ଜଗତସିଂହପୁର: ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରେ ବିଜେପିର ଚେହେରା କିଏ? କିଏ ସର୍ବୋଚ୍ଚ ନେତା? କାହାକୁ ନେଇ ଦଳ ବାଲିକୁଦା-ଏରସମାରେ ଆଗକୁ ବଢ଼ିବାକୁ ଚାହୁଁଛି? କାହା ନେତୃତ୍ବରେ ଦଳ ଏଥର ପଞ୍ଚାୟତ ନିର୍ବାଚନ ଲଢ଼ିବ? ଏମିତି ଏକାଧିକ ପ୍ରଶ୍ନ ଏବେ ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରେ ଉଠିଛି। ଏହି ନିର୍ବାଚନମଣ୍ତଳୀରେ ଥିବା ଦୁଇଟି ବ୍ଲକ୍ ବାଲିକୁଦା ଓ ଏରସମାରେ ବିଜେପି କର୍ମୀମାନେ କାହା ନେତୃତ୍ବକୁ ଭରସା କରିବେ, ଏ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ପରେ ଏବଂ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରେ ବିଜେପି ନେତୃତ୍ବ ନେଉଥିଲେ ବର୍ତ୍ତମାନର ଶାସକଦଳର ମନ୍ତ୍ରୀ ରଘୁନନ୍ଦନ ଦାସ। ୨୦୧୯ ମସିହାରେ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିବା ପାଇଁ ସେ ସଜବାଜ ହେଉଥିବା ସମୟରେ ପୂର୍ବତନ ମନ୍ତ୍ରୀ ଡ.ଦାମୋଦର ରାଉତ ବିଜେଡିରୁ ବିଦା ହୋଇ ବିଜେପିରେ ଯୋଗ ଦେଇଥିଲେ। ଫଳରେ ବିଜେପି ଛାଡ଼ି ରଘୁନନ୍ଦନ ବିଜେଡ଼ିରେ ଯୋଗଦେଇ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ସେପଟେ, ଡାକ୍ତର ରାଉତ ବିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ। ପୂର୍ବରୁ ୫ ହଜାର ଭୋଟ୍ ପାଇବାକୁ ସମର୍ଥ ହେଉ ନଥିବା ବିଜେପି ପ୍ରାର୍ଥୀ ଗତଥର ନିର୍ବାଚନରେ ୧୯.୫୦ ପ୍ରତିଶତ ଅର୍ଥାତ ୩୭,୬୧୧ ଖଣ୍ତ ଭୋଟ୍ ପାଇ ରେକର୍ଡ କରିଥିଲେ। ଉକ୍ତ ନିର୍ବାଚନ ପୂର୍ବରୁ କେବେ ବି ବିଜେପି ଏତେ ସଂଖ୍ୟାରେ ଭୋଟ୍ ପାଇ ନଥିଲା। ଡାକ୍ତର ରାଉତଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଚେଷ୍ଟା କଲା ବେଳେ ସେ ବିଜେପି ଛାଡ଼ି ଦେଇଥିଲେ। ଡାକ୍ତର ରାଉତ ଯିବା ପରେ ଏହି ନିର୍ବାଚନମଣ୍ତଳୀ ବିଜେପି ପାଇଁ ଏକ ପ୍ରକାର ମୁରବିଶୂନ୍ୟ ହୋଇଛି।
ଏହାପରେ ବାଲିକୁଦା-ଏରସମାର ବିଜେପି ନେତା ହେବା ପାଇଁ କେତେଜଣ ନେତାଙ୍କ ଭିତରେ ଟଣାଓଟରା ଲାଗି ରହିଛି। ରେସ୍ରେ ଆଗରେ ରହିଛନ୍ତି ବରିଷ୍ଠ ବିଜେପି ନେତା ସଂଜୟ ମହାନ୍ତି। ଶ୍ରୀ ମହାନ୍ତି ପୂର୍ବରୁ ଜନତା ଦଳରେ ଥିବା ସମୟରେ ୧୯୮୫ ମସିହାରେ ବିଧାନସଭା ନିର୍ବାଚନ ଲଡ଼ିଥିଲେ। ଏହାପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ୨୦୦୧ ମସିହାରେ ବିଜେପିରେ ଯୋଗ ଦେଇ ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରୁଛନ୍ତି। ସେହିପରି ଗତ ନିର୍ବାଚନରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଶିବବ୍ରତ ଦାସ ମଧ୍ୟ ଲବିରେ ରହିଛନ୍ତି। ଏହାସହ ଯୁବନେତା ଶଶିକାନ୍ତ ପରିଡ଼ା, ବିଜେପି ନେତ୍ରୀ ନିରୂପମା ସ୍ବାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ଶୁକ୍ଳା, ଜିଲ୍ଲା ଉପ-ସଭାପତି ମୋହିତ ମହାନ୍ତି, ଓବିସି ନେତା ନୃସିଂହ ସାହୁ ମଧ୍ୟ ନିଜକୁ ଦାବିଦାର ଭାବେ ପ୍ରୋଜେକ୍ଟ କରୁଥିବା ଦେଖିବାକୁ ମିଳୁଛି।
ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ଓଡ଼ିଶାରେ ନିଜର ସ୍ଥିତି ଅଧିକ ଦୃଢ଼ କରିବାକୁ ପ୍ରୟାସ କରୁଛି। ଜିଲ୍ଲା ମଖ୍ୟାଳୟ ତଥା ଜଗତସିଂହପୁର ନିର୍ବାଚନମଣ୍ତଳୀରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପାରାଦୀପ ନିର୍ବାଚନମଣ୍ତଳୀରେ ଯୁବ ନେତା ସମ୍ପଦ ସ୍ବାଇଁ, ତିର୍ତ୍ତୋଲରେ ରାଜକିଶୋର ବେହେରାଙ୍କୁ ନିର୍ବାଚନମଣ୍ତଳୀ ଦାୟିତ୍ବ ଦିଆଯାଇଥିବା ବେଳେ ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀ ପାଇଁ କାହିଁକି ଦଳ, ନେତା ଚୟନ କରୁ ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ତୃଣମୂଳସ୍ତରରେ କାମ କରୁଥିବା ବିଜେପି ନେତା ଓ କର୍ମୀଙ୍କ ନିକଟରେ କିଏ ଉତ୍ତରଦାୟୀ ହେବ, ବାଲିକୁଦା-ଏରସମାରେ କାହା ନେତୃତ୍ବରେ ଦଳ ପଂଚାୟତ ନିର୍ବାଚନ ଲଢ଼ିବ, ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଖୋଦ୍ ଦଳର ନେତା। ଏହାକୁ ଦଳର ସଭାପତି ସମାଧାନ କରନ୍ତୁ ବୋଲି ଦାବି ଉଠୁଛି। ଏ ନେଇ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି, ବିଜେପି ଦଳ ଏକ ଶୃଙ୍ଖଳିତ ଦଳ। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଡାକ୍ତର ରାଉତ ଗତଥର ନିର୍ବାଚନ ଲଢ଼ିଥିଲେ ବି ସେ ଏହା ଭିତରେ ଦଳ ଛାଡ଼ିଛନ୍ତି। ଯିଏ ନିର୍ବାଚନ ଲଢ଼ିଥାନ୍ତି ସେ ହିଁ ନିର୍ବାଚନମଣ୍ତଳୀ କଥା ବୁଝନ୍ତି। ଡାକ୍ତର ରାଉତଙ୍କ ଯିବା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ବରିଷ୍ଠ ନେତା ସଂଜୟ ମହାନ୍ତି ଓ ଶିବବ୍ରତ ଦାସ ନିର୍ବାଚନମଣ୍ତଳୀ କଥା ବୁଝୁଛନ୍ତି। ଏଣୁ ଏହି ଦୁଇଜଣଙ୍କ ନେତୃତ୍ବରେ ହିଁ ଏଥର ଦଳ ପଞ୍ଚାୟତ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)