ଜିଲ୍ଲା ପରିଷଦ ନିର୍ବାଚନ: ପ୍ରମୁଖ ଦଳ ଗୁଡ଼ିକର ସାଂଗଠନିକ ରଣନୀତି ବାଟହୁଡ଼ା

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବାଟହୁଡ଼ିବାରେ ଲାଗିଛି। ଗତ ଦୁଇଟି ନିର୍ବାଚନରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଭାରତୀୟ ଜନତା ପାର୍ଟି ଏବେ ଦଳୀୟ କନ୍ଦଳରେ ପ୍ରଚାର ଗାଡ଼ିର ବେଗ ଧିମେଇ ଯାଇଛି। କ୍ରମାଗତ ଭାବେ ଜିଲ୍ଲାର ପଞ୍ଚାୟତ କ୍ଷମତାକୁ ହାତେଇଥିବା ବିଜେଡି ବିକାଶ ନୁହେଁ ବରଂ କେନ୍ଦ୍ର ସରକାର ବିରୋଧରେ ଚାଷୀ, ଦର ବୃଦ୍ଧି ଆଦିକୁ ନେଇ ଥିବା ଜନଅସନ୍ତୋଷକୁୁ ଭରସା କରି ନିର୍ବାଚନ ବୈତରଣୀ ପାର ହେବ ବୋଲି ମାନସିକ ପ୍ରସ୍ତୁତି କରିଥିବା ଭଳି ଜଣାପଡ଼ୁଛି। ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ଜନସମର୍ଥନର ସିଡ଼ିରେ ତଳକୁ ତଳ ଓହ୍ଲାଉଥିବା ବେଳେ ଏଥର ନେତାଶୂନ୍ୟ ଓ ସଂଗଠନ ଶୂନ୍ୟ ଅବସ୍ଥାରେ ରହିଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ନିର୍ବାଚନର ପୃଷ୍ଟଭୂମୀକୁ ଅନୁଶୀଳନ କଲେ ଉପରୋକ୍ତ କଥା ବେଶ୍ ଅନୁମାନ କରାଯାଏ। ୨୦୧୨ରେ ଖୋର୍ଦ୍ଧା ଜିଲ୍ଲାରେ ୨୫ଟି ଆସନରେ ବିଜେଡି, ୨ଟିରେ ବିଜେପି, ୨ଟିରେ ସ୍ୱାଧୀନ ଓ ଗୋଟିଏ ଆସନରେ କଂଗ୍ରେସ ଜିତିଥିଲେ। ଏଥିରେ ବାଲିଅନ୍ତା ବ୍ଲକ ବାଳକାଟିର ମୀନାକ୍ଷୀ ସାହୁ ଅଧ୍ୟକ୍ଷା ଓ ବୋଲଗଡ଼ର ପ୍ରଦୀପ୍ତ କିଶୋର ଛୋଟରାୟ ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ୨୦୧୭ ନିର୍ବାଚନରେ କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ବିଜେଡିର ଯେଉଁ ଆଧିପତ୍ୟ ଥିଲା ତାହା ହ୍ରାସ ପାଇଥିଲା। କଂଗ୍ରେସ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମୋଟ ୭୬.୨ ପ୍ରତିଶତ ମତ ଦାନ ହୋଇଥିଲା। ବିଜେଡି ପାଇଁ ବେଗୁନିଆ, ବୋଲଗଡ଼, ଚିଲିକା, ଟାଙ୍ଗୀ, ବାଣପୁର କଡ଼ା ଟକ୍କର ଦେଇଥିଲା। ଏପରିକି ବୁଥସ୍ତରୀୟ ବିଶୃଙ୍ଖଳା ଆଦି ପାଇଁ ବେଗୁନିଆ ବ୍ଲକର ୨, ୧୪, ୧୫, ୧୬ ନମ୍ବର ବୁଥରେ ପୁନଃ ନିର୍ବାଚନ ହୋଇଥିବା ବେଳେ, ବିଜେଡି ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଜଟଣୀର କଣ୍ଟିଆର ୩, ୪, ୫, ୧୨, ୧୩, ୧୪ ଓ ଛଣଘରର ୧୫ ନମ୍ବର ବୁଥର ଭୋଟର ଭୋଟ ବର୍ଜନ କରିଥିଲେ।

ଏହି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ୨୦୧୨ ଠାରୁ ହ୍ରାସ ପାଇ ୨୦କୁ ପହଞ୍ଚିଥିବା ବେଳେ ବିଜେପିର ଆସନ ସଂଖ୍ୟା ୨୦୧୨ରେ ୨ରୁ ୧୦କୁ ବୃଦ୍ଧି ପାଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜେଡିର ପ୍ରଫୁଲ୍ଲ ଦଳେଇ ଓ ଉପାଧ୍ୟକ୍ଷ ଭାବେ ସୁନୀତା ରାଉତରାୟ ମନୋନୀତ ହୋଇଥିଲେ। ବର୍ତ୍ତମାନ ଟାଙ୍ଗୀର ବିଜେପିର ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ବିଜେଡିରେ ଯୋଗ ଦେଇଥିବା ବେଳେ ବିଜେପିରେ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଯୋଗୁଁ ବିଜେପି ପ୍ରତି ସାଧାରଣ ଭୋଟରଙ୍କ ମଧ୍ୟରେ ଯେଉଁ ସମର୍ଥନ ରହିଛି ତାକୁ ହାତେଇ ନେବାରେ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି।

ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଓ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେପିର ସମ ଗୋଷ୍ଠୀ କନ୍ଦଳ ରହିଛି। କଂଗ୍ରେସ ଯେଉଁ ତୃଣମୂଳ ନେତାଙ୍କୁ ନେଇ ୨୦୧୨ ଓ ୨୦୧୭ରେ ଯେଉଁ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ଅଧିକାଂଶ ନେତା ବିଜେପି ଓ ବିଜେଡି ମୁହାଁ ହୋଇଯାଇଛନ୍ତି। ଜିଲ୍ଲାରେ କଂଗ୍ରେସ ଏକପ୍ରକାର ନେତୃତ୍ୱବିହୀନ ଅବସ୍ଥାରେ ରହିଥିବାରୁ ନିର୍ବାଚନରେ ଅବସ୍ଥା ୨୦୧୭ ଠାରୁ ଦୟନୀୟ ହେବା ଆଶଙ୍କା ରହିଛି। ଅପରପକ୍ଷରେ, ବିଜେଡିରେ ମଧ୍ୟ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଓ ଅସନ୍ତୋଷ ତୀବ୍ର ଭାବେ ରହିଥିଲେ ମଧ୍ୟ ଏହା ସ୍ଥଳ ବିଶେଷରେ ବିଶେଷ ଭାବେ ଦଳ ବିରୋଧରେ ରୂପାନ୍ତରିତ ହୋଇନାହିଁ। କିନ୍ତୁ ଦଳ ଅଞ୍ଚଳର ବିକାଶକୁ ଏଡ଼ାଇ ବିଜେପି ବିରୋଧରେ ଚାଷୀ ଆନ୍ଦୋଳନ, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପୁଞ୍ଜି କରିବାକୁ ଯୋଜନା କରିବା ଭଳି ଜଣାଯାଉଛି। ତେବେ ନିର୍ବାଚନ ସମୟ ଆହୁରି ୨-୩ ମାସ ଥିବା ବେଳେ ରାଜନୈତିକ ଦଳ ଗୁଡ଼ିକର ଚିତ୍ରପଟ୍ଟ ପରିବର୍ତ୍ତନ ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର