ନିଆଳିରେ ସବୁ ଦଳଙ୍କୁ ଅସନ୍ତୁଷ୍ଟ ଅଡ଼ୁଆ: ପ୍ରାର୍ଥୀ ହେବେ, ପ୍ରାର୍ଥୀ ଛିଡ଼ା କରାଇବେ

ନିଆଳି: ନିଆଳି ବ୍ଲକରେ ଏବେ ସବୁ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅସନ୍ତୁଷ୍ଟମାନେ। ଏଭଳି ଘଟଣାରେ ପ୍ରଥମେ ନାଁ ଆସୁଛି ବିଳାଶୁଣୀ ପଂଚାୟତର ବରିଷ୍ଠ ବିଜେଡି ନେତା ପ୍ରକାଶ ମହାନ୍ତିଙ୍କର। ଶ୍ରୀ ମହାନ୍ତି ପୂର୍ବରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ପଂଚାୟତ ନିର୍ବାଚନରେ ସରପଂଚ ପାଇଁ ଲଢେଇ କରି ହାରି ଯାଇଥିଲେ। ସେ ଏବେ ଜିଲ୍ଲା ବିଜେଡି ଉପସଭାପତି ଥିବାବେଳେ ବ୍ଲକରେ ସାଂସଦଙ୍କ ପ୍ରତିନିଧି ଅଛନ୍ତି। ତେବେ ଏଥର ପ୍ରାର୍ଥୀ ଚୟନରେ ତାଙ୍କୁ ଦଳ ପକ୍ଷରୁ ଅଣଦେଖା କରାଯାଇଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ନିଜ ପତିଆରା ବଜାୟ ରଖିବା ପାଇଁ ପ୍ରାର୍ଥୀ ଠିଆ କରାଇବା ଯୋଜନାରେ ଅଛନ୍ତି।
ସେହିପରି ସିଠାଳୋ ପଂଚାୟତରେ ସରପଂଚ ପଦବି ମହିଳାଙ୍କ ସଂରକ୍ଷିତ ଥିବା ବେଳେ ପୂର୍ବତନ ସରପଂଚ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଥିବା ଓ ବର୍ତ୍ତମାନର ବିଜେଡି ବ୍ଲକ୍ ମହିଳା ସଭାନେତ୍ରୀ କବିତା ମହାପାତ୍ର ସରପଂଚ ପଦବି ପାଇଁ ଆଶାୟୀ ଥିଲେ। ତେବେ ଶ୍ରୀମତୀ ମହାପାତ୍ରଙ୍କୁ ଉପେକ୍ଷା କରାଯାଇ ଦଳ ପକ୍ଷରୁ ଅନ୍ୟ ଜଣଙ୍କୁ ସରପଂଚ ଲଢିବା ପାଇଁ ସ୍ଥିର କରାଯାଇଥିବାରୁ ଶ୍ରୀମତୀ ମହାପାତ୍ର ଅସନ୍ତୁଷ୍ଟ ଅଛନ୍ତି। ଦଳ ଉପେକ୍ଷା କଲେ ବି ସେ ପୁଣି ସରପଂଚ ପଦବିରେ ଲଢିବେ ବୋଲି ସୂଚନା ମିଳିଛି। ସେହିପରି କସର୍ଦା ପଂଚାୟତରେ ବିଜେଡି ସମର୍ଥିତ ସରପଂଚ ଭାବେ ଏବେ ଲିନା ସାହୁ ଥିବାବେଳେ ଏଥର ନିର୍ବାଚନରେ ତାଙ୍କ ଦିଅର ଗଗନ ସାହୁ ସରପଂଚ ପଦବି ପାଇଁ ଆଶାୟୀ ଅଛନ୍ତି। ତେବେ ଦଳ ଗଗନଙ୍କୁ ଉପେକ୍ଷା କରି ସମିତି ସଭ୍ୟ ଥିବା ସୁରେଶ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ଘଟଣାରେ ଶ୍ରୀ ସାହୁ ଅସନ୍ତୁଷ୍ଟ ରହିବା ସହିତ ନିଜେ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି। ସେହିପରି ଷଡାଂଶ, ବାହାରଣା, ଅଁଳୋ ଆଦି ପଂଚାୟତରେ ଦଳୀୟ ନେତାଙ୍କୁ ଉପେକ୍ଷା କରି ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖା ଦେଇଥିବାବେଳେ ଅସନ୍ତୁଷ୍ଟ ମାନେ ପ୍ରାର୍ଥୀ ହେବା ଓ ପ୍ରାର୍ଥୀ ଦେବା ଯୋଜନାରେ ଅଛନ୍ତି।

ଅନ୍ୟପଟେ ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କ ସାରଥୀ ସାଜିଥିବା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ ଛବିଙ୍କ ସହ ଦଳ ନଛାଡି ବିଜେପିରେ ଅଛନ୍ତି। ଶ୍ରୀ ରାଉତ ଅନେକ ପଂଚାୟତରେ ନିଜର ପ୍ରାର୍ଥୀ ଦେବା ଯୋଜନାରେ ଅଛନ୍ତି। ଯାହା ବିଜେପି ପାଇଁ ସମସ୍ୟା କରିପାରେ। ସେହିପରି ୨୧ ନମ୍ବର ଜିଲ୍ଲା ପରିଷଦ ପାଇଁ ପୂର୍ବରୁ ବିଜେପି ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ଅନ୍ୟ ଜଣଙ୍କ ନାମ ବିଜେପି ବ୍ୟାନରରେ ଦେଖିବାବୁ ମିଳୁଥିବାରୁ ତାହାକୁ ନେଇ ଅସନ୍ତୋଷ ବଢୁଛି। ତେଣୁ ୨୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ମଧ୍ୟରେ ଯାଇଥିବା ବିଭିନ୍ନ ପଂଚାୟତରେ ଅସନ୍ତୁଷ୍ଟ ମାନେ ପ୍ରାର୍ଥୀ ହେବା ଆଶା କରାଯାଉଛି। ନିଆଳି ବ୍ଲକ୍ ଏର‌ ପଂଚାୟତରେ ପ୍ରାର୍ଥୀ ଚନୟନକୁ ନେଇ କଂଗ୍ରେସ ଭିତରେ ବି ଦ୍ବନ୍ଦ୍ବ ସାମନାକୁ ଆସିଛି। କଂଗ୍ରେସ ସମର୍ଥନରେ ସରପଂଚ ପଦବି ପାଇଁ ଦୁଇ ଜଣ ପ୍ରାର୍ଥୀ ଆଗକୁ ବଢିଥିବା ବେଳେ ପ୍ରାର୍ଥୀ ଚୟନ ଲାଗି ସମିତି ସଭ୍ୟ ମନୋଜ ମହାପାତ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। କିନ୍ତୁ କଂଗ୍ରେସର ବ୍ଲକ୍ କର୍ମକର୍ତ୍ତା ମାନେ ଶ୍ରୀ ମହାପାତ୍ରଙ୍କୁ ଉପେକ୍ଷା କରି ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦେଇଥିବା ବେଳେ ଶ୍ରୀ ମହାପାତ୍ର ଅସନ୍ତୁଷ୍ଟ ହେବା ସହିତ ସେ ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ସରପଂଚ ପାଇଁ ଛିଡା କରାଇବା ଯୋଜନାରେ ଅଛନ୍ତି। ଏଭଳି ଘଟଣା ଅଳ୍ପବହୁତ ଅନ୍ୟ ପଂଚାୟତରେ ବି ଅଛି। ଯେହେତୁ ସରପଂଚ ଓ ସମିତି ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ହେବ ନାହିଁ, ତେଣୁ ନିର୍ବାଚନ ପରେ କିଏ କେଉଁ ଦଳ ସହିତ ରହିବେ, ତାହା ଆଗକୁ ସମୟ କହିବ।

ସମ୍ବନ୍ଧିତ ଖବର