ଜଗତସିଂହପୁର: ଏବେ ସବୁଠି ପଞ୍ଚାୟତ ନିର୍ବାଚନର ତାତି। ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀଙ୍କୁ ନେଇ ଉତ୍କଣ୍ଠା। ବିଶେଷ କରି ଜିଲ୍ଲା ପରିଷଦ ଆସନରେ ସମସ୍ତ ୨୬ଟା ଯାକ ଜୋନ୍ରେ ବିଜେଡି ବାଜିମାତ୍ କରିପାରିବ କି ନାହିଁ, ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି। ଗତ ଥର ଦଳକୁ ୪ଟି ଜୋନ୍ରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏଥର କିନ୍ତୁ ସମସ୍ତ ଜୋନ୍ରେ ବାଜିମାତ କରିବାକୁ ଦଳ ପ୍ରୟାସ ଆରମ୍ଭ କରିଛି। ଅନ୍ୟପଟେ ବିରୋଧୀ ମଧ୍ୟ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ।
ଗତ ଥର ବିଜେଡି ପାରାଦୀପ ନିର୍ବାଚନମଣ୍ଡଳୀର କୁଜଙ୍ଗ ବ୍ଲକ ୩ ଓ ୪ ଦୁଇଟି ଜୋନରେ ହାରିଥିଲା। କୁଜଙ୍ଗ-୩ ଅଧୀନରେ ବାଲିଆ, ଗଣ୍ଡକିପୁର, ଗୋପିଆକୁଦ, କୁଜଙ୍ଗ, ମଙ୍ଗରାଜପୁର ଓ ଫତେପୁର ୬ଟି ପଞ୍ଚାୟତ ରହିଛି। ସେହିପରି କୁଜଙ୍ଗ-୪ ଜୋନରେ ବଗଦିଆ, ଭୂତମୁଣ୍ଡାଇ, ବିଶ୍ବାଳି, ନୂଆଗଡ଼, ପାରାଦୀପଗଡ଼ ଓ କୋଠିକୁ ମିଶାଇ ମଧ୍ୟ ୬ଟି ପଞ୍ଚାୟତ ରହିଛି। ଏହି ୧୨ଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ପାଇଁ ଲଢ଼ୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଏଥର ମଧ୍ୟ ବିଜେପି କଡ଼ା ଟକ୍କର ଦେଉଛି। ସବୁଠି ପ୍ରାୟ ଦ୍ବିମୁଖୀ ଲଢ଼େଇ ହେବ ବୋଲି ଆଶା କରାଯାଉଛି। ମାତ୍ର କଂଗ୍ରେସର ଭୋଟ କେଉଁ ଦଳକୁ ଯାଉଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି। କଂଗ୍ରେସ ଏଥର ହାତ ଗଣତି କେତୋଟି ପଞ୍ଚାୟତକୁ ବାଦ୍ ଦେଲେ ଅନ୍ୟ କେଉଁଠି ପ୍ରାର୍ଥୀ ଦେଇ ନାହିଁ। ସେଥିପାଇଁ ଦଳର ଭୋଟ ଯେଉଁ ପଟକୁ ଯିବ, ସେ ଫାଇଦାରେ ରହିବ। ଗତ ଥର ବାଲିକୁଦା ବ୍ଲକ ଜୋନ୍- ୧ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ସେଠାରେ ମଧ୍ୟ ଘଡ଼ିକେ ଘୋଡ଼ା ଛୁଟୁଛି। ସେଠାରେ ତ୍ରମୁଖୀ ପ୍ରତିଦ୍ବନ୍ଦ୍ବିତା ସ୍ପଷ୍ଟ। କିନ୍ତୁ କଂଗ୍ରେସ୍ ପୂର୍ବଥରର ଫାଇଦା ପାଇଁ ଚାହିଁ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଭରସାରେ।
ଏହି ଜୋନ ଅଧୀନରେ ୭ ପଞ୍ଚାୟତ ଗରାମ, ଇଚ୍ଛାପୁର, ସଂଗ୍ରାମପୁର, କାଳିଓ, କୃଷ୍ଣଦାସପୁର, ଅଳାବୋଳ ଓ ଅରିଲୋ ଥିବା ବେଳେ ଏଥର ମଧ୍ୟ ଅଧିକାଂଶ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ ବିଜୟୀ ହେବେ ଦାବି କରୁଛନ୍ତି। କେବଳ ସେତିକି ନୁହେଁ ଏହି ଜୋନ୍ ସହ ବ୍ଲକର ଆଉ ଦୁଇଟି ଜୋନ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳର ନେତାମାନେ ଦୃଢ଼ ଭାବେ କହୁଛନ୍ତି। ବିଶେଷ କରି ବିଜେଡି ମଧ୍ୟରେ ଥିବା କନ୍ଦଳରୁ ଦଳ ଫାଇଦା ନେବାକୁ ଯୋଜନା କରିଛି। ରଘୁନାଥପୁର ବ୍ଲକ୍ର ଦୁଇଟି ଜୋନ୍-୧ ଓ ଜୋନ୍ ୨ରେ ବିଜେପି ବିଜେଡିର ନିଦ ହଜାଇ ଦେଇଥିଲା। ରଘୁନାଥପୁର, ବରାଗୋଳ, ଜଗନ୍ନାଥପୁର, ତରିକୁନ୍ଦ, ଧରାଧରପୁର, ଗୁଆଳିପୁର, ତାରପୁର ଓ ପୂରଣ ଓଡ଼ପଡ଼ା ୮ଟି ପଞ୍ଚାୟତକୁ ନେଇ ଗଠିତ ଜୋନ୍୧ରେ ବିଜେପି ପ୍ରାର୍ଥୀ ଅଶୋକ ମହାରଣା ବିଜେଡି ପ୍ରାର୍ଥୀଙ୍କୁ ପ୍ରାୟ ୧୬୬୦ରେ ପରାସ୍ତ କରିଥିଲେ। ସେହିପରି ଜୋନ୍ ୨ରୁ ବିଜେଡି ନେତ୍ରୀ ଡେଜାଲିନ୍ ମହାପାତ୍ର ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୭୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ମାତ୍ର ବର୍ତମାନ ସମୟ ବଦଳିଛି। ରଘୁନାଥପୁର ବ୍ଲକରେ ବିଜେପିର ଦୁର୍ବଳ ସ୍ଥିତିରୁ ବିଜେଡି ଫାଇଦା ନେବାକୁ ରଣନୀତି ଆପଣାଉଛି। କଂଗ୍ରେସ୍ ସ୍ଥିତି ଦୁର୍ବଳ। ଏପରି ଏକ ରାଜନୈତିକ ବାତାବରଣରୁ ବିଜେଡି କିପରି ଫାଇଦା ନେବ ସେନେଇ ଉତ୍ସୁକତା ଲାଗି ରହିଛି। ନିର୍ବାଚନ ପାଇଁ ହାତରେ ଆଉ ଖୁବ୍ କମ୍ ଦିନ ଥିବାରୁ ବିଜେପିର ସ୍ପଷ୍ଟ ରଣନୀତି ପ୍ରସ୍ତୁତ ନହେଲେ ପୂର୍ବାପେକ୍ଷା ଅଧିକ କ୍ଷତି ହୋଇପାରେ ବୋଲି ମତପ୍ରକାଶ ପାଇଛି।