ପ୍ରଦୀପ ମାଝୀଙ୍କ ସ୍ବାଭିମାନ ଅଞ୍ଚଳ ଧୂଳିପୁଟରେ ଜୋରଦାର ପ୍ରଚାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଗତଥର ପଞ୍ଚାୟତ ନିର୍ବାଚନ ହୋଇନଥିବା ବେଳେ ଏଥର ପ୍ରଶାସନ ଏଠାରେ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏପରକି ସୁରକ୍ଷାକୁ କଡାକଡି କରି ଲୋକଙ୍କୁ ଭୋଟ ଦେବାକୁ ସଚେତନ କରାଉଛି। ସୁରକ୍ଷା କଡାକଡି ହେଉଥିବାରୁ ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଉଛି। ବିଶେଷକରି ବିଜେଡି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସହ ଜଡି ହୋଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ତେବେ ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ନକ୍ସଲ ପ୍ରବଣ ଥିବାରୁ ଏଠାକୁ କେହି ରାଜନେତା କେବେ ଯାଆନ୍ତି ନାହିଁ।  ପାଦପାଦକେ ବିପଦ ରହିଥିବା ବେଳେ କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନା ରହିଥାଏ।

ତେବେ ଏହାକୁ ଖାତିରି ନକରି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ କିନ୍ତୁ ଧୂଳିପୁଟରେ ବିଶାଳ ରାଲିର ଆୟୋଜନ କରିବା ସହ ସାଧାରଣ ସଭାର ଆୟୋଜନ କରିଥିଲେ। ହଜାର ହଜାର ଲୋକେ ଏହି ରାଲି ଓ ସାଧାରଣ ସଭାରେ ଭାଗ ନେଇଥିଲେ। ପ୍ରଦୀପ ମାଝୀ ନବୀନ ସରକାରଙ୍କର ବିଜୟ ଗାଥା ବଖାଣିଥିଲେ। ତାଙ୍କର ସ୍ବଚ୍ଛଶାସନ ଏବଂ ବିକାଶ ମୂଳକ କାର୍ଯ୍ୟର ଚିଠା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ବିଛିନ୍ନାଞ୍ଚଳରୁ ଆଜି ସ୍ବାଭିମାନ ଅଞ୍ଚଳ ରୂପେ ଏହି ଅଞ୍ଚଳକୁ ପରିଗଣିତ କରିବା ସହ ବିକାଶ କାର୍ଯ୍ୟକୁ ତରାନ୍ବିତ କରୁଛନ୍ତି। ଆଗାମୀ ଦିନରେ ଏଠାରେ ବିଜେଡିର ବିଜୟ ହେଲେ ଗାଁ ଗାଁକୁ ପାନୀୟ ଜଳ, ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ସହ ସମସ୍ତ ମୌଳିକ ସୁବିଧା ପହଞ୍ଚିପାରିବ ବୋଲି କୁହାଯାଇଥିଲା।

Sambad

ପୂର୍ବରୁ ମଧ୍ୟ ପ୍ରଦୀପ ମାଝୀ ଏଠାରେ ଜୋରଦାର ପ୍ରଚାର କରି ବିଜେଡିକୁ ବିଜୟ ମୁଖକୁ ଆଣିବାକୁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ପ୍ରଦୀପ ମାଝୀଙ୍କ ଭାଷଣ ଶୁଣିବାକୁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଥିଲା। ମାଲକନଗିରି ଜିଲ୍ଲା ଦାୟୀତ୍ବ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଯୋଗୁ ସେ ଦିନରାତି ଏକ କରି ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି।କାଲିମେଳା ଏବଂ ଚିତ୍ରକୋଣ୍ଡା ଜୋନରେ ଯେପରି ବିଜେଡି ବିଜୟୀ ହେବ ସନେଇ ସେ ପ୍ରଚାରକୁ ଆହୁରି ଜୋରଦାର କରିବେ ବୋଲି କହିଥିଲେ। ଧୂଳିପୁଟ ଭଳି ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ପହଞ୍ଚି ପ୍ରଚାର କରିବା ତାଙ୍କ ପାଇଁ ଏତେ ସହଜ ନଥିଲେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସେ ଆଜି ବିଜେଡି ପାଇଁ ଏକ ଉଦାହରଣ ହୋଇଛନ୍ତି।ଚିତ୍ରକୋଣ୍ଡାରେ ବିଜେଡି ଯଦି ବିଜୟ ହୁଏ ତେବେ ସମସ୍ତ ଶ୍ରେୟ ଶ୍ରୀ ମାଝୀଙ୍କୁ ଯିବ। କୌଣସି ମୂହୁର୍ତ୍ତରେ ବିପଦକୁ ଆଣନ୍ତ୍ରଣ କରିବା ଭଳି କାର୍ଯ୍ୟ ସେ ଦୁଃସାହସିକ ଭାବେ କରୁଥିବାରୁ ତାଙ୍କୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବିଜେଡି ଆଗକୁ ବଢିବା ଆରମ୍ଭ କରିଛି ବୋଲି ପ୍ରଦୀପ ମାଝୀ ପ୍ରକାଶ କରିଥିଲେ। ଏଥର ନିଶ୍ଚିତ ଭାବେ ବିଜେଡି ଜିଲ୍ଲା ପରିଷଦକୁ ହାତେଇବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ତେବେ କିଏ ଏହି ଜିଲ୍ଲା ପରିଷଦକୁ ହାତେଇବ ତାହା ସମୟ କହିବ ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର