ବଙ୍ଗଭାଷୀ ନିର୍ଣ୍ଣୟ କରିବେ ୩୨ ନଂ ଜୋନ୍‌ ଭାଗ୍ୟ

କେନ୍ଦ୍ରାପଡା/ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୩୨ ନମ୍ବର ଜୋନର ଭାଗ୍ୟ ବଂଗଭାଷୀ ଭୋଟର ନିର୍ଣ୍ଣୟ କରିବେ। ଏହି ଜୋନ୍‌ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଖୁକୁମିନୀ କୁଅଁର, କଂଗ୍ରେସର ରତି ଦଳେଇ ଓ ବିଜେପିର ଆରତି ହାଁସଦା। ଏହି ଜୋନ ମଧ୍ୟରେ ଥିବା ୧୧ଟି ପଂଚାୟତ ମଧ୍ୟରୁ ୫ଟି ବଂଗୀୟ ଅଧ୍ୟୁଷିତ। କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଆଁପାଳ ପଂଚାୟତର ପ୍ରାୟ ୯୯ ପ୍ରତିଶତ ଭୋଟର ବଂଗଭାଷୀ। ରଂଗଣୀ ପଂଚାୟତରେ ୯୦ ପ୍ରତିଶତ ଭୋଟର ବଂଗୀଭାଷୀ ହୋଇଥିବା ବେଳେ ଖମାରସାହିରେ ୫୦ ପ୍ରତିଶତ, ଗୁପ୍ତି, ଈଶ୍ୱରପୁରରେ ୪୦ ପ୍ରତିଶତ, ସାତଭାୟାରେ ୩୦ ପ୍ରତିଶତ ଓ ଡାଙ୍ଗମାଳରେ ୧୦ ପ୍ରତିଶତ ବଂଗଭାଷୀ ଭୋଟର ଅଛନ୍ତି। ମୋଟ ୪୪,୪୨୯ ଭୋଟରଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବଂଗଭାଷୀ। ଅଛନ୍ତି ଏହି ବଂଗଭାଷୀ ଭୋଟର ଯେଉଁ ପଟକୁ ଢଳିବେ, ସେ ପକ୍ଷ ଏହି ଜୋନକୁ କବଜା କରିବାକୁ ସକ୍ଷମ ହେବ। ଏହି ବ୍ଲକର ଶେଷ ପ୍ରାନ୍ତରେ ଥିବା ୩୨ ନଂ ଜୋନକୁ ଦଖଲ କରିବା ପାଇଁ ସବୁ ଦଳ ସେମାନଙ୍କ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ଏହି ଜୋନର ୧୧ଟି ପଂଚାୟତର ୧୨୮ ଓ୍ୱାର୍ଡର ୨୩୪୧୭ ପୁରୁଷ, ୨୧୦୦୯ ମହିଳା, ୩ ଜଣ ତୃତୀୟ ଲିଙ୍ଗ ଭୋଟର, ଏପରି ମୋଟ ୪୪,୪୨୯ ଜଣେ ମତଦାନ ସାବ୍ୟସ୍ତ କରିବେ। ୨୦୧୨ ପଂଚାୟତ ନିର୍ବାଚନରେ ୩୨ନଂ ଜିଲ୍ଲା ପରିଷଦ ଆସନକୁ ବିଜେଡି ହାତେଇଥିଲା। ଏହି ଜୋନରେ ବିଜେଡି ୧୫,୮୪୮ ଭୋଟ ପାଇଥିବା ବେଳେ କଂଗ୍ରେସ ୧୦,୫୧୮ ଓ ବିଜେପି ପାଇଥିଲା ୬୦୧୪ ଖଣ୍ଡ ଭୋଟ୍‌। ସ୍ବାଧୀନ ପ୍ରାର୍ଥୀ ୧୫୯ ଖଣ୍ଡ ଭୋଟ ପାଇଥିଲେ। ୬୬୫ ଖଣ୍ଡ ଭୋଟ ବାତିଲ୍‌ ହୋଇଥିଲା। ଡାଙ୍ଗମାଳରେ ୪୨ଖଣ୍ଡ ଓ କୃଷ୍ଣନଗରରେ ୫୪୮ଖଣ୍ଡ ଭୋଟ କଂଗ୍ରେସ ଅଗ୍ରଣୀ ନେଇଥିବା ବେଳେ ଅନ୍ୟ ୯ଟି ପଂଚାୟତରେ ବିଜେଡି ଅଧିକ ଭୋଟ ଅଧିକ ଭୋଟ ପାଇଥିଲା। ଏହି ଜୋନର ୧୧ଟି ପଂଚାୟତ ମଧ୍ୟରୁ ୬ ବିଜେଡି, ୬ ସମିତିସଭ୍ୟ, ୬ ସରପଂଚ ପଦବି ହାତେଇଥିବା ବେଳେ କଂଗ୍ରେସ ୫ ସରପଂଚ ଓ ୫ ସମିତିସଭ୍ୟ ହାତେଇଥିଲା।

କଂଗ୍ରେସ ୫ ସରପଂଚ ଓ ୫ ସମିତିସଭ୍ୟ ପଦ ହାତେଇଥିଲା। ନିର୍ବାଚନ ପରେ କଂଗ୍ରେସ ଅଗ୍ରଣୀ ନେଇଥିବା କୃଷ୍ଣନଗର, ଡାଙ୍ଗମାଳ ପଂଚାୟତର ସରପଂଚ ଓ ସମିତିସଭ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏଥିସହ କଂଗ୍ରେସ ସମର୍ଥିତ ଈଶ୍ୱରପୁର ସମିତିସଭ୍ୟ ବିଜେଡିରେ ଓ ଗୁପ୍ତି ପଂଚାୟତ ବିଜେଡି ସମର୍ଥିତ ସମିତିସଭ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଦଳବଦଳ ପ୍ରକ୍ରିୟା ପରେ ବିଜେଡି ସମର୍ଥିତ ୮ ସରପଂଚ, ୮ ସମିତିସଭ୍ୟ ଓ କଂଗ୍ରେସ ସମର୍ଥିତ ୩ ସରପଂଚ, ୩ ସମିତିସଭ୍ୟ ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ବିଧାୟକ ଧ୍ରୁବ ସାହୁ ସମସ୍ତ ୧୧ ପଂଚାୟତରେ ଅଗ୍ରଣୀ ନେଇଥିଲେ। ଖମାରସାହି ପଂଚାୟତରୁ ୪୦୯, ଡାଙ୍ଗମାଳରୁ ୨୮୬, କୃଷ୍ଣନଗରରୁ ୧୬୨, ତାଳଚୁଆରୁ ୪୦୭, ବାଘମାରିରୁ ୧୮୧୪, କେରୁଆଁପାଳରୁ ୮୨୭, ରଂଗଣୀରୁ ୪୪୨, ଈଶ୍ୱରପୁରରୁ ୮୪୩, ଘଡିଆମାଳରୁ ୧୩୫, ଗୁପ୍ତିରୁ ୭୩୫, ସାତଭାୟାରୁ ୨୩୦, ମୋଟ ୬୨୯୦ ଭୋଟ ଅଗ୍ରଣୀ ନେଇଥିଲେ। ଏହି ଜୋନ ରାଜନଗରର ଭୂମିପୁତ୍ର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଭୋଟ ବ୍ୟାଙ୍କ ଥିଲା। ସବୁ ସମୟରେ ମତଦାନର ୭୦ ପ୍ରତିଶତ ଭୋଟ ନଳିନୀଙ୍କ ଖାତାକୁ ଯାଉଥିଲା। ନଳିନୀ ବାବୁ କଂଗ୍ରେସକୁ ଯିବାପରେ ଏହି ଭୋଟ ବ୍ୟାଙ୍କକୁ ବିଜେଡି ତା ପକ୍ଷକୁ ଟାଣିବାକୁ ସକ୍ଷମ ହୋଇଥିଲା। ନଳିନୀ ବାବୁଙ୍କ ଦେହାନ୍ତ ପରେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କ ପୁତ୍ର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପିତାଙ୍କ ଭୋଟ ବ୍ୟାଙ୍କକୁ ନିଜ ପକ୍ଷକୁ ଆଣିପାରିଥିଲେ। ମାତ୍ର ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନରେ ଧ୍ରୁବ ସାହୁଙ୍କ ନେତୃତ୍ୱରେ ବିଜେଡି ବଂଗଭାଷୀ ଭୋଟ ବ୍ୟାଙ୍କକୁ ନିଜ ପକ୍ଷକୁ ଆଣିଛନ୍ତି। ଚଳିତ ପଂଚାୟତ ନିର୍ବାଚନରେ ଏହି ଜିଲ୍ଲା ପରିଷଦ ପଦ ସହିତ ଏହି ଜୋନ ଅଧୀନରେ ଥିବା ପଂଚାୟତଗୁଡିକୁ ଦଖଲ କରିବା ପାଇଁ କଂଗ୍ରେସ ବିଜେଡି ଓ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର