ରାୟଗଡା: ସାଧାରଣ ନିର୍ବାଚନକୁ ଆଉ ୭ରୁ ୮ ମାସ ସମୟ ରହିଛି। ରାଜ୍ୟରେ ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ରାଜନୈତିକ ଦଳ ଗୁଡିକ କ୍ଷେତ୍ର ପ୍ରସ୍ତୁତ ଆରମ୍ଭ କରି ଦେଲେଣି। ବର୍ଷା ନ ହେବାରୁ ଚାଷ ବିଗିଡି ଯାଇଥିଲେ ମଧ୍ୟ ରାଜନୈତିକ ଦଳ ଗୁଡିକ ନିଜର ଚାଷ କାମ ଆରମ୍ଭ କରି ଦେଇଛନ୍ତି। ରାୟଗଡା ଜିଲ୍ଲାରେ ୩ଟି ନିର୍ବାଚନ ମଣ୍ଡଳୀ ରହିଛି। ସେଗୁଡିକ ହେଲା ୧୩୮- ଗୁଣୁପୁର ନିର୍ବାଚନ ମଣ୍ଡଳୀ, ୧୩୯- ବିଷମକଟକ ନିର୍ବାଚନ ମଣ୍ଡଳୀ ଏବଂ ୧୪୦- ରାୟଗଡା ନିର୍ବାଚନ ମଣ୍ଡଳୀ। ରାୟଗଡା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ ପ୍ରକାର ରାଜନୈତିକ ଉଷ୍ମତା ରହିଛି ଏହାକୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ପକ୍ଷରେ ରଖିବାକୁ ଚାହୁଁଛନ୍ତି।
ରାୟଗଡା ନିର୍ବାଚନ ମଣ୍ଡଳୀରେ ୨,୪୬,୦୫୫ ଭୋଟର ରହିଥିବା ବେଳେ ୧,୧୬,୫୦୩ ପୁରୁଷ ଭୋଟର ଏବଂ ୧,୨୯,୪୪୭ ମହିଳା ଭୋଟର ରହିଛନ୍ତି। ତୃତୀୟ ଲିଙ୍ଗ ୧୦୫ ଜଣ ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି।ଏହି ନିର୍ବାଚନ ମଣ୍ଡଳୀରେ କାଶୀପୁର ବ୍ଲକ, ରାୟଗଡା ବ୍ଲକ ଏବଂ ରାୟଗଡା ପୌର ପରିଷଦ ରହିଛି। କାଶୀପୁର ବ୍ଲକରେ ୧୩୨ଟି ବୁଥ ରହିଥିବା ବେଳେ ରାୟଗଡା ବ୍ଲକରେ ୧୧୨ଟି ଏବଂ ରାୟଗଡା ପୌର ପରିଷଦରେ ୫୪ଟି ବୁଥ ରହିଛି। ଗତ ନିର୍ବାଚନରେ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟ ହୋଇଥିବା ବେଳେ ତିନି ପ୍ରମୁଖ ଦଳକୁ ଭୋଟର ଉପେକ୍ଷା କରିଥିଲେ।
ଏହି ଧାରା ଏଥର ମଧ୍ୟ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷିତ ଭୋଟରଙ୍କ ସଂଖ୍ୟା ଅଧିକା ରହିଥିବାରୁ ଏହି ଭୋଟ ପ୍ରାୟତଃ ସ୍ବାଧୀନ ପ୍ରାର୍ଥୀକୁ ଯାଉଛି। କିନ୍ତୁ ବିଜେଡି, ବିଜେପି ଏବଂ କଂଗ୍ରେସର ପକେଟ ଭୋଟ ରହିଛି। ଯେଉଁଥିପାଇଁ ଏହି ତିନି ପ୍ରମୁଖ ଦଳ ଭଳ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଗତ ନିର୍ବାଚନରେ ଯଦି ଦେଖିବା ବିଜେଡିର ଲାଲ ବିହାରୀ ହିମିରିକା ୪୭,୯୭୪ ଭୋଟ ପାଇଥିବା ବେଳେ କଂଗ୍ରେସର ଆପାଲ ସ୍ବାମୀ କାଡ୍ରାକା ୩୯,୬୫୭ ଭୋଟ ପାଇଥିଲେ। ସେହିପରି ବିଜେପିର ବସନ୍ତ କୁମାର ପାଲକା ୨୪,୪୨୫ ଭୋଟ ପାଇଥିବା ବେଳେ ବିଏସପିର ପୂର୍ଣ୍ଣବତୀ ମାଝୀ ୪୦୭୭ଟି ଭୋଟ ପାଇଥିଲେ। ତେବେ ସ୍ବାଧୀନ ପ୍ରାର୍ଥୀ ଭାବେ ମକରନ୍ଦ ମୁଦୁଲି ୫୨,୮୪୪ଟି ଭୋଟ ପାଇ ବିଜୟୀ ହୋଇଥିଲେ। ମୋଟ ୧,୬୮,୯୭୭ଟି ଭୋଟ ପଡିଥିଲା। ଏଥର ମଧ୍ୟ ରାୟଗଡା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀକୁ ହିଁ ଲୋକେ ଚୟନ କରିବେ ବୋଲି ଏବେ ଠାରୁ ବିଶେଷଜ୍ଞ ମାନେ ଗାଣିତିକ ହିସାବ ନିକାଶ ଆରମ୍ଭ କଲେଣି।
ବିଜେପି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିବା ବେଳେ ବିଜେଡିରେ ଏଥର ପ୍ରତିଯୋଗିତା ହେ ବୋଲି ଆଲୋଚନା ଜୋର ଧରିଛି। ବିଜେଡିର ବହୁ ଆଶାୟୀ ଏବେ ନିଜର ଲବି ଆରମ୍ଭ କରି ଦେଇଛନ୍ତି। ବିଜେଡିରେ ଆଗକୁ ଜିଲ୍ଲା କମିଟି ଗଠନ ହେବାକୁ ଥିବା ବେଳେ ଜିଲ୍ଲା ସଭାପତି କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ସାଂସଦ ଏନ. ଭାସ୍କର ରାଓଙ୍କୁ ରାଜ୍ୟ ବିଜେଡି ଦଳର ଉପସଭାପତି ରୂପେ ମନୋନୀତ କରାଯିବା ପରେ ବିଜେଡି ଆଗକୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଟ କରାଯାଉଛି।
ବିଜେଡିରେ ଗୋଷ୍ଠୀ କନ୍ଦଳ କିନ୍ତୁ ବିଜେଡିକୁ ବୁଡାଇବ ବୋଲି ଆଲୋଚନା ହେଉଛି। ଏଥର ମକରନ୍ଦ ମୁଦୁଲି ସ୍ବାଧୀନ ଭାବେ ଛିଡା ହେବେ ନା କୌଣସି ଦଳର ଟିକଟ ନେଇ ନିର୍ବାଚନ ଲଢିବେ ତାକୁ ନେଇ ଶ୍ରୀ ମୁଦୁଲି ପାଟି ଖୋଲୁ ନାହାନ୍ତି। ନିର୍ବାଚନ ଯେତେ ପାଖକୁ ଆସିବ ରାଜନୈତିକ ଉଷ୍ଣତା ଆହୁରି ବଢିବ। ତିନି ପ୍ରମୁଖ ଦଳ ନିଜ ନିଜର କର୍ମୀମାନଙ୍କୁ ନେଇ ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କୁ ନିଜ ନିଜ ଦଳର ସଫଳତା ବିଷୟରେ ବଖାଣିବାକୁ ନିର୍ଦେଶ ଦିଆ ସରିଛି। ଆସନ୍ତା ନିର୍ବାଚନରେ ରାୟଗଡା ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଏଥର ସମସ୍ତ ବଳ ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଏ। ଗତଥରର ପରାଜୟକୁ ବିଜେଡି ଭୁଲି ପାରିନଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟ ଏଥର ଭଳ ପ୍ରଦର୍ଶନ କରିବାକୁ ନିଜର ସମସ୍ତ ଉଦ୍ୟମ ଲଗାଉଥିବା ଦେଖିବାକୁ ମିଳିଛି। ତେବେ ରାୟଗଡା ନିର୍ବାଚନକୁ କିଏ ବାଜିମାତ କରିବ ଦେଖିବାକୁ ବାକି ରହିଲା।