ପୌର ନିର୍ବାଚନ ପାଇଁ ତତ୍ପରତା: କୋଟିଏର ପ୍ରକଳ୍ପ ଉଦ୍‌ଘାଟିତ; ଝଲସିଲା ବେଳାଭୂମି

ଜଗତସିଂହପୁର: ଆଗକୁ ଆସୁଛି ପୌର ନିର୍ବାଚନ। କେତେବେଳେ ଏଥିପାଇଁ ବିଜ୍ଞପ୍ତି ଜାରି ହେବ, ତାହା ଜଣା ନାହିଁ। ସେଥିପାଇଁ ନିର୍ମାଣ କାମ ଶେଷ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ଗତ ୧୭ ତାରିଖରେ ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ସମ୍ବିତ ରାଉତରାୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଏହି ମାରାଥାନ୍ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏହାସହ ୧୯ ଜଣ ହିତାଧିକାରୀଙ୍କୁ ଭେଣ୍ତିଂ ଜୋନ୍ ନିମନ୍ତେ ପ୍ରମାଣପତ୍ର ଦିଆଯାଇଥିଲା।

ୱାର୍ଡ–୨ ସାମନ୍ତରାୟ କଲୋନିରେ ୭,୩୬,୩୦୦ ଟଙ୍କା ବ୍ୟୟରେ ଗୋଷ୍ଠୀ କେନ୍ଦ୍ର, ୱାର୍ଡ–୬ ରେଲଓ୍ବେ କଲୋନି ନିକଟରେ ୧୪,୦୬,୦୦୦ ଟଙ୍କା ବ୍ୟୟରେ ଏକ ଶୌଚାଳୟ, ୱାର୍ଡ–୧୬ ନୂଆବଜାରରେ ୩୮,୪୨,୪୦୦ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟକୁ ମଧ୍ୟ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ସେହିପରି ୱାର୍ଡ–୧୯ରେ ୧୩,୧୭୦୦୦ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ, ୱାର୍ଡ–୧୮ ଷଣ୍ଢକୁଦରେ ୪୯,୭୨,୬୦୦ ଟଙ୍କା ବ୍ୟୟରେ ସ୍କୁଲ ଗୃହ, ୱାର୍ଡ–୧୪ ହୋଟେଲ ଏମ୍ପାୟର୍ସ ନିକଟରେ ୧୩,୨୭୦୦୦ ଟଙ୍କା ବ୍ୟୟରେ ଶୌଚାଳୟ, ପୌରପାଳିକା କାର୍ଯ୍ୟାଳୟରେ ୨୦,୦୦୦ ଟଙ୍କା ବ୍ୟୟରେ ସାଇକଲଷ୍ଟାଣ୍ତ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ବେଳାଭୂମି ଆଲୋକୀକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରାଯାଇଛି। ଫଳରେ ବେଳାଭୂମିଟି ବେଶ୍ ମନୋରମ ଦେଖାଯାଉଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟ ଓ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଶ୍ରୀ ରାଉତରାୟ ଯୋଗ ଦେବା ପରେ ସହରକୁ ସଜାଡ଼ିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ପୌରପାଳିକାବାସୀଙ୍କ ଉନ୍ନତି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଆଜି ଯେଉଁ ଯେଉଁ ୱାର୍ଡରେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ କରାଯାଉଥିଲା ସେଠକାର ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପାରିଷଦ ଅଜୟ ନାୟକ, ଚପଳା ସ୍ବାଇଁ, ଶଙ୍କରପ୍ରସାଦ ରାଉତ, ଚିତ୍ତରଂଜନ ସାମନ୍ତରାୟ, ସହଦେବ ସାମନ୍ତରାୟ, ବିଜେଡି ନେତା କୁମରବର ନାୟକ, ବିଧାୟକଙ୍କ ପ୍ରତିନିଧି ରଶ୍ମିରଂଜନ ପରିଡ଼ା ଓ ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର