ଜିଲ୍ଲା ପରିଷଦ ନିର୍ବାଚନ: ରାୟଗଡ଼ାରେ କ୍ଷମତାକୁ ଫେରିବାକୁ ବିଜେପିର ସଂଘର୍ଷ

ରାୟଗଡ଼ା: ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ନାହାନ୍ତି ମନ୍ତ୍ରୀ କି ବିଧାୟକ। କେହି ଷ୍ଟାର ପ୍ରଚାରକ ମଧ୍ୟ ବାହାରୁ ଆସି ନାହାଁନ୍ତି। ତଥାପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ରାୟଗଡ଼ା ଜିଲ୍ଲାର ୨୨ ଜିଲ୍ଲା ପରିଷଦ ଆସନରେ ସଂଘର୍ଷ ଜାରି ରଖିଛି ବିଜେପି। ୨୦୧୭ ନିର୍ବାଚନରେ ଦଳ ୪ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲା। ଚଳିତଥର ଅଧିକ ଆସନରେ ବିଜୟୀ ପାଇଁ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ। ୨୦୧୭ ପଞ୍ଚାୟତ ନିର୍ବାଚନକୁ ଛାଡ଼ିଲେ ଏହା ପୂର୍ବରୁ ଅନ୍ୟ ୪ ନିର୍ବାଚନରେ ବିଜେପି ଗୋଟିଏ ବି ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇପାରିନଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଠନ କରି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପରେ ଏହାର ପ୍ରଭାବ ତୃଣମୂଳସ୍ତରରେ ପଡ଼ିବା ଆରମ୍ଭ କରିଥିଲା। ୨୦୧୭ ନିର୍ବାଚନରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଦୁଇ ଜିଲ୍ଲା ପରିଷଦ ଆସନରେ ବିଜେପି ପ୍ରାର୍ଥୀ ସାରଦା ସେନାପତି, ପୁଷ୍ପାଞ୍ଜଳି ମୁଟୁକା ବିଜୟୀ ହୋଇଥିଲେ। ସେହିପରି ମୁନିଗୁଡା ବ୍ଲକର ‘ଖ’ ଜୋନରେ ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ବେହେରା ବିଜୟୀ ହୋଇଥିବା ବେଳେ ପଦ୍ମପୁର ‘କ’ ଜୋନରୁ ନେତ୍ରାନନ୍ଦ କୈବର୍ତ୍ତ ବିଜୟୀ ହୋଇଥିଲେ। ଯାହା ଶାସକ ବିଜେଡ଼ି ପାଇଁ ଅଡ଼ୁଆ ସୃଷ୍ଟି କରିବା ସହ ଜିଲ୍ଲା ପରିଷଦ ଗଠନରେ ମୂଳ କଣ୍ଟା ସାଜିଥିଲା। ବିଜେଡ଼ି ୭ ଆସନରେ ଜିତିଥିବା ବେଳେ କଂଗ୍ରେସ ସର୍ବାଧିକ ୧୧ ଜୋନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିଥିଲା।

ଶୂନରୁ ସଂଗଠନ ଆରମ୍ଭ କରିଥିବା ବିଜେପି ୪ ଆସନ ଜିତିବା ନେଇ ଦଳୀୟ କର୍ମୀ ଓ ନେତାଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା। ପଞ୍ଚାୟତ ନିର୍ବାଚନ ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରି ୩ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡ଼ିଥିଲା। ସାଧାରଣ ନିର୍ବାଚନରେ ବିଜେପି ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀ ରାୟଗଡ଼ା, ଗୁଣପୁର, ବିଷମକଟକରେ ବିଜୟୀ ହୋଇନଥିଲେ ମଧ୍ୟ ଭୋଟହାର ବୃଦ୍ଧିରେ ସହାୟକ  ହୋଇଥିଲା। ସବୁଠି ଦଳ ତୃତୀୟ ସ୍ଥାନରେ ରହିଥିଲା। ଧୀରେଧୀରେ ଦଳର ଭୋଟହାରରେ ବୃଦ୍ଧି ଘଟୁଥିବା ବେଳେ ୨୦୨୦ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପିର ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ ନେତ୍ରାନନ୍ଦ କୈବର୍ତ୍ତ, ପୁଷ୍ପାଞ୍ଜଳି ମୁଟୁକା ଦଳୀୟ ହୁଇପକୁ ଅବମାନନା କରି ବିଜେଡ଼ି ପ୍ରାର୍ଥୀକୁ ଭୋଟ ଦେଇ ବିଜୟୀ କରାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଜେପି ଏହି ଦୁଇ ପ୍ରାର୍ଥୀଙ୍କୁ ଦଳର ବହିଷ୍କାର କରିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଗଠନ ଲକ୍ଷ୍ୟ ରଖି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଛି। କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଚାରରେ ସାମିଲ୍ କରିବାକୁ ଦଳ ଯୋଜନା କରିଥିଲା। କିନ୍ତୁ କୋଭିଡ଼୍ କଟକଣା ପାଇଁ ଜିଲ୍ଲା ପ୍ରଭାରି ଗୋବିନ୍ଦ ଜୈନ୍, ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର