କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍ ଚନ୍ଦନଗରସ୍ଥିତ ଶୀତଳଭଣ୍ତାର ଉଦ୍ଘାଟନ ଫଳକରୁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷଙ୍କ ନାଁ ବାଦ୍ ପଡ଼ିବା ଘଟଣାକୁ ଚାରି ମାସ ପୂରିନି। ଆଜି ତା’ର ପୁନରାବୃତ୍ତି କେନ୍ଦ୍ରାପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଫଳକ ଲାଗି ନ ଥିଲେ ବି କେନ୍ଦ୍ରାପଡ଼ା ବ୍ଲକ୍ ଅଫିସ୍ର ତୃତୀୟ ମହଲାରେ ଅତ୍ୟାଧୁନିକ କନଫରେନ୍ସ ହଲ୍କୁ ଆଜି ପୂଜାର୍ଚ୍ଚନା କରି ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ। କୌତୂହଳର ବିଷୟ ହେଉଛି, ଏହି କାର୍ଯ୍ୟକ୍ରମରେ ନା ବିଧାୟକ ଶଶୀଭୂଷଣ ବେହେରା ନା ବ୍ଲକ୍ ଚେୟାରମ୍ୟାନ୍ ଶିବପ୍ରସାଦ ଭଳ କାହାରିକୁ ଦେଖିବାକୁ ମିଳିନାହିଁ। ବ୍ଲକ୍ ଭଳି ଅତି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ କୌଣସି ପ୍ରକଳ୍ପକୁ ନିର୍ବାଚନ ମଣ୍ତଳୀ ମୁଖ୍ୟ ଓ ପଞ୍ଚାୟତ ସମିତି ମୁଖିଆଙ୍କ ଅନୁପସ୍ଥିତିରେ ସରକାରୀ ଅଧିକାରୀ ମାନେ ପୂଜାର୍ଚ୍ଚନା କରି ଉଦ୍ଘାଟନ କରିଦେବା ଘଟଣା ସାଧାରଣରେ କେବଳ ଚର୍ଚ୍ଚାର ବିଷୟ ହୋଇନାହିଁ, ବର˚ ଅମଲା ଶାସନରେ ନିର୍ବାଚିତ ପ୍ରତିନିଧି କେତେ ଅସହାୟ ହୋଇପଡ଼ିଲେଣି, ତାହା ଆଖିବୁଜି ଅନୁମାନ କରି ହେଉଛି।
ଚନ୍ଦନନଗର ଶୀତଳ ଭଣ୍ତାର ପ୍ରକଳ୍ପରୁ ବିଧାୟକ, ବ୍ଲକ୍ ଚେୟାରମ୍ୟାନଙ୍କ ନାଁ ବାଦ୍ ପଡ଼ିବାକୁ ନେଇ ତୁମୁଳ କାଣ୍ତ ଘଟିଥିଲା। ସ୍ଥିତି ଏମିତି ହେଇଥିଲା ଯେ ସମର୍ଥକମାନେ ବିଧାୟକ, ଚେୟାରମ୍ୟାନ୍ଙ୍କ ନାଁ ଲେଖାଥିବା ଫଳକ ଆକୃତିର ଅବିକଳ ଏକ ବ୍ୟାନର୍ରେ ଟାଙ୍ଗି ମନ ବୁଝାଇଥିଲେ। ସେ ସମୟରେ ଏହି ଘଟଣା ବେଶ୍ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ହେଲେ ଏବେ ତାର ପୁନରାବୃତ୍ତି ଘଟିବା ପଛର କାରଣ ବିଧାୟକ-ଅଧ୍ୟକ୍ଷଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର ଶୀତଳଯୁଦ୍ଧ ବୋଲି ଚର୍ଚ୍ଚା ହେଉଛି। ଏହାର ଉଦାହରଣ ଗତ ନଭେମ୍ଭର ୫ତାରିଖରେ ବ୍ଲକ୍ ଅଫିସ୍ରେ ଲୋକାର୍ପିତ ଉଜ୍ଜ୍ବଳ ଆଲୋକୀକରଣ ପ୍ରକଳ୍ପକୁ ନିଆଯାଇପାରେ। ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଉଦ୍ଘାଟକ ଭାବେ ଡିଆରଡିଏ ପିଡି ରାଜେନ୍ଦ୍ର ପଣ୍ତା ଉଦ୍ଘାଟନ କରିଥିବା ବେଳେ ଫଳକରେ କିନ୍ତୁ ବିଧାୟକଙ୍କ ନାଁ ଦେଖିବାକୁ ମିଳିନଥିଲା। ଉଭୟଙ୍କ ମଧ୍ୟରେ ବିବାଦ ଏତେ ଉଗ୍ର ରୂପ ନେଇଛି ଯେ ଗଲା ପ୍ରାୟ ଦୁଇ ସପ୍ତାହ ହେବ ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ଦେଖାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଡାକି ଜିଲ୍ଲାପାଳଙ୍କ ଜରିଆରେ ବିଡିଓ ଅତ୍ୟାଧୁନିକ କନଫରେନ୍ସ ହଲ୍ ଉଦ୍ଘାଟନ କରିବା ଏବ˚ ବିଧାୟକ ଓ ଅଧ୍ୟକ୍ଷଙ୍କୁ ଅଣଦେଖା କରାଯିବା ଘଟଣା କେନ୍ଦ୍ରାପଡ଼ା ବ୍ଲକ୍ ରାଜନୀତିକୁ ସରଗରମ କରି ଦେଇଛି।