ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ, ଶେଷ ୪ରୁ ୩ ଥର ମହିଳାଙ୍କ ପାଇଁ ସଂରକ୍ଷିତ

ରାଜନଗର: ରାଜନଗର ପଂଚାୟତ ସମିତି ଅଧ୍ୟକ୍ଷ ପଦ ଚଳିତ ପଂଚାୟତ ନିର୍ବାଚନରେ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କିଏ ବସିବ ଅଧ୍ୟକ୍ଷା ପଦରେ ଓ କିଏ ଦଖଲ କରିବ ପଂଚାୟତ ସମିତି ? ତାହାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି। ରାଜନଗର ବ୍ଲକରେ ୨୯ ପଂଚାୟତ ମଧ୍ୟରୁ ୧୫ ସମିତିସଭ୍ୟ ପଦବି ହାତେଇଥିବା ଦଳ ପଂଚାୟତ ସମିତି ଗଠନ କରିବ। ରାଜନଗର ପଂଚାୟତ ସମିତିରେ ଆଜିଯାଏ ୧୭ଜଣ ଅଧ୍ୟକ୍ଷ ପଦରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ୨୦୦୫ ମସିହା ଯାଏ ରାଜନଗର ପଂଚାୟତ ସମିତି ଅଧ୍ୟକ୍ଷ ପଦରେ କୌଣସି ମହିଳା ବସି ନ ଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସ୍ବର୍ଗତ ରବି ନାରାୟଣ ହାତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଭୋଟ ବାକ୍ସ ତାଡି ବିଜୟୀ ହୋଇଥିବା ପ୍ରମାଣିତ ହେବାରୁ ଉପାଧ୍ୟକ୍ଷ ପ୍ରେମଲତା ଦାସ ପ୍ରଥମ ମହିଳା ଭାବେ ଭାରପ୍ରାପ୍ତ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇ ଥିଲେ। କୋର୍ଟ ସ୍ବର୍ଗତ ହାତୀଙ୍କ ସଭ୍ୟ ପଦ ରଦ୍ଦ କରିବା ପରେ ସୁରେନ୍ଦ୍ର ପ୍ରସାଦ ରାଉତ ୮ମାସ ପାଇଁ ଅଧ୍ୟକ୍ଷ ହୋଇଥିଲେ। ଏହାପରେ ୨୦୦୭ରୁ ୨୦୧୨୩ ଯାଏ ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କଂଗ୍ରେସ ସମର୍ଥନରେ ପୁଷ୍ପଲତା ସିୟ ରାଜନଗର ପଂଚାୟତ ସମିତିର ପ୍ରଥମ ନିର୍ବାଚିତ ମହିଳା ଅଧ୍ୟକ୍ଷା ହୋଇଥିଲେ। ୨୦୧୨ରୁ ୨୦୧୭ ଯାଏ ଅଧ୍ୟକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ବିଜେଡି ସମର୍ଥନରେ ଲତିକା ସାହୁ ଅଧ୍ୟକ୍ଷା ହୋଇଥିଲେ। ୨୦୧୭ରୁ ୨୦୨୨ ଯାଏ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା। ବିଜେଡି ସମର୍ଥନରେ ଜୟୀରାମ ସେଠୀ ଅଧ୍ୟକ୍ଷ ଅଛନ୍ତି। ଚଳିତ ନିର୍ବାଚନରେ ରାଜନଗର ପଂଚାୟତ ସମିତି ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜନଗର ପଂଚାୟତ ସମିତିର ୨୯ ଆସନ ମଧ୍ୟରୁ ୧୫ଟି ପଂଚାୟତ ଅସଂରକ୍ଷିତ ମହିଳା, ଅନୁସୂଚିତ ଜାତି ମହିଳା ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଯେଉଁ ଦଳ ମ୍ୟାଜିକ ନମ୍ବର ୧୫ଟି ସମିତିସଭ୍ୟ ପଦବି ହାତେଇବ ସେହି ସଂଖ୍ୟା ମଧ୍ୟରୁ ନିର୍ବାଚିତ ମହିଳାମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷା ପଦରେ ବସିବ।

ରାଜନଗର ପଂଚାୟତ ସମିତି ଆରମ୍ଭରୁ ୨୦୦୫ ମସିହା ଯାଏ କୌଣସି ମହିଳା ଅଧ୍ୟକ୍ଷ ହୋଇନଥିବା ବେଳେ ୨୦୦୫ ରୁ ୨୦୨୨ ଯାଏ ୩ ଜଣ ମହିଳା ଅଧ୍ୟକ୍ଷା ପଦରେ ବସିଛନ୍ତି ଏବଂ ଚଳିତଥର ପୁଣି ଜଣେ ମହିଳା ଅଧ୍ୟକ୍ଷା ପଦରେ ବସିବେ। ଉଲ୍ଲେଖଥାଉ କି, ରାଜନଗର ପଂଚାୟତ ସମିତି ୧୮ଟି ପଂଚାୟତକୁ ନେଇ ଗଠିତ ହୋଇଥିଲା। ୨୦୧୭ ନିର୍ବାଚନରେ ପଂଚାୟତ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ୧୭ଜଣ ବସିଥିଲେ ମଧ୍ୟ ଅଭିଭକ୍ତ ରାଜନଗର ପଂଚାୟତରୁ ଆଜିଯାଏ କେହି ଅଧ୍ୟକ୍ଷ ପଦରେ ବସିନାହାନ୍ତି। ରାଜନଗର ବ୍ଲକ ମୁଖ୍ୟାଳୟର ନିର୍ବାଚନ ତାତି ଅନ୍ୟ ପଂଚାୟତରେ ପ୍ରଭାବ ପକାଇଥାଏ। ବ୍ଲକ ମୁଖ୍ୟାଳୟରୁ ନିର୍ବାଚନର ଗଣିତ କଷା ଯାଇଥାଏ। ନିର୍ବାଚନମଣ୍ତଳୀ ଓ ବ୍ଲକସ୍ତରୀୟ ନେତା ଏଠାରେ ବସି ପଂଚାୟତ ସମିତି ଦଖଲର ଗଣିତ କଷିଥାନ୍ତି। ମାତ୍ର ଆଜିଯାଏ ରାଜନଗର ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ଅଭିଭକ୍ତ ରାଜନଗର ପଂଚାୟତରୁ କାହାକୁ ଅଧ୍ୟକ୍ଷ ପଦ ମିଳିନାହିଁ। ଏହାକୁ ନେଇ ରାଜନଗର ପଂଚାୟତବାସୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କ୍ଷୋଭ ଦେଖିବାକୁ ମିଳିଥାଏ। ଚଳିତ ନିର୍ବାଚନରେ ଅଭିଭକ୍ତ ରାଜନଗର ପଂଚାୟତ ଏବର ରାଜନଗର ଓ ମହିଁଷାସୁର ପଂଚାୟତର ସମିତିସଭ୍ୟ ପଦବି ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜନଗର ପଂଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏପରି ସଂଯୋଗରେ ଚଳିତ ନିର୍ବାଚନ ପରେ ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ରାଜନଗର ଓ ମହିଁଷାସୁର ପଂଚାୟତରୁ ନିର୍ବାଚିତ ସମିତିସଭ୍ୟାମାନେ ବସିବେ ନାଁ ପୁଣି ରାଜନଗରକୁ ନିରାଶ ହେବାକୁ ପଡିବ, ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା।

ସମ୍ବନ୍ଧିତ ଖବର