ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରେ ୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରେ ଏବେ ସମସ୍ତଙ୍କ ନଜର । ବିଶେଷ କରି ଜୋନ୍-୪ ରେ ଏଥର ରାଜନୈତିକ ଉଷ୍ମତା ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଜେଡି ବ୍ଳକ୍ ସଭାପତି ଗଙ୍ଗାଧର ବିଶ୍ବାଳ ଏହି ଜୋନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେ ଜିଲ୍ଲାପରିଷଦ ସଭାପତି ପ୍ରିୟଦର୍ଶିନୀଙ୍କ ସ୍ବାମୀ। ସ୍ବାଭାବିକ ଭାବେ ଏହି ଆସନଟି ହଟ୍‌ସିଟ୍‌ ପାଲଟିଛି। ସେପଟେ ଗଙ୍ଗାଧରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଗଙ୍ଗାଙ୍କ ବିଜୟ ମଧ୍ୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେଥିପାଇଁ ବିଜେଡି ନେତା ଓ ବିରୋଧୀମାନେ ମଧ୍ୟ ଏଠାରେ ଜୋରଦାର କସରତ ଚଳାଇଛି। ତିର୍ତ୍ତୋଲ ବ୍ଲକ୍‌ର ୭ଟି ପଞ୍ଚାୟତ ବୋଧେଇ, ଗରାମ, ଇବ୍ରିସିଂ, ଜଗନ୍ନାଥପୁର, କଟରା, ତୁଳଙ୍ଗ ଓ ପିପଳମାଧବକୁ ନେଇ ଏହି ଜୋନ୍‌ ଗଠିତ। ଏହି ଜୋନଟି ଅସଂରକ୍ଷିତ ରହିଛି। ଏହି ଜୋନରେ ବିଜେଡିରୁ ଗଙ୍ଗାଧର ବିଶ୍ବାଳ, କଂଗ୍ରେସରୁ ନିହାର ରଂଜନ ଓଝା, ବିଜେପିରୁ ସୁନନ୍ଦ କୁମାର ବିଶ୍ବାଳ, ଆପ୍‌ରୁ ମୃତ୍ୟୁଞ୍ଜୟ ରାଉତ ଓ ସ୍ବାଧୀନ ଭାବେ ବାବାଜୀ ଚରଣ ମଲିକ ନିର୍ବାଚନ ଲଢ଼ୁଛନ୍ତି। ଯଦିଓ ଏହି ଜୋନ୍‌ରୁ ୫ ଜଣ ପ୍ରାର୍ଥୀ ରହିଛନ୍ତି ତଥାପି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ ବୋଲି କୁହ‌ାଯାଉଛି। ଗତଥର ଏହି ଜୋନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶିନୀ ବିଶ୍ବାଳ ଜିତି ଜିଲ୍ଲା ପରିଷଦ ସଭାପତି ହୋଇଥିଲେ। ଗଙ୍ଗାଧର ଯଦିଓ ପୂର୍ବରୁ କେବେ କୌଣସି ନିର୍ବାଚନ ଲଢ଼ି ନାହାନ୍ତି। ସେ ଅଧିକାଂଶ ସମୟ ଦଳର ବିଭିନ୍ନ ପଦପଦବିରେ ରହି ସଂଗଠନ ଦାୟିତ୍ବ ନେଇଥାନ୍ତି। ଗଙ୍ଗାଧରଙ୍କୁ ଯେତେବେଳେ ବିଜେଡି ବ୍ଲକ୍ ସଭାପତି ଭାବେ ଘୋଷଣା କରାଗଲା, ସେତେବେଳେ ଦଳ ମଧ୍ୟରେ ମଧ୍ୟ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା।

Advertisment

ମାତ୍ର ନିଜର ତୀକ୍ଷଣ ବୁଦ୍ଧି ଯୋଗୁଁ ବେଶ୍ ଚତୁରତାର ସହ ସେ ଏହି ସମସ୍ୟାର ସମାଧାନ କରିବାକୁ ସକ୍ଷମ ହୋଇଥିଲେ। କେବଳ ସେତିକି ନୁହେଁ ତିର୍ତ୍ତୋଲ ବ୍ଲକର ବିଜେଡି ଦୁଇଟି ଗୋଷ୍ଠୀ ମଧ୍ୟରୁ ଗଙ୍ଗାଧର ଗୋଟିଏ ଗୋଷ୍ଠୀର ନେତୃତ୍ବ ନିଅନ୍ତି। ଏଣୁ ଅଧିକାଂଶ ସମୟରେ ଗଙ୍ଗାଧରଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରୁହେ। ଯେହେତୁ ସେ ନିଜେ ଏଥର ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ପାଇଁ ବର୍ତ୍ତମାନ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେପଟେ ସ୍ବାମୀଙ୍କୁ ଜିତାଇବା ପାଇଁ ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି। ଗଙ୍ଗାଧରଙ୍କୁ ଟକ୍କର ଦେଉଥିବା କଂଗ୍ରେସ ପ୍ରାର୍ଥୀ ନିହାର ଓଝା ମଧ୍ୟ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ନିହାର ଘର ଏହି ଜୋନରେ ହୋଇନଥିଲେ ମଧ୍ୟ ଗଙ୍ଗାଧରଙ୍କୁ ଟକ୍କର ଦେବା ପାଇଁ ତାଙ୍କୁ ଦଳ ଚୟନ କରିଛି। ଅଞ୍ଚଳର ‌କୌଣସି ବିକାଶ ମୂଳକ କାର୍ଯ୍ୟକ୍ରମ ହୋଇନଥିବାରୁ ଭୋଟର ନିଶ୍ଚିତ ଭାବେ ତାଙ୍କୁ ସୁଯୋଗ ଦେବେ ବୋଲି ସେ ଦୃଢ଼ ଆଶାବାଦୀ ରହିଛନ୍ତି। ଏହି ଜୋନରେ କଂଗ୍ରେସର ହେଭିୱେଟ୍ ନେତା କୁହାଯାଉଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ସାଂସଦ ରଂଜୀବ ବିଶ୍ବାଳଙ୍କ ପଞ୍ଚାୟତ ରହୁଛି। ଏଣୁ କଂଗ୍ରେସ ମଧ୍ୟ ଗଙ୍ଗାଧରଙ୍କୁ କଡ଼ା ଟକ୍କର ଦେବାକୁ ସମସ୍ତ ଯୋଜନା କରିଛି। ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁନନ୍ଦ ବିଜେପିର ସ୍ଥାନୀୟ ମଣ୍ଡଳ ସଭାପତି। ଏଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ଲଢ଼ୁଛନ୍ତି। ସେ ଯାହା ବି ହେଉ, ଏଥର ଏହି ‌ଜୋନରେ ୩ ନବାଗତ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।