ପୌରନିର୍ବାଚନ ନିମନ୍ତେ ପ୍ରସ୍ତୁତି: ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣକୁ ନେଇ ଚିନ୍ତାରେ ନେତା

ଜୟପୁର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏପରି ସମୟରେ ୩ବର୍ଷ ପରେ ପୌରପାଳିକା ନିର୍ବାଚନ କରିବା ପାଇଁ ବି ରାଜ୍ୟ ସରକାର ଘୋଷଣା କରିଛନ୍ତି। ନିର୍ବାଚନ ପ୍ରକ୍ରିୟାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ପୌରାଞ୍ଚଳରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯିବ। ଜୟପୁର ପୌରପାଳିକାରେ ୨୮ଟି ୱାର୍ଡ ରହିଛି। ଏହାରି ମଧ୍ୟରେ ସହରର ଚତୁଃପାର୍ଶ୍ବରେ ବୃଦ୍ଧି ପାଇଛି। ନୂଆ ନୂଆ ସାହି, କଲୋନୀ ହେବା ସହ ବ୍ଲକର କିଛି ଗାଁକୁ ମଧ୍ୟ ସହର ଲାଗି ଯାଇଛି। ତେବେ ଗତ ପୌରପରିଷଦ ବୈଠକରେ ୱାର୍ଡ ବୃଦ୍ଧି ନେଇ ଆଲୋଚନା ହୋଇ ନଥିଲା। ୨୦୧୧ଜନଗଣନା ଅନୁଯାୟୀ ୨୮ଟି ୱାର୍ଡରେ ୪୨ହଜାର୨୨୮ଜଣ ମହିଳା ଓ ୪୨ହଜାର ୬୦୨ଜଣ ପୁରୁଷ ଏଭଳି ୮୪ହଜାର ୮୩୦ଜଣ ରହିଛନ୍ତି।

ଏମାନଙ୍କ ମଧ୍ୟରୁ ଅନୂସୂଚିତ ଜାତି ମହିଳା ୫୦୭୯ ଓ ପୁରୁଷ ୪୮୧୯ ଏଭଳି ସର୍ବମୋଟ ୯୮୯୮ଜଣ ରହିଛନ୍ତି। ସେଭଳି ଅନୁସୂଚିତ ଜନଜାତି ୪୭୪୩ଜଣମହିଳା, ୪୩୨୬ଜଣ ପୁରୁଷ ଏଭଳି ସର୍ବମୋଟ ୯୦୬୯ଜଣ ରହିଛନ୍ତି। ତେବେ ଏସଏସି ଓ ଏସଟି ବର୍ଗରେ ମହିଳା ଭୋଟର ଅଧିକା ରହିଥିବା ସୂଚନା ମିଳିଛି। ଆସନ୍ତା ନଭେମ୍ବର ୯ ତାରିଖରେ ପୌରପାଳିକା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ୧୮ ତାରିଖ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ଓ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପଠାଇବେ। ଜିଲ୍ଲାପାଳ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବେ।

ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ସିଧାସଳଖ ନଗର ଉନ୍ନୟନ ବିଭାଗକୁ ଜଣାଇବେ। ଏଥି ପୂର୍ବରୁ ଆସନ୍ତା ୧ତାରିଖ ଦିନ ଭୁବନେଶ୍ବରରେ ଏସବୁ ପ୍ରକ୍ରିୟା ପରିଚାଳନା କରିବା ପାଇଁ ପୌରକର୍ମକ୍ଷଚାରୀ ମାନଙ୍କୁ ତାଲିମ ଦେବାକୁ ଯୋଜନା କରାଯାଇଛି। ଜୟପୁର ପୌରପାଳିକାର ଜଣେ କର୍ମଚାରୀ ଏହି ତାଲିମରେ ଭାଗ ନେବେ ବୋଲି ସୂଚନା ମିଳିଛି। ପୌର ଆଇନ୍ରେ ହୋଇଥିବା ସଂଶୋଧନ ଅନୁଯାୟୀ ଏଥର ୱାର୍ଡ ସଂରକ୍ଷଣ କରାଯିବ। ମୋଟ୍ ସଂରକ୍ଷଣ ୫୦% ଭିତରେ ସୀମିତ ରହିବ। ପୂର୍ବ ପରି ଅନୁସୂଚିତ ଜାତି(ଏସସି)କୁ ୧୬.୨୫% ଓ ଅନୁସୂଚିତ ଜନଜାତି(ଏସଟି)କୁ ୨୨.୫% ସଂରଣ ଦିଆଯିବ। ତେଣୁ ପୌରସଂସ୍ଥାରେ ପଛୁଆ ବର୍ଗ ସଂରକ୍ଷଣ କମିଯିବ। ଅନ୍ୟ ପକ୍ଷରେ ଏବେ ସିଧାସଳଖ ଅଧ୍ୟକ୍ଷ ପଦବୀ ନିର୍ବାଚନ ତା ସାଙ୍ଗକୁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର