଷଦ ଆସନ ଓ ୩୯୬ଟି ୱାର୍ଡ। ଗତ ନିର୍ବାଚନରେ ସବୁ ଜିଲ୍ଲାପରିଷଦ ଆସନ ବିଜେଡି ଦଖଲରେ ରହିଥିଲା। ସାଲେପୁର, ଆଠଗଡ଼ ଓ ଚୌଦ୍ବାର ତିନୋଟି ବିଧାନସଭା କ୍ଷେତ୍ରକୁ ନେଇ ଏହି ବ୍ଲକ୍ର ପଞ୍ଚାୟତ ଓ ଜିଲ୍ଲାପରିଷଦ ଆସନ ରହିଛି। ସାଲେପୁର ଅଞ୍ଚଳରେ ଯଦିଓ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଏଠି ଟକ୍କର ଦେବା ଯୋଜନାରେ ଅଛନ୍ତି, ଆଠଗଡ଼, ଚୌଦ୍ବାରରେ ବିଜେଡି ନିଜ ଦଳର ଅସନ୍ତୁଷ୍ଟଙ୍କୁ ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି। ଏହି ବ୍ଲକ୍ରେ ୧,୨୭,୨୨୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସାଲେପୁର ନିର୍ବାଚନମଣ୍ଡଳୀ ଅଧୀନରେ ୧୪ଟି ପଞ୍ଚାୟତ ରହିଥିବାବେଳେ ଆଠଗଡ଼ ଓ ଚୌଦ୍ବାର-କଟକ ହାତରେ ହାତରେ ୫ଟି ଲେଖାଏ ପଞ୍ଚାୟତ ରହିଛି। ଟାଙ୍ଗୀ-ଚୌଦ୍ବାର ୧୦ ନମ୍ବର ଜୋନବଡସାମନ୍ତରାପୁର, ବ୍ରହ୍ମପୁର, ଗରୁଡ଼ଗାଁ, ମଙ୍ଗରାଜପୁର, ସଫା, ଶଙ୍କରପୁର, କରଞ୍ଜି, ମହିଷାଲଣ୍ଡା ଏହି ୮ଟି ପଞ୍ଚାୟତ ନେଇ ଆସନ ଗଠିତ। ଏହି ଜିଲ୍ଲାପରିଷଦ ଆସନରୁ ୩ଟି ପଞ୍ଚାୟତ ସାଲେପୁର ଓ ୫ଟି ଆଠଗଡ଼ ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଏହି ଅଞ୍ଚଳରେ ମନ୍ତ୍ରୀ ରାଜା ସ୍ବାଇଁଙ୍କ ଦବ୍ଦବା ଅଧିକ ରହିଥାଏ। ଗତ ନିର୍ବାଚନରେ ଏହି ଆସନ ଏସ୍ସି(ମହିଳା)ଙ୍କ ହାତରେ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ଏସ୍ଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।
ଫଳରେ ଏହି ଆସନରୁ ବିଜେଡିରୁ ବିଜୟୀ ହୋଇଥିବା ମଧୁସ୍ମିତା ସେଠୀ ପୁଣି ଥରେ ନିର୍ବାଚନ ଲଢିବାର ସୁଯୋଗ ନାହିଁ। ଏହି ଆସନରୁ ସବୁ ଦଳରୁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ। ଟାଙ୍ଗୀ-ଚୌଦ୍ବାର ୧୧ ନମ୍ବର ଜୋନ ଆଗ୍ରାହାଟ, ଇନ୍ଦ୍ରାଣୀପାଟଣା, ନଖରା, ଶାଳଗାଁ, ଉଚ୍ଚପଦା ଭଳି ୫ଟି ପଞ୍ଚାୟତକୁ ନେଇ ଗଠିତ। ଏହା ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀ ଅଧୀନରେ ଯାଉଛି। ଗତ ନିର୍ବାଚନରେ ଏହି ଆସନ ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ବିଜେଡିରୁ ବିଜୟୀ ହୋଇଥିବା ଶ୍ରୀଧର ରାଉଳ ଆଉ ନିର୍ବାଚନ ଲଢି ପାରିବେନି। ଏହି ଆସନରୁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ। ଟାଙ୍ଗୀ-ଚୌଦ୍ବାର୧୨ ନମ୍ବର ଜୋନ କହ୍ନେଇପୁର, କୋଟସାହି, ନଖରା, ଶାଳଗାଁ, ଉଚ୍ଚପଦା ଭଳି ୫ଟି ପଞ୍ଚାୟତକୁ ନେଇ ଏହି ଆସନ ଗଠିତ। ଗତ ନିର୍ବାଚନରେ ଏହି ଆସନ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏହା ଅସଂରକ୍ଷିତ ରହିଛି। ଏହି ଆସନରୁ ବିଜେଡିରୁ ବିଜୟୀ ହୋଇଥିବା ନଳୀନି ପ୍ରଭା ରାଉତଙ୍କ ପାଇଁ ଯଦିଓ ଲଢିବା ପାଇଁ ସୁଯୋଗ ରହିଛି, କିନ୍ତୁ ଦଳ ତାଙ୍କୁ କେତେ ସମର୍ଥନ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଟାଙ୍ଗୀ-ଚୌଦ୍ବାର ୧୩ ନମ୍ବର ଜୋନ ଭଟ୍ଟିମୁଣ୍ଡା, ଗୋବିନ୍ଦପୁର, ହରିଅନ୍ତା, ଜରିପଡ଼ା, ନପଙ୍ଗ, ମାଗୁରା ଧାନମଣ୍ଡଳ ଭଳି ୬ଟି ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଏହି ଆସନ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏହା ଅସଂରକ୍ଷିତ ରହିଛି। ଶାସକ ଦଳର ସସ୍ମିତା ସାହୁଙ୍କ ପାଇଁ ପୁଣି ସୁଯୋଗ ରହିଛି। କିନ୍ତୁ ଏହି ଆସନ ପାଇଁ ସବୁ ଦଳରେ ଅଶାୟୀଙ୍କ ସଂଖ୍ୟା ଅଧିକ ରହିଛି।
ଆଠଗଡ଼ ବ୍ଲକ୍ରେ ରହିଛି ୩୪ଟି ପଞ୍ଚାୟତ, ୩ଟି ଜିଲ୍ଲାପରିଷଦ ଆସନ ଓ ୪୮୬ଟି ୱାର୍ଡ। ଗତ ନିର୍ବାଚନରେ ସବୁ ଜିଲ୍ଲାପରିଷଦ ଆସନ ବିଜେଡି ଦଖଲରେ ରହିଥିଲା। ଜିଲ୍ଲାପରିଷଦ ଉପସଭାପତି ଆସନ ବି ଆଠଗଡ଼ ଭାଗରେ ପଡିଥିଲା। କିନ୍ତୁ ଚଳିତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନର କୌଣସି ଜିଲ୍ଲାପରିଷଦ ସଦସ୍ୟ ଆଉ ନିର୍ବାଚନ ଲଢିପାରିବେ ନାହିଁ। କିନ୍ତୁ ବିଜେଡିକୁ ଟକ୍କର ଦେଇ ବିଜେପି, କଂଗ୍ରେସ କୌଣସି ଆସନ ଛଡାଇ ଆଣିବା ଭଳି ସ୍ଥିତି ଏଯାଏ ସୃଷ୍ଟି ହୋଇ ନଥିବା ବେଳେ ବିଜେଡିର ଅସନ୍ତୁଷ୍ଟ ବି କେତେ ଚାଲେଞ୍ଜ ଦେଇ ପାରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ବ୍ଲକ୍ରେ ୧,୧୩, ୩୭୭ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଠଗଡ଼ ୧ ନମ୍ବର ଜୋନ ଆସନ ବଡଭୂଇଁ, ଦୋରଡ, ଇଚ୍ଛାପୁର, ଜେନାପଦାଦେଶ, ଯୋରନ୍ଦା, ଖୁଣ୍ଟକଟା, କୁଲାଇଲୋ, ସମସର୍ପୁର, ତରଡିଙ୍ଗ, ସିଠାଳୋ ଭଳି ୧୦ ଟି ପଞ୍ଚାୟତକୁ ନେଇ ଗଠିତ। ଏହି ଆସନ ଗତ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷିତ ରହିଥିଲା ତେବେ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଗତ ନିର୍ବାଚନରେ ବିଜେଡିରୁ ବିଜୟୀ ହୋଇଥିବା ସୁନିଲ ପରିଡା ଆଉ ଏହି ଆସନରୁ ଲଢି ପାରିବେନି। ଏହି ଆସନରୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଓ ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରାଙ୍କ ନାମ ଚର୍ଚ୍ଚାରରେ ରହିଥିବାବେଳେ ଜିଲ୍ଲା ପରିଷଦ ଉପସଭାପତି ସୁନିଲ ପରିଡାଙ୍କ ପତ୍ନୀ ମଧ୍ୟ ଲବିରେ ରହିଛନ୍ତି।
ଆଠଗଡ଼ ୨ ନମ୍ବର ଜୋନ ଛଅଗାଁ, ଗୋବରା, ଗୁରୁଡ଼ିଝାଟିଆ, କଣ୍ଡରେଇ, ରାଧାକୃଷ୍ଣପୁର, ଖୁଣ୍ଟୁଣୀ, କମାରପୁର, ଓରନ୍ଦା, କୁସପଙ୍ଗି, ରାଧାକିଶୋରପୁର, ଡାଳଭାଗ, ଭୋଗୋରା ଆଦି ୧୨ଟି ପଞ୍ଚାୟତକୁ ନେଇ ଗଠିତ। ଗତନିର୍ବାଚନରେ ଏହି ଆସନ ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଏହା ଏସ୍ସି ମହିଳାଙ୍କୁ ପାଇଁ ସଂରକ୍ଷିତ ରହିଛି। ଫଳରେ ବିଜେଡିରୁ ବିଜୟୀ ହୋଇଥିବା କେଶବ ଚନ୍ଦ୍ର ଦଲାଇ ଏହି ଆସନରୁ ଆଉ ଛିଡା ହୋଇପାରିବେନି। ସରପଞ୍ଚ ମୀନତି ଗାଇରାଇ ଏହି ଆସନରୁ ଛିଡା ହେବା ନେଇ ଚର୍ଚ୍ଚା ହେଉଛି। ଆଠଗଡ଼ ୩ ନମ୍ବର ଜୋନ ଧାଇପୁର, ରାଧାଗୋବିନ୍ଦପୁର, ଧୁରୁସିଆ, ଅନନ୍ତପୁର, କନ୍ଦରପୁର, କଟକକିଆ ସାହି, ମହାକାଳବସ୍ତ, ମଞ୍ଚେଶ୍ବର, ମେଘା, ରାଜନଗର, ବେଣ୍ଟପଦା, ଘଣ୍ଟିଖାଲ ଭଳି ୧୨ଟି ପଞ୍ଚାୟତକୁ ନେଇ ଏହା ଗଠିତ। ଗତ ନିର୍ବାଚନରେ ଏସ୍ସି(ମହିଳା)ଙ୍କ ପାଇଁ ଏହି ଆସନ ସଂରକ୍ଷିତ ରହିଥିବାବେଳେ ଚଳିତ ନିର୍ବାଚନରେ ଅସଂରକ୍ଷିତ ରହିଥିବାରୁ ମାଳ ମାଳ ଆଶାୟୀ ରହିଛନ୍ତି। ଏହି ଆସନ ଗତ ନିର୍ବାଚନରେ ବିଜେଡି ହାତରେ ଥିଲା ଓ ଜାନକୀଲତା ନାଏକ ବିଜୟୀ ହୋଇଥିଲେ। ଏହି ଆସନରୁ ଜଣେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜେଡିରୁ ଲଢିବାକୁ ନେି ଚର୍ଚ୍ଚା ହେଉଛି।
ବାଙ୍କୀ-ଡମପଡା ବ୍ଲକ୍ରେ ରହିଛି ୧୭ଟି ପଞ୍ଚାୟତ, ୨ଟି ଜିଲ୍ଲାପରିଷଦ ଆସନ ଓ ୨୬୨ଟି ୱାର୍ଡ। ଗତ ନିର୍ବାଚନରେ ସବୁ ଜିଲ୍ଲାପରିଷଦ ଆସନ ବିଜେଡି ଦଖଲରେ ରହିଥିଲା। ଚଳିତ ନିର୍ବାଚନ ପାଇଁ କିଏ କେଉଁ ଦଳର ପ୍ରାର୍ଥୀ ହେବ ସେ ନେଇ ଆଶାୟୀଙ୍କ ମହଲରେ ସସ୍ପେନ୍ସ ଜାରି ରହିଛି। ଯଦିଓ ଶାସକ ଦଳରେ ଅଶାୟୀଙ୍କ ସଂଖ୍ୟା ଅଧିକ ରହିଛି ସେହି ଅନୁଯାୟୀ ଅସନ୍ତୁଷ୍ଟ ବି ଅଧିକ ରହିଛନ୍ତି। କିନ୍ତୁ ଯେହେତୁ କଂଗ୍ରେସ ଓ ବିଜେପି ଗତ ନିର୍ବାଚନରେ ତାଙ୍କ ଖାତା ଖୋଲି ପାରି ନଥିଲେ ତେଣୁ କେମିତି ଚଳିତ ନିର୍ବାଚନରେ ଖାତା ଖୋଲିବେ ତାହା ଉଭୟ ଦଳର ଓ ନେତାଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ହୋଇଛି। କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ବିଜେପିର ୩-୩ ଜଣ ନେତା ଅଞ୍ଚଳରେ ପତିଆରା ପାଇଁ କସରତ କରୁଥିବା ବେଳେ ସେମାନେ କେତେ ସଫଳ ହେବେ, ତାହା ହୁଏତ ଏବେଠୁ କହିବା କଷ୍ଟ ହେବ। ଏହି ବ୍ଲକ୍ରେ ୭୬, ୬୭୩ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।