ଟାଙ୍ଗୀ: ସେ ୧୯୮୪ରୁ ୮୯ ଯାଏ ସରପଂଚ ଥିଲେ। ଏବେ ଦୀର୍ଘ ୩୩ ବର୍ଷ ପରେ ପୁଣି ଥରେ ସେ ଏବେ ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୭୨ ବର୍ଷୀୟ ଭୁବନାନନ୍ଦ ରାଉତ ସରପଂଚ ପାଇଁ ନିର୍ବାଚନ ଲଢିବା ସହିତ କେତେବେଳେ ସାଇକେଲରେ ତ କେତେବେଳେ ଚାଲିଚାଲି ଗାଁରୁ ଗାଁ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମାଗୁରା-ଧାନ ମଣ୍ଡଳର ସରପଞ୍ଚ ପ୍ରାର୍ଥୀ ଭୁବନାନନ୍ଦ ରାଜନୀତି ନିଶାରେ ଦୁଇ ଦୁଇଟା ସରକାରୀ ଚାକିରି ଛାଡି ଦେଇଥିଲେ। ବିଏ ପାସ୍ କରିଥିବା ଭୁବନାନନ୍ଦ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜଣେ ଛାମୁଆ ସଙ୍ଗଠକ ଭାବେ ପରିଚୟ ହାସଲ କରିଥିଲେ। ଅଞ୍ଚଳବାସୀ ତାଙ୍କୁ ୧୯୮୪ରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଭାବେ ଜିତାଇଥିଲେ।
ତାଙ୍କ ସମୟରେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତାଘାଟ ଆଦିର ବିକାଶ କରିବା ସହିତ ଗୋବିନ୍ଦପୁର ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ ୧୫ ବର୍ଷ ଦାୟିତ୍ୱ ତୁଲାଇଥିବା ସେ କହିଛନ୍ତି। ଏବେ ଗୋବିନ୍ଦପୁର ପଞ୍ଚାୟତରୁ ଅଲଗା ହୋଇ ଥିବା ନୂଆ ମାଗୁରା-ଧାନ ମଣ୍ଡଳ ପଞ୍ଚାୟତରେ ଦୁର୍ନୀତିର ମାତ୍ରା ବଢ଼ି ଯାଇଛି। ଦୁର୍ନୀତି ଦେଖି ତାଙ୍କ ଦେହ ସହୁନି। ବୟସ ୭୨ବର୍ଷ ହେଲେ ବି ଛାତିରେ ସିଂହର ଦମ୍ଭ ରଖିଛି। ଆତ୍ମବିଶ୍ୱାସ ଅଛି ଆଉ ଥରେ ସରପଞ୍ଚ ହେଲେ ଅଞ୍ଚଳରେ ଦୁର୍ନୀତିକୁ ମୂଳପୋଛ କରିବା ସାଙ୍ଗକୁ ଦୁର୍ନୀତିଖୋରଙ୍କୁ ପାନେ ଚଖାଇବି ବୋଲି ଭୁବନାନନ୍ଦ ପ୍ରଚାର ସମୟରେ କହୁଛନ୍ତି। ପଞ୍ଚାୟତରେ ତାଙ୍କୁ ମିଶାଇ ତିନି ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/70-years.jpg)