୯ ନମ୍ବର ଜୋନ୍‌, ଏଥର ଶଙ୍ଖ ବାଜିବ କି?

ଗରଦପୁର: ପ୍ରତିଥର ଭଳି ଏଥର ବି ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌କୁ ନେଇ ଚର୍ଚ୍ଚା। ଗତ ତିନି ତିନିଟି ନିର୍ବାଚନରେ ବିଜେଡ଼ି ଏହି ଜୋନ୍‌ ହାତେଇ ପାରିନାହିଁ। ଗତ ୨୦ ବର୍ଷ ଧରି ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ବାଜିମାତ କରୁଛନ୍ତି। ଗଲା ୪ଟି ନିର୍ବାଚନରେ ଦଳର ଫଳାଫଳ ବି ଉତ୍ସାହଜନକ ରହିଛି। ବିଗତ ୧୫ ବର୍ଷରେ ହୋଇଥିବା ତିନୋଟି ପଂଚାୟତ ନିର୍ବାଚନରେ ଏହି ଜୋନ୍‌ରେ କିନ୍ତୁ ଶଙ୍ଖ ବାଜି ପାରିନାହିଁ। ଏଥର ସ୍ଥିତି ଅଲଗା। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନିରବତାରୁ ଏଥର ବିଜେଡି ଫାଇଦା ଉଠାଇବାକୁ ଆଶା ବାନ୍ଧିଛି।

ସୂଚନା ଅନୁସାରେ, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘର ଏହି ଜୋନ୍‌ରେ। ଏହି ଜୋନ୍‌ର ଭୋଟରଙ୍କ ଉପରେ ବିଜୟଙ୍କ କିମିଆ କାମ କରି ଆସିଛି। ବିଜୟଙ୍କ ପତିଆରା ଯୋଗୁ ଏହି ଜୋନ୍‌ରୁ ୨୦୦୭ ପଂଚାୟତ ନିର୍ବାଚନରେ ଓଜିପିରୁ କମଳଲୋଚନ ସେଠୀ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜୟ ବିଜେପିରେ ଯୋଗଦେବାରୁ ୨୦୧୨ ନିର୍ବାଚନରେ ବିଜେପିରୁ ରେବତୀ ଶତପଥୀ ଓ ୨୦୧୭ରେ ବିଜେପିରୁ ସନ୍ତୋଷ ଜେନା ନିର୍ବାଚିତ ହୋଇଥିଲେ। ଏହି ଜୋନ୍‌ର ନିର୍ବାଚନ ଗଣିତ ଚଳିତ ନିର୍ବାଚନରେ ବଦଳିବ ବୋଲି ରାଜନୈତିକ ମହଲ ବିଚାରୁଛି। କାରଣ ବିଜୟ ମହାପାତ୍ର ଚଳିତ ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନରେ ଅଂଶଗ୍ରହଣ କରିନାହାନ୍ତି। ଏଥର ନିର୍ବାଚନରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରି ଆସିଛନ୍ତି। ଏହା ବିଜେଡ଼ିକୁ ସୁହାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଜୋନ୍‌ର ଭୋଟରଙ୍କ ଉପରେ ବିଜୟଙ୍କ ଯଥେଷ୍ଟ ଦବଦବା ରହିଥିବାରୁ ତାଙ୍କ ଇସାରା ପାଇଁ ତାଙ୍କ ଅନୁଗତ ଓ ଶୁଭେଛୁମାନେ ଅପେକ୍ଷା କରି ରହିଛନ୍ତି।

ଅନ୍ୟପଟେ ଏବେ ଏଠାରେ ପ୍ରଚାର ଜୋରସୋରରେ ଆଗେଇ ଚାଲିଛି। ବିଜେପି ପ୍ରାର୍ଥୀ ପ୍ରଚାର ଚଳାଇ ଥିଲେ ମଧ୍ୟ ବିଜୟ ଅନୁଗତଙ୍କ ମନ ଜିଣିବାରେ ସକ୍ଷମ ହେଉନଥିବା ଦେଖାଯାଉଛି। ଅପରପକ୍ଷରେ ବିଜେଡ଼ିର ଏଲିଜା ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଥା ତୃଣମୂଳସ୍ତରରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଶ୍ରୀମତୀ ସ୍ବାଇଁଙ୍କ ସ୍ବାମୀ ଅମିୟ ରଂଜନ ସ୍ବାଇଁ ଗତ ନିର୍ବାଚନରେ ବିଜେଡ଼ିରୁ ଜିଲ୍ଲ ପରିଷଦ ପ୍ରାର୍ଥୀ ହୋଇଥିଲେ। ଶ୍ରୀ ସ୍ବାଇଁ ମାତ୍ର ୨୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର ବିଜେଡ଼ି ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ସର୍ବୋପରି ବିଜୟଙ୍କ ନୀରବତାରୁ ଫାଇଦା ଉଠାଇ ବିଜେଡ଼ି ଚଳିତ ନିର୍ବାଚନରେ ଖାତା ଖୋଲିବାକୁ କସରତ ଜାରି ରଖିଛି। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ସୁଦିପ୍ତା ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି। କଂଗ୍ରେସର ପୁଷ୍ପାଜଂଳି ନାୟକ ବିଭିନ୍ନ ପଂଚାୟତରେ ଥିବା କଂଗ୍ରେସର ପାରମ୍ପରିକ ଭୋଟକୁ ପାଥେୟ କରିଛନ୍ତି। ସେ ବିଜେପି ଓ ବିଜେଡି ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ମଧ୍ୟ ପ୍ରସଙ୍ଗ କରିଛନ୍ତି।

ଉଲ୍ଲେଖନୀୟ, ଏହି ଜୋନ୍‌ରେ ବନ୍ତଳା, ତଳକୁସୁମା, ତେଣ୍ଡାକୁଡ଼ା, ପଳସୁଧା, ବଡ଼ବେତ୍ରା ଓ ମଧୁଶାସନ ପଂଚାୟତ ରହିଛି। ମୋଟ ୯୧ଟି ବୁଥ୍‌ ସହିତ ଭୋଟର ସଂଖ୍ୟା ୩୦ ହଜାର ୯୧୦। ଜୋନ୍‌ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନ୍‌ର ବନ୍ତଳା, ତଳକୁସୁମା, ପଳସୁଧା ଓ ତେଣ୍ଡାକୁଡ଼ା ପଂଚାୟତରେ ଶତକଡ଼ା ୨୫ ଭାଗ ଭୋଟର ସଂଖ୍ୟାଲଘୁ ସଂପ୍ରଦାୟର। ସଂଖ୍ୟାଲଘୁ ଭୋଟରଙ୍କୁ ଆପଣେଇବା ଓ ବିଜୟ ଅନୁଗତଙ୍କ ମନ ଜିଣିଲେ ନିର୍ବାଚନ ଜିତିବା ସହଜ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର