ପଞ୍ଚାୟତ ନିର୍ବାଚନ ପ୍ରାକ୍ ଦୃଶ୍ୟପଟ; ପଛୁଆ ବର୍ଗ ସଂରକ୍ଷଣ ହଟିବା ପରେ ଦଳ ବଦଳାଉଛନ୍ତି ରଣନୀତି

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନର ଆସନ ସଂରକ୍ଷଣ ନେଇ ଅନ୍ତିମ ତାଲିକା ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ରାୟ ଅନୁସାରେ ରାଜ୍ୟ ସରକାର ସ୍ଥିର କରିଥିବା ପଛୁଆ ବର୍ଗ ସଂରକ୍ଷିତ ଆସନ ଗୁଡ଼ିକୁ ବାଦ ଦିଆଯାଇଛି। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ରଣନୀତି ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ପ୍ରଥମ ତାଲିକା ପ୍ରକାଶ ପରେ, ଖୋର୍ଦ୍ଧା ଜିଲ୍ଲାରେ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେପି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଏକ ପାଦ ଆଗୁଆ ଥିଲା କିନ୍ତୁ ଦ୍ୱିତୀୟ ତାଲିକା ପରେ ବିଜେଡି ଅନ୍ୟ ଦଳ ଗୁଡ଼ିକ ଠାରୁ ସାଙ୍ଗଠନିକ ପ୍ରଚାରପ୍ରସାରରେ ଅନ୍ୟ ଦଳ ଗୁଡ଼ିକୁ ପଛରେ ପକାଇ ଦେଇଛି।

୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ଆସନରେ, ଖୋର୍ଦ୍ଧା ଜିଲ୍ଲାରେ ବିଜେପି ୨ଟି, ବିଜେଡି ୨୫, ୨ଟିରେ ସ୍ୱାଧୀନ ଓ ଗୋଟିଏ ଆସନରେ କଂଗ୍ରେସ ଜିତିଥଲା। ୨୦୧୭ରେ, ବିଜେପି ୧୦, ବିଜେଡି ୨୦ ଆସନ ପାଇଥିଲା। ବର୍ତ୍ତମାନ ଯେଉଁ ସାଙ୍ଗଠନିକ କାର୍ଯ୍ୟକ୍ରମ ହେଉଛି ସେଥିରୁ ବିଜେଡି ଅନ୍ୟ ଦଳ ଠାରୁ ଦୁଇପାଦ ଆଗୁଆ ଥିଲେ ମଧ୍ୟ ବିଜେପି ପୁଣିଥରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ ହେବ। ଖୋର୍ଦ୍ଧା ଉପଖଣ୍ଡରେ ବିଶେଷତଃ ବେଗୁନିଆ-ବୋଲଗଡ଼, ଖୋର୍ଦ୍ଧା  ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ବିଜେଡିର ପ୍ରମୁଖ ନେତାଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ୍ୱ ସ୍ପଷ୍ଟ ଦେଖାଯାଉଛି। ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ପ୍ରଭାବ କ୍ଷୀଣ ପଡ଼ିଛି। ଫଳରେ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟକ୍ରମ ଗୁଡ଼ିକ ସିଧାସଳଖ ରାଜ୍ୟସ୍ତରୀୟ ନେତାଙ୍କ ତତ୍ୱାବଧାନରେ ଚାଲୁଥିବା ଦେଖିବାକୁ ମିଳୁଛି। ୨୦୧୭ ଠାରୁ ୨୦୧୯ ଯାଏଁ ଜିଲ୍ଲାକୁ ବିଜୁ ଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ପ୍ରଭାବ ଯଥେଷ୍ଟ ଥିଲା। କିନ୍ତୁ ବିଜେଡି ଟିକଟରେ ସାଂସଦ ଭାବେ ଠିଆ ହୋଇ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ପରାଜିତ ହେବା ପରେ ଜିଲ୍ଲାର କୌଣସି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ପ୍ରାୟତଃ କ୍ଷୀଣ ହୋଇଯାଇଛି।

ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ରାଜ୍ୟ ସଭା ସାଂସଦ ମୁନା ଖାନ୍‌ ଜିଲ୍ଲାକୁ ଘନଘନ ଗସ୍ତ କରି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ଓ ଦଳରୁ ନିଲମ୍ବନକୁ ନେଇ ଖୋର୍ଦ୍ଧା ଉପଖଣ୍ଡରେ ବିଜେଡି ଦୁର୍ବଳ ହେବା ଆଶା କରାଯାଉଥିଲା। ଏହାପରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଦଳର ରାଲି ଆଦି କରି ଦଳର ସାଙ୍ଗଠନିକ ନେତୃତ୍ୱ ସମ୍ଭାଳିବେ ବୋଲି ଏକ ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରଶାନ୍ତ ଜଗଦେବ ନିଜର ସଙ୍ଗଠନର ଦାୟିତ୍ୱ ସମ୍ଭାଳି ନେଇଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ଏକମାତ୍ର ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି କୌଣସି ମତେ ରହିଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଅପରପକ୍ଷରେ, ଖୋର୍ଦ୍ଧାର ପୂର୍ବ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବିଜେଡି ଶେଷ ମୁହୂର୍ତରେ ବେଗୁନିଆର ଟିକଟ ଦେଇଥିଲା। ରାଜେନ୍ଦ୍ର ସାହୁ ନିର୍ବାଚନ ମଣ୍ଡଳୀର ତୃଣମୂଳ ସଙ୍ଗଠନ ପ୍ରତି ଅନଭିଜ୍ଞ ଥିଲେ। ଏହାସହ ଗତ ପ୍ରାୟ ଦେଢ଼ ବର୍ଷ ଧରି ସେ ନିର୍ବାଚନ ମଣ୍ଡଳୀରେ ଲୋକ ସମ୍ପର୍କ ଆଶାନୁରୂପ ବଢ଼ାଇ ପାରିନଥିଲେ। ପଞ୍ଚାୟତସ୍ତରର ଅନେକ କଂଗ୍ରେସ ନେତା ଓ ସମର୍ଥକ ବିଜେପି ଆଡ଼କୁ ଢ଼ଳିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବୋଲଗଡ଼-ବେଗୁନିଆ ନିର୍ବାଚ ମଣ୍ଡଳୀକୁ ନିଜର ଗସ୍ତର ସର୍ବାଧିକ ସମୟ ଦେଇଛନ୍ତି। ଏହି ସମୟରେ ବିଜେଡି ନିର୍ବାଚ ନମଣ୍ଡଳୀରେ କିଛି ପରିମାଣରେ ଦୁର୍ବଳ ପଡ଼ିବା ଆଶା କରାଯାଉଥିଲା। ନିକଟରେ ଦୀର୍ଘ ଅଢ଼େଇ ବର୍ଷ ପରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଗୁନିଆରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ବେଗୁନିଆ ଦଳ ପାଇଁ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି। ଏହାସହ ଜିଲ୍ଲା ଯୋଜନା କମିଟିରୁ ପ୍ରଶାନ୍ତ ଜଗଦେବଙ୍କ ହଟାଇବା ପରେ ରାଜେନ୍ଦ୍ର ସାହୁଙ୍କୁ କମିଟି ଅଧ୍ୟକ୍ଷ କରାଯାଇଛି।

ଖୋର୍ଦ୍ଧା ନିର୍ବାଚମଣ୍ଡଳୀରେ ସବୁଠାରୁ ପୁରୁଖା ଅଭିଜ୍ଞ ରାଜନୈତିକ ନେତାଙ୍କ ମଧ୍ୟରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅନ୍ୟତମ। ସେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିଥିବା ଓ ଦୀର୍ଘଦିନ ଧରି ତୃଣମୂଳସ୍ତରର ପ୍ରାୟ ସମସ୍ତ କର୍ମୀ ଓ ନେତାଙ୍କ ସହ ସିଧାସଳଖ ସମ୍ପର୍କ ରହିଥିବା ବେଳେ ଦଳରେ ଥିବା ଅନ୍ତଃକନ୍ଦଳର ପ୍ରଭାବକୁ ସେ ହ୍ରାସ କରିପାରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ସମସ୍ତ ଜିଲ୍ଲା ପରିଷଦ ଜୋନରେ ବିଜେଡି ଜିତିଥିବା ବେଳେ କେବଳ ଟାଙ୍ଗୀ ଜୋନ୍‌ରୁ ମମତା ଜେନା ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ଜିତିଥିଲେ। ଏହି ସମୟରେ ଯଦିଓ ବର୍ତ୍ତମାନର ବିଜେଡି ବିଧାୟକ ଶ୍ରୀ ମିତ୍ର ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଦଳର ମଙ୍ଗ ସମ୍ଭାଳିଥିଲେ। କିନ୍ତୁ ୨୦୧୯ରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କେତେକ ପରିମାଣରେ ବିବାଦୀୟ ହୋଇଥିଲେ। କିନ୍ତୁ ୨୦୨୦ରେ ଏହି ବିବାଦର ଅନ୍ତ ଘଟାଇବା ଓ ମଙ୍ଗୁଳି ଜେନାଙ୍କ ପ୍ରତିମୂର୍ତି ଉନ୍ମୋଚନରେ ଯୋଗ ଦେବା ଓ ବିଜେପିର ଜିଲ୍ଲାପରିଷଦ ସଦସ୍ୟା ମମତା ଜେନାଙ୍କୁ ବିଜେଡିରେ ମିଶାଇବା ଘଟଣାରେ ଯେଉଁ ସ୍ଥାନରେ ବିଜେଡି ସାଙ୍ଗଠନିକ ଦୃଷ୍ଟିକୋଣରୁ ଦୁର୍ବଳ ଥିଲା ତାକୁ ସଜାଡ଼ିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର