ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ୧୫ ନମ୍ବର ଜୋନ୍‌ରେ ଏଥର ତିନି ପ୍ରମୁଖ ଦଳ ଭିତରେ କଡ଼ା ଟକ୍କର ହେବ। ଏଥର ବିଜେଡିରୁ ପ୍ରିୟଦର୍ଶିନୀ ତରାଇ, ଧୋୟାଞ୍ଚଳର ଜନପ୍ରିୟ ନେତା ତଥା ପୂର୍ବତନ ବିଧାୟକ ବିଶ୍ବନାଥ ମଲ୍ଲିକଙ୍କ ଝିଅ ମମତା ମଲ୍ଲିକ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ପୁଷ୍ପଲତା ଜେନା ରଣାଙ୍ଗନକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶିନୀ ଗତଥର ତରଡିପାଳ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ। ଅଭିଜ୍ଞତା ଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ଧୋୟାଞ୍ଚଳର ବିକାଶରେ ବିଶ୍ବନାଥ ମଲ୍ଲିକଙ୍କ ବହୁ ଅବଦାନ ଥିବାରୁ ଏହାକୁ ପାଥେୟ କରି ତାଙ୍କ ଝିଅ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ପୁଷ୍ପଲତା ଦଳୀୟ ଭୋଟକୁ ଭରସା କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ୩୧ ପଂଚାୟତ ସହ ୪ ଜିଲ୍ଲାପରିଷଦ ଜୋନ୍‌ ରହିଛି। ୩୧ ପଂଚାୟତକୁ ନେଇ ୧୫, ୧୬, ୧୭ ଓ ୧୮ ନଂ. ଜୋନ୍‌ ଗଠନ କରାଯାଇଛି। ଧୋୟାର ଉପାନ୍ତ ଅଂଚଳରେ ଥିବା ୧୦ଟି ପଂଚାୟତକୁ ନେଇ ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ଗଠନ କରାଯାଇଛି।  ଏହି ୧୦ଟି ପଂଚାୟତ ମଧ୍ୟରୁ ୯ଟି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ଗୋଟିଏ ପଂଚାୟତ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହୀ, ବଲୁରିଆ, ବ‌ାଲିପାଟଣା, ନୀଳକଂଠପୁର କେନ୍ଦ୍ରାପଡା ଅଧୀନରେ ରହିଛି। ବାଛରା ପଂଚାୟତ ରାଜନଗର ବିଧାନସଭା ଅଧୀନରେ ରହିଛି। ଗତ ନିର୍ବାଚନରେ ଏହି ଜୋନରେ ବିଜେପି ପ୍ରାର୍ଥୀ ନାରଦ ବିଶ୍ବାଳ ବିଜେଡି ପ୍ରାର୍ଥୀ ମାନସ ସାମଲଙ୍କୁ ୫ଶହରୁ ଅଧିକ ଭୋଟରେ ପରାଜିତ କରି ନିର୍ବାଚିତ ହୋଇଥିଲେ। ଗତ ପଂଚାୟତ ନିର୍ବାଚନରେ ତତକାଳୀନ କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତା ତରାଇ ପେଣ୍ଠପାଳ ପଂଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଂଚକତା କରି ତାଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରି ଦିଆଯାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ‌ହୋଇଥିଲା। ଏହା ନିର୍ବାଚନ ପ୍ରସଙ୍ଗ ପାଲଟିଥିଲା। ବିରୋଧୀମାନେ ଏହାକୁ ଆୟୁଧ କରି ବିଜେଡ଼ିକୁ ଘେରିଥିଲେ।

Advertisment

ଫଳରେ ବହୁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ପରାଜୟର ମୁହଁ ‌ଦେଖିବାକୁ ପଡ଼ିଥିଲା। ସରକାରଙ୍କ ହସ୍ତକ୍ଷେପ ଫଳରେ ବବିତା ଇସ୍ତଫା ଦେଇଥିଲେ। ବିଜେଡିର ଗଡ଼ କୁହାଯାଉଥିବା ଧୋୟା ଅଂଚଳର ଏହି ଜିଲ୍ଲାପରିଷଦ ଜୋନ ବି ବିଜେପି ହାତକୁ ଚାଲିଯାଇଥିଲା। ଏଥର କିନ୍ତୁ ଏଠାରେ ଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ନିର୍ବାଚନ ଲଢୁଛନ୍ତି। ଏହି ଜୋନରେ ଥିବା ୧୦ ପଂଚାୟତରେ ସରପଂଚ ଓ ସମିତିସଭ୍ୟ ଭାବେ ବିଜେଡିରୁ ଏକାଧିକ ପ୍ରାର୍ଥୀ ନିର୍ବାଚନକୁ ଓଲ୍ଲାଇଛନ୍ତି। ଏହି ଜୋନରେ ନିର୍ବାଚନ ପରିଚାଳନା କରୁଥିବା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ତାଙ୍କ ପୁଅ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ କାହାର ନାମ ଘୋଷଣା କରିନାହାନ୍ତି। ଜିଏ ଜିତିବ ସେ ଦଳର ବୋଲି ବିଧାୟକ ଶ୍ରୀ ବେହେରା ଧୋୟା ଅଂଚଳକୁ ଗସ୍ତ ସମୟରେ ଘୋଷଣ କରିଛନ୍ତି। ଫଳରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଗୋଷ୍ଠୀ କନ୍ଦଳର ଶିକାର ହେବାର ଦେଖିବାକୁ ମିଳିଛି। ଏଠାରେ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଛି।