ଆସନ୍ତା ୧ରୁ ମାସେବ୍ୟାପୀ ଚାଲିବ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଅଭିଯାନ

ଖୋର୍ଦ୍ଧା: ଆସନ୍ତା ନଭେମ୍ବର ୧ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ଚାଲିବ । ଏଥିରେ ଭୋଟର ତାଲିକାର ନାମ ପଞ୍ଜିକରଣ, ବାଦ ଓ ସଂଶୋଧନ କରାଯିବ ବୋଲି ଆଜି ଏନେଇ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକ ପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକର ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସଠିକ ଭୋଟର ତାଲିକା ପ୍ରସ୍ତୁତି ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାରେ ଏହା ସହାୟକ ହେବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଯୋଗ ଦେଇ କହିଥିଲେ ଯେ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଫର୍ମ ୬, ନାଁକୁ ବାଦଦେବା ପାଇଁ ଫର୍ମ-୭, ନାମ ସଂଶୋଧନ ପାଇଁ ଫର୍ମ-୮ ଓ ଉଲ୍ଲେଖ ହୋଇଥିବା ନାମର ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ ୮(କ)ରେ ଦରଖାସ୍ତ ମତଦାନ କେନ୍ଦ୍ରରେ ଗ୍ରହଣ କରାଯାଉଛି । ଜାନୁଆରୀ ୧ ତାରିଖ ୨୦୨୨ ସୁଦ୍ଧା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ନୂତନ ଭୋଟର ଭାବେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ନଭେମ୍ବର୧, ୨୦୨୧ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ । ୩୦ ତାରିଖ ଯାଏଁ ଦାବି ଓ ଆପତ୍ି ଗ୍ରହଣ କରାଯିବ । ୭ ଓ ୨୧ ତାରିଖରେ ସ୍ୱତନ୍ତ୍ର ଅଭିଯାନ, ୨୦ ଡିସେମ୍ବର ୨୦୨୧ ତାରିଖ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ଓ ଜାନୁଆରୀ ୫ ତାରିଖ ୨୦୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ଉପଜିଲ୍ଲାପାଳ (ଖୋର୍ଦ୍ଧା) ଆଇ ଗୌରବ ଶିବାଜୀ, ଡେପୁଟି କଲେକ୍ଟର (ନିର୍ବାଚନ) ମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର