ପଟାଙ୍ଗି : ଗୋଟିଏ ବ୍ୟାନରରେ ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ସମୀର ମହାନ୍ତିଙ୍କ ଫଟୋ। ରାଜ୍ୟ ରାଜନୀତିରେ ଏମିତି ଘଟଣା କେବେ ଦେଖିବାକୁ ମିଳି ନଥିଲା। ଆଗକୁ ବି ଦେଖିବା ସମ୍ଭାବନା କମ୍। ଦଳୀୟ ନୀତି ଓ ମତର ଉର୍ଦ୍ଧ୍ବକୁ ଯାଇ ଗୋଟିଏ ମଞ୍ଚରେ ବସିଲେ ବିଜେଡି, କଂଗ୍ରେସ ଓ ବିଜେପିର ବରିଷ୍ଠ ନେତା। କୋଟିଆର ସର୍ବାଙ୍ଗୀନ ବିକାଶ ଏବଂ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବା ପାଇଁ ପରସ୍ପର ସହ ହାତ ମିଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। କୋରାପୁଟ ଜିଲ୍ଲା ପଟାଙ୍ଗି ଜୋନ୍-୧ ଜିଲ୍ଲା ପରିଷଦ ଆସନ ପାଇଁ ଦେଇଛନ୍ତି ସର୍ବଦଳୀୟ ପ୍ରାର୍ଥୀ।
ଆନ୍ଧ୍ରକୁ ଉଚିତ ଜବାବ୍ ଦେବା ପାଇଁ କୋଟିଆରେ ସର୍ବସମ୍ମତି କ୍ରମେ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ କୋରାପୁଟ ଜିଲ୍ଲାର ତିନି ପ୍ରମୁଖ ଦଳ। ବିନା ମତପାର୍ଥକ୍ୟରେ ପଟାଙ୍ଗି ଜୋନ୍-୧ ଜିଲ୍ଲା ପରିଷଦ ଆସନରେ ମମତା ଜାନୀଙ୍କୁ ପ୍ରାର୍ଥୀ କଲେ। କିନ୍ତୁ ସର୍ବଦଳୀୟ ନେତାଙ୍କ ଯୋଜନାକୁ ଶେଷ ମୁହୂର୍ତ୍ତରେ ବିଗାଡ଼ି ଦେଲେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଏହାପରେ ସମ୍ମାନ ପାଇଁ ହାତ ମିଳାଇବାକୁ ବାଧ୍ୟ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ଯାହାକି ଏହି ଆସନର ଗୁରୁତ୍ବକୁ କଳ୍ପନା ଠାରୁ ବହୁ ଅଧିକ ବଢ଼ାଇ ଦେଇଛି। ଆଜି ମମତାଙ୍କ ସମର୍ଥନରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଇଁ ସରକାର ପ୍ରମୁଖ ଗୋଟିଏ ମଞ୍ଚରେ ଏକାଠି ବସିଥିଲେ। ଏହା ସହ ମଞ୍ଚରେ ଲାଗିଥିବା ବିଶାଳ ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଫଟୋ ରହିଥିଲା। କୋରାପୁଟ ସାଂସଦ ଓ ଜୟପୁର ବିଧାୟକଙ୍କ ଫଟୋ ମଧ୍ୟ ଏଥିରେ ସ୍ଥାନ ପାଇଥିଲା।
ସର୍ବଦଳୀୟ ପ୍ରାର୍ଥୀ ମମତାଙ୍କ ପାଇଁ ଆଜି ପଟାଙ୍ଗି ମିନି ଷ୍ଟାଡିୟମରେ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ବିଶାଳ ସମାବେଶର ଆୟୋଜନ ହୋଇଥିଲା। କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ରୋକିବା ପାଇଁ ସର୍ବଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାକୁ ଏହା ସାମୂହିକ ପ୍ରଚେଷ୍ଟା ବୋଲି ସର୍ବଦଳୀୟ ସଂଗଠନର ଆବାହକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ପ୍ରଥମେ ମାଟି, ପରେ ପାର୍ଟି ବୋଲି ଉପସ୍ଥିତ ନେତା ଓ ବିଭିନ୍ନ ଦଳର ସମର୍ଥକ ଓ କର୍ମୀ ଏହି ଅବସରରେ ନାରା ଦେଇଥିଲେ। କୋଟିଆର ସର୍ବାଙ୍ଗୀନ ବିକାଶ ଏବଂ ଆନ୍ଧ୍ରର ଅନୁପ୍ରବେଶ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେହିପରି ପଟାଙ୍ଗି ବ୍ଲକ୍ର କୋଟିଆ, ମାଳିପୁଟ, ଦେଓପଟାଙ୍ଗି, ପଟାଙ୍ଗି, ଗାଙ୍ଗରାଜପୁର, ନୂଆଗୁଡ଼ା ଓ ସୁଙ୍କି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମଧ୍ୟ ଏହି ମଞ୍ଚରେ ନିଜ ପାଇଁ ପ୍ରଚାର କରିଥିଲେ।
ପଟାଙ୍ଗି ଜୋନ୍-୧ ଜିଲ୍ଲା ପରିଷଦ ଆସନ କୋଟିଆ, ଗାଙ୍ଗରାଜପୁର, ଦେଓପଟାଙ୍ଗି, ନୂଆଗାଁ, ପଟାଙ୍ଗି, ପୁକାଲି ଓ ମାଳିପୁଟ ପଞ୍ଚାୟତକୁ ନେଇ ଗଠିତ। କେବଳ କୋଟିଆ ପଞ୍ଚାୟତରେ ୫ ହଜାର ୧୯୭ ଭୋଟର ରହିଥିବା ବେଳେ ବାକି ପଞ୍ଚାୟତଗୁଡ଼ିକରେ ୧୭ ହଜାର ୧୨୧ ଭୋଟର ରହିଛନ୍ତି। କୋଟିଆ ପଞ୍ଚାୟତରେ ୧୩ଟି ୱାର୍ଡ ରହିଥିବା ବେଳେ ୧୪ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। କୋଟିଆ ପଞ୍ଚାୟତ ସରପଞ୍ଚ ଆସନ ପାଇଁ ୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦୁଇ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଏବେ ୭ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି।