ରଘୁନାଥପୁର ବ୍ଲକ୍‌ରେ ପ୍ରଚାର ଶେଷ, ଧରାଧରପୁରରେ ରୋଚକ ଲଢ଼େଇ, ଅଡ଼ୁଆରେ ଦେବାଶିଷ !

ଗୋପାଳପୁର: ରଘୁନାଥପୁର ବ୍ଳକ ୧୯ ଟି ପଞ୍ଚାୟତ ପାଇଁ ଆସନ୍ତା ୨୨ ତାରିଖ ମଙ୍ଗଳବାର ମତଦାନ ହେବ। ତେଣୁ ଆଜି ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ରାତିରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଅନ୍ଧାରି ବିଜେରେ ମାତିଛନ୍ତି। ଗତ କିଛି ଦିନ ହେଲା କୋଭିଡ୍‌ ନିୟମ ଏପରିକି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ପୂର୍ବକ ସଂଖ୍ୟାଧିକ ଲୋକ, ବାଇକ୍‌ ଶୋଭାଯାତ୍ରା ଓ କଟୁଶବ୍ଦଯୁକ୍ତ ମାଇକ୍‌ ସାଉଣ୍ଡରେ ଅଞ୍ଚଳ କମ୍ପୁଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ଏହି ଅଞ୍ଚଳ ଗସ୍ତ କରିଥିଲେ ହେଁ ଗୋଟିଏ ହେଲେ ମାମଲା ରୁଜୁ କରିନାହାନ୍ତି। ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବହୁଳ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ଏହି ବ୍ଲକ୍‌ର ଧରାଧରପୁର ପଞ୍ଚାୟତରେ ଲଢ଼େଇ ଜୋରଦାର ହେବା ସହ ବେଶ୍‌ ରୋଚକ ସ୍ଥିତିରେ ରହିଛି। ରଘୁନାଥପୁର ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ଏଠାରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପଞ୍ଚାୟତର ପୁଅ ତଥା ସମାଜସେବୀ ସରିତ ମହାପାତ୍ର। କେବଳ ସରିତ ନୁହନ୍ତି ସୂର୍ଯ୍ୟକାନ୍ତ ମଲ୍ଲିକ, ସୁକାନ୍ତ ସାହୁ, ଶୁଭେନ୍ଦୁ ଦାସ, ଯୁଗଳ ମଲ୍ଲିକ, ପ୍ରଶାନ୍ତ ବାରିକ ମଧ୍ୟ ସମିତିସଭ୍ୟ ପଦ ପାଇଁ ଲଢ଼ୁଛନ୍ତି।

ତେବେ ୭ ଜଣ ପ୍ରାର୍ଥୀ ଥିଲେ ହେଁ ସରିତଙ୍କ ଆଡ଼ୁ ଦେବାଶିଷ କଡ଼ାମୁକାବିଲାର ସାମ୍ନା କରୁଛନ୍ତି। ସରିତ ଲୋକଙ୍କ ସୁଖଦୁଃଖରେ ସାଥୀ ହେବାସହ କୋଭିଡ୍‌ରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ଶବଦାହ କରିବା, ଦୈବୀ ଦୁର୍ବିପାକରେ ଦୁଃଖୀରଙ୍କିଙ୍କ ପାଖରେ ରିଲିଫ୍‌ ପହଞ୍ଚାଇବା, ମେଡିକାଲ ସେବାରେ ନିଜକୁ ନିୟୋଜିତ କରିଥିବାରୁ ତାଙ୍କ ପ୍ରତି ପଞ୍ଚାୟତରୁ ଯୁବଗୋଷ୍ଠୀ ସମର୍ଥନ ଦେଇ ପୂରା ଦମ୍‌ରେ ଲାଗିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଲା ବିଜେଡିର ଏକ ବିପକ୍ଷ ଗୋଷ୍ଠୀ ଦେବାଶିଷଙ୍କ ପଛରୁ ଛୁରିକା ଘାତ ପାଇଁ ପ୍ରସ୍ତୁତ ଥିବାରୁ ସେ ଅଡ଼ୁଆରେ ପଡ଼ି ପାରନ୍ତି ବୋଲି ଆଲୋଚନା ହେଉଛି। ରାଜନୀତି ଗୋଟିଚାଳନାରେ ସିଦ୍ଧହସ୍ତ ଦେବାଶିଷ ଆଗାମୀ ଦିନରେ ଏହାକୁ କିପରି ମୁକାବିଲା କରିବେ ତାହା ଦେଖିବା ବାକି ରହିଛି। ସେହିପରି ଧରାଧରପୁରରୁ ମମତା ସ୍ବାଇଁ, ମାତାଜି ନାୟକ, ନଳିନୀପ୍ରଭା ମୁଦୁଲି, ସୁସନ୍ତିକା ପରିଡା, ଜୟଶ୍ରୀ ଦାସ, ସସ୍ମିତା ମଲ୍ଲିକ ପ୍ରମୁଖ ୬ ଜଣ ସରପଞ୍ଚି ପଦରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧିତ ଖବର