ଗରଦପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପରିବେଶ ଏବେ ସରଗରମ। ଗରଦପୁର ବ୍ଲକ୍ର ତିନୋଟି ଜିଲ୍ଲା ପରିଷଦ ଜୋନ୍ ହାତେଇବାକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଅଣ୍ଟା ଭିଡ଼ିଛନ୍ତି। ଏପଟେ ଏହି ୩ ଜୋନ୍ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଗତକାଲିଠାରୁ ତଳକୁସୁମାସ୍ଥିତ ବାସଭବନରେ ବିଜୟ ଡ଼େରା ପକାଇଛନ୍ତି। ବିଜୟଙ୍କ ଦୁଇଦିନିଆ ରହଣି ତାଙ୍କ ସହଶ୍ରାଧିକ ଅନୁଗତଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ଜିଲ୍ଲା ପରିଷଦ ପାଇଁ ଦଳୀୟ ଟିକଟ ଆବଣ୍ଟନ ବେଳେ ବିଜୟ ଦଳୀୟ ପ୍ରଚାରରୁ ଦୂରେଇ ରହିବେ ବୋଲି ଘୋଷଣା କରି ଯଥେଷ୍ଟ ନିରବତା ଅବଲମ୍ବନ କରିଥିଲେ। ଏବେ ଏଠାରେ ବିଜୟଙ୍କ ରହଣି ସମୟରେ ବିଭିନ୍ନ ପଂଚାୟତରୁ ତାଙ୍କ ଅନୁଗତ, କର୍ମୀ ଓ ଶୁଭେଛୁମାନେ ତାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ସାମ୍ବାଦିକମାନେ ମଧ୍ୟ ତାଙ୍କୁ ଭେଟିଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ କୌଣସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାରରେ ଯିବେନାହିଁ ବୋଲି ଆଜି ବି ସ୍ପଷ୍ଟ କରିଛନ୍ତି। କେବଳ ଯେଉଁ ଯେଉଁ ସ୍ଥାନରେ ତାଙ୍କ ଅନୁଗତ କର୍ମୀ ସ୍ବାଧୀନ ଭାବେ ଲଢୁଛନ୍ତି ସେମାନଙ୍କ ସପକ୍ଷରେ କହିବେ ବୋଲି ସୂଚନା ଦେଇଛନ୍ତି। ଗରଦପୁର ବ୍ଲକ୍ରେ ୯, ୧୦ ଓ ୧୧ ନଂ. ଜିଲ୍ଲା ପରିଷଦ ଜୋନ୍ ରହିଛି। ଏଥର ନିର୍ବାଚନରେ ବିଜୟଙ୍କ ନିରବତା ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଆଶା ସଂଚାର କରିଥିବାବେଳେ ବିଜେପି ପାଇଁ ଆଶଙ୍କା ସୃଷ୍ଟି କରିଛି। ଅଧିକନ୍ତୁ ୯ ନଂ. ଜୋନ୍ର ବିଜେପି ପ୍ରାର୍ଥୀ ସୁଦୀପ୍ତା ପ୍ରଧାନ, ୧୦ ନଂ. ଜୋନ୍ର ରଂଜିତ ଆଚାର୍ଯ୍ୟ ଓ ୧୧ ନଂ. ଜୋନ୍ର ଡ଼ଲି ଶତପଥୀ ନିଜନିଜର ବ୍ୟାନରରେ ବିଜୟଙ୍କ ଫଟୋ ଛାପି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ହେଲେ, ବିଜୟଙ୍କ ନିରବତା ସେମାନଙ୍କୁ ଆଶଙ୍କା ଓ ହତାଶ ଭିତରକୁ ଠେଲି ଦେଇଛି। ଅପରପକ୍ଷରେ ବିଜୟଙ୍କ ଅନୁଗତମାନଙ୍କୁ ନିଜ ସପକ୍ଷରେ ନେବାକୁ ବିଜେଡ଼ି, କଂଗ୍ରେସ ସମେତ ବିଜେପି ମଧ୍ୟ କସରତ ଚଳାଇଛି। ୯ ନଂ. ଜୋନ୍ରେ ବିଜେଡ଼ିର ଏଲିଜା ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି।
ସେହିପରି ୧୦ ନଂ. ଜୋନ୍ରେ ବିଜେଡ଼ିର ସତ୍ୟାନନ୍ଦ ରାଉତ ଓ ୧୧ ନଂ. ଜୋନ୍ରେ ବିଜେଡ଼ିର ମଂଜୁବାଳା ଜେନା ଛିଡ଼ା ହୋଇଛନ୍ତି। ୯ ନଂ. ଜୋନ୍ରେ କଂଗ୍ରେସର ପୁଷ୍ପାଜଂଳି ନାୟକ, ୧୦ ନଂ. ଜୋନ୍ରେ ସୁବାସ ଚନ୍ଦ୍ର ସାମଲ ଓ ୧୧ ନଂ. ଜୋନ୍ରେ ଅନ୍ନପୂର୍ଣ୍ଣା ପୃଷ୍ଟି ପ୍ରାର୍ଥୀ ହୋଇଛନ୍ତି। ବିଜେଡ଼ି ସେନାପତି ଭାବେ ବିଧାୟିକା ସାବିତ୍ରୀ ଅଗ୍ରୱାଲ, ତାଙ୍କ ପୁତ୍ର ସଂଜୟ ଅଗ୍ରୱାଲଙ୍କ ସମେତ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ନେତୃତ୍ବ ନେଇ ଦଳରେ ଥିବା ଅସନ୍ତାଷକୁ ପ୍ରଶମିତ କରିବା ସହିତ ଦଳର ଭୋଟ ଏକତ୍ରୀକରଣରେ ଦିନରାତି ଏକ୍ କରି ଦେଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ହାସଲ ପାଇଁ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଦଳୀୟ କର୍ମୀମାନଙ୍କୁ ଏକଜୁଟ୍ କରି ତୃଣମୂଳସ୍ତରରୁ କଂଗ୍ରେସର ପାରମ୍ପରିକ ଭୋଟ୍ ସଜାଡ଼ିବା ସହିତ ନିର୍ବାଚନ ରଣକୌଶଳକୁ ଆଗେଇ ନେବାରେ ଲାଗିପଡ଼ିଛନ୍ତି। ସେପଟେ ଗରଦପୁର ବ୍ଲକ୍ରେ ବିଜେପି ବିଜୟଙ୍କ ବିହୁନରେ ଏକପ୍ରକାର ନେତୃତ୍ବଶୂନ୍ୟ ହୋଇ ପଡ଼ିଛି। ନିର୍ବାଚନ ପ୍ରଚାର ଅଭିଯାନ ସମୟ ଅଧା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦଳକୁ ସଂଗଠିତ କରିବା ପାଇଁ କେହି ଉପସ୍ଥିତ ହେବା ବା ଆଖିଦୃଶିଆ ବୈଠକ କରିବା ଦେଖାଯାଉନାହିଁ। କେବଳ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ତା ନିର୍ବାଚନ ରଣକୌଶଳ ନିର୍ଦ୍ଧାରଣ କରି ପ୍ରାର୍ଥୀମାନଙ୍କୁ ପ୍ରଚାର ଅଭିଯାନରେ ଆଗେଇ ଯିବା ପାଇଁ ଭରସା ଦେଉଥିବା ଶୁଣାଯାଉଛି। ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ବିକ୍ରମ ରାଉତ ବିଜେପି ସପକ୍ଷରେ ବୁଲି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କହୁଛନ୍ତି। ଏସବୁ ମଧ୍ୟରେ ବିଜୟଙ୍କ ଅନୁଗତ ଜିଲ୍ଲା ପରିଷଦ ଭୋଟରେ କୁଆେଡ଼ ଢଳିବେ ତାକୁ ନେଇ ରାଜନୀତି ଅଙ୍କ କଷା ଚାଲିଛି।
ଗରଦପୁର ବ୍ଲକ୍ରେ ବିଜୟଙ୍କ ଅନୁଗତ ଭାବରେ ଆଗଧାଡ଼ିରେ ମହିଳା ନେତ୍ରୀ ଅହଲ୍ୟା ଲେଙ୍କା, ପ୍ରସନ୍ନ କୁମାର ପଣ୍ତା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଫୁଲ ସିଂ, ପୂର୍ବତନ ସରପଂଚ ବିଭୁ ପ୍ରସାଦ ପରିଡ଼ା, ବିଜୟଙ୍କ ସହଯୋଗୀ କ୍ଷିତିଶ ଚନ୍ଦ୍ର ଦାସ, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଉମେଶ ଚନ୍ଦ୍ର ସାମନ୍ତସିଂହାର, ପ୍ରୀତିଶ ମହାପାତ୍ର, କାବୁଲା ସାର୍, ଅଧିର କୁମାର ପଣ୍ତା, ତିର୍ଥାନନ୍ଦ ସ୍ବାଇଁ, ଫକୀର ଚନ୍ଦ୍ର ବେହେରା, ଦେବେନ୍ଦ୍ର ପଣ୍ତା, ଗୋଲେଖ ସ୍ବାଇଁ, ପ୍ରତାପ ସ୍ବାଇଁ, ଅବନୀ ମହାପାତ୍ର, ଶଶୀକାନ୍ତ ଦଳେଇଙ୍କ ସମେତ ବିଭିନ୍ନ ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ଭାବେ ଲଢୁଥିବା ବହୁ ଅନୁଗତ ରହିଛନ୍ତି। ଭୋଟରମାନଙ୍କ ଉପରେ ବିଜୟ ଓ ବିଜୟଙ୍କ ଅନୁଗତମାନଙ୍କ ଯଥେଷ୍ଟ ପ୍ରଭାବ ରହିଛି। ଗତ ବିଧାନସଭା ନିର୍ବାଚନରେ ଶାସକ ଦଳର ଷଣ୍ଢୁଆସି ଆକ୍ରମଣ ପରେ ମଧ୍ୟ ବିଜୟଙ୍କୁ ଗରଦପୁର ବ୍ଲକ୍ରେ ଆଖିଦୃଶିଆ ଭୋଟ ମିଳିଥିଲା। ବିଜେଡ଼ି ପ୍ରାର୍ଥୀଙ୍କଠାରୁ ମାତ୍ର ୨୫୦୦ କମ୍ ଭୋଟ ବ୍ୟବଧାନ ରହିଥିଲା। ଅଧିକନ୍ତୁ ଗତ ୨୦୧୭ ପଂଚାୟତ ନିର୍ବାଚନରେ ୯ ଓ ୧୧ ନମ୍ବର ଜୋନ୍ରେ ବିଜୟ ଅନୁଗତ ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ଭୋଟ୍ରେ ବିଜୟୀ ହୋଇଥିଲେ। କେବଳ ୧୦ ନମ୍ବର ଜୋନ୍ରେ ବିଜେଡ଼ି ପ୍ରାର୍ଥୀ ମାତ୍ର ୨୫୦ ଖଣ୍ତ ଭୋଟ୍ ପାଇ ବିଜୟୀ ହୋଇଥିଲୋ ଏଥିରୁ ସ୍ପଷ୍ଟ ଯେ ଗରଦପୁର ବ୍ଲକ୍ରେ ବିଜୟଙ୍କ ପ୍ରଭାବ ଓ ଭୋଟରଙ୍କ ଉପରେ ଦବଦବା ଆଜି ସୁଦ୍ଧା ଜାରି ରହିଛି। ତେଣୁ ଜିଲ୍ଲା ପରିଷଦ ଜୋନ୍ରେ ବିଜୟଙ୍କ ନିରବତାରୁ ଫାଇବା ଉଠାଇବା ପାଇଁ କଂଗ୍ରେସ ଅପେକ୍ଷା ବିଜେଡ଼ିର ପ୍ରୟାସ ଆଗରେ ଅଛି।