କଟକ: କିଏ ଜତିବ, ବିଜୟ ବ୍ୟବଧାନ କେତେ ରହିବ, ଏହାକୁ ନେଇ ଏବେ ଚାଲିଛି ଅଙ୍କକଷା। କଟକ ଜିଲ୍ଲାର ୧୨ଟି ବ୍ଲକ୍ର ନିର୍ବାଚନ ସରିଥିବା ବେଳେ ଗୁରୁବାର ଶେଷ ଭୋଟ ଦେବେ ନିଆଳି ଓ ବାଙ୍କୀବାସୀ। ୨୦୧୭ ନିର୍ବାଚନର ସ୍ଥିତି ଯଦି ଦେଖାଯାଏ ତାହେଲେ କଟକ ଜିଲ୍ଲାର ୪୬ ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ୩୭, ବିଜେପି ୮ ଓ ସ୍ବାଧୀନ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜେଡି ନେତା କ୍ଲିନ୍ ସ୍ବିପ୍ ଆଶା ରଖିଥିବା ବେଳେ ବିଜେପି ଅଧିକ ଜୋନ୍ ପାଇବ ଏବଂ କଂଗ୍ରେସ ଖାତା ଖୋଲିବ ବୋଲି ସେ ଦଳର ନେତା ବି ଦମ୍ଭୋକ୍ତି କରୁଛନ୍ତି। ଜିଲ୍ଲାର ୪୬ଟି ଜିଲ୍ଲା ପରିଷଦ ଜୋନରୁ ୩୯ଟି ଆସନର ନିର୍ବାଚନ ଶେଷ ହୋଇଛି। ନିଜନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ସବୁ ଜୋନ୍ ଜିତିବ ବୋଲି ବିଜେଡିର ବିଧାୟକମାନେ ଦାବି କରୁଛନ୍ତି। ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା କିନ୍ତୁ ଗତ ନିର୍ବାଚନ ତୁଳନାରେ ବିଜେପି ଏଥର ଅଧିକ ଜୋନରେ ଜିତିବ ଓ ଭୋଟ ହାର ବି ବଢିବ ବୋଲି ଦୃଢୋକ୍ତି କରିଛନ୍ତି। ହେଲେ ଗତ ନିର୍ବାଚନରେ ବଡମ୍ବା, ନରସିଂହପୁର, ମାହାଙ୍ଗାର ଯେଉଁ ସବୁ ଆସନ ବିଜେପି ଦଖଲ କରିଥିଲା, ସେହି ସବୁ ଆସନରେ ଦଳ ଏଥର ଜିତିବା ଭଳି କସରତ କରି ନଥିବା ଦଳର କର୍ମୀମାନେ ବି ସ୍ବୀକାର କରୁଛନ୍ତି।
ବଡମ୍ବା ନିର୍ବାଚନମଣ୍ଡଳୀରେ ବିଜେପିର ପୁରୁଣା କର୍ମୀଙ୍କୁ ଅଣଦେଖା ଓ ସେମାନଙ୍କୁ ଚଳିତ ନିର୍ବାଚନରେ ପ୍ରଚାର ମଇଦାନରେ ମଧ୍ୟ ଦେଖିବାକୁ ମିଳି ନଥିଲା। ଅନ୍ୟପଟେ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ ଦଳ ସଦରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରଚାର ଜୋରଦାର କରିଥିବା ବେଳେ ସାଲେପୁରରେ ଇଂ ଆକ୍ୟୁବ୍ ଖାନ୍ କଂଗ୍ରେସ ଗଡକୁ ସଜାଡିବାରେ ପୂରା ଦମ୍ ଲଗାଇ ଦେଇଥିଲେ। ମାହାଙ୍ଗାରେ ଦେବେନ୍ଦ୍ର ସାହୁ କଂଗ୍ରେସ ମଙ୍ଗ ଧରିଥିବା ବେଳେ ନିଆଳି, କଣ୍ଟାପଡାରେ ପଂଚାନନ କାନୁନଗୋ ଓ ରବି ମଲ୍ଲିକ ମିଳିତ ଶକ୍ତି ଖଟାଇଛନ୍ତି କଂଗ୍ରେସ ପାଇଁ। ଆଠଗଡ଼, ତିଗିରିଆ ଓ ବାଙ୍କୀରେ ମଧ୍ୟ କଂଗ୍ରେସ ଅପେକ୍ଷାକୃତ ଅଧିକ ପ୍ରଚାର ଅଭିଯାନ ଚଳାଇଥିଲା। ନିଆଳିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାଏକ ପ୍ରଚାର କରିଥିବାବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନ୍ନ୍ଗୋ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଶଶିକାନ୍ତ ଲେଙ୍କା ପ୍ରମୁଖ ବି ବିଭିନ୍ନ ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି।
ଏଭଳି ସ୍ଥିତିରେ କଂଗ୍ରେସ ଖାତା ଖୋଲିବ, ବିଜେପି ଜୋନ୍ ସଂଖ୍ୟା ବଢାଇବ ନା ବିଜେଡି କ୍ଲିନ୍ ସ୍ବିପ୍ କରିବ, ତାହା ଆସନ୍ତା ୨୮ ତାରିଖରେ ସ୍ପଷ୍ଟ ହେବ।