ଜଗତସିଂହପୁର: ନାମାଙ୍କନ ପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଦିନେ ଦୁଇ ଦିନ ଭିତ‌ରେ ନିର୍ବାଚନ ଲଢ଼ିବା ପାଇଁ ପ୍ର‌ାର୍ଥୀମାନଙ୍କ ଚିହ୍ନ ଆସିଯିବ। ମାତ୍ର ଏବେ ଗାଁ ଗାଁରେ ନିର୍ବାଚନୀ ବାତାବରଣ ବେଶ୍ ଉଷ୍ମ ହେଉଛି। ସମସ୍ତଙ୍କ ନଜର ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ଉପରେ। ଯେଉଁ ବ୍ଲକରେ ଦଳ ଭିତରେ ଅଧିକ କନ୍ଦଳ ରହିଛି, ସେଇଠି ଅଧିକ ସଂଖ୍ୟାରେ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ବାଲିକୁଦା, ଜଗତସିଂହପୁର ଓ ତିର୍ତ୍ତୋଲ ବ୍ଲକରେ ପ୍ରାର୍ଥୀମାନଙ୍କ ସଂଖ୍ୟା ଅଧିକ। ବାଲିକୁଦା ବ୍ଲକରେ ସର୍ବାଧିକ ୧୦୦୬ ଜଣ ୱାର୍ଡସଭ୍ୟ ପାଇଁ ଲଢ଼ୁଥିବା ଜଣାପଡ଼ିଛି। ଚଳିତଥର ୱାର୍ଡସଭ୍ୟ ପାଇଁ ଜିଲ୍ଲାରେ ମୋଟ୍ ୬,୨୬୮ ଜଣ, ସରପଞ୍ଚ ପଦବିରେ ୯୩୪ ଜଣ, ସମିତିସଭ୍ୟ ପାଇଁ ୭୪୪ ଜଣ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୧୦୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଜିଲ୍ଲା ପରିଷଦ ‌ପାଇଁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଉଭୟ ବାଲିକୁଦା ଓ ଏରସମା ବ୍ଲକରେ ୪ଟି ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ରହିଛି। ଏହି ଦୁଇଟି ଜୋନ୍‌ରେ ୧୯ ଜଣ ଲେଖାଏଁ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସମସ୍ତଙ୍କର ନାମାଙ୍କନ ପତ୍ର କାଏମ୍‌ ରହିଛି। ଏରସମାରେ ୨୫ଟି ପଞ୍ଚାୟତ ପାଇଁ ୧୨୫ ଜଣ ସରପଞ୍ଚ, ୯୮ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ି‌ବେ। ବାଲିକୁଦା ବ୍ଲକରେ ୩୦ ପଞ୍ଚାୟତ ପାଇଁ ୧୩୭ ଜଣ ସରପଞ୍ଚ ଓ ୧୧୭ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ି‌ବେ।

Advertisment

ଜଗତସିଂହପୁର ବ୍ଲକ‌ରେ ୪ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୧୬ ଜଣ, ୩୦ ପଞ୍ଚାୟତରେ ୧୦୨ ସମିତି ସଭ୍ୟ ଓ ୧୩୧ ଜଣ ସରପଞ୍ଚ ନିର୍ବାଚନ ଲଢ଼ୁଛନ୍ତି। ତିର୍ତ୍ତୋଲ ବ୍ଲକରେ ୪ ଜିଲ୍ଲା ପରିଷଦ ଜୋନ ପାଇଁ ୧୫ ଜଣ, ୨୯ ପଞ୍ଚାୟତରେ ୧୧୨ ସମିତି ସଭ୍ୟ ଓ ୧୪୮ ଜଣ ସରପଞ୍ଚ ନିର୍ବାଚନ ଲଢ଼ୁଛନ୍ତି। ବିରିଡ଼ି ବ୍ଲକରେ ୨ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୧୦ ଜଣ, ୨୧ ପଞ୍ଚାୟତରେ ୭୧ ସମିତିସଭ୍ୟ ଓ ୮୦ ଜଣ ସରପଞ୍ଚ ନିର୍ବାଚନ ଲଢ଼ୁଛନ୍ତି। ରଘୁନାଥପୁର ବ୍ଲକରେ ୨ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୭ ଜଣ, ୧୬ ପଞ୍ଚାୟତରେ ୭୬ ସମିତି ସଭ୍ୟ ଓ ୧୦୧ ଜଣ ସରପଞ୍ଚ ନିର୍ବାଚନ ଲଢ଼ୁଛନ୍ତି। ପ୍ରାର୍ଥୀ ଅଧିକ ଥିବା ଏହି ବ୍ଲକ ଗୁଡ଼ିକରେ ବିଜେଡିର କନ୍ଦଳ ସର୍ବାଧିକ ରହିଛି। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ‌ରେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସଂଗଠନ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ଅଧିକାଂଶ ପଞ୍ଚାୟତରେ ମନ୍ତ୍ରୀ ଦେଇଥିବା ପ୍ରାର୍ଥୀମାନଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେଡିରୁ ଜଣେ ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲରେ ବିଧାୟକ ବିଜୟ ଶଙ୍କର ଦାସ ଓ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ବିରୋଧରେ କନ୍ଦଳ ଏତେ ତୀବ୍ର ହୋଇଛି ଯେ, ଏବେ ଗାଁ ଗାଁରେ ଏହି ଦୁଇ ସଂଗଠନ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଦୁଇ ଦଳରୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେଉଛି। ଜିଲ୍ଲାରେ ବିରୋଧୀ ବିଜେପି ଓ କଂଗ୍ରେସର ସଂଗଠନ ସେତେଟା ସୁଦୃଢ଼ ନଥିବା ବେଳେ ବିଜେଡି ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।