ରାୟପୁର/ଭୁବନେଶ୍ୱର: ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ପାଇଁ ପ୍ରଥମ ଦଫାରେ ନିଜର ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଛି। ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ରାୟପୁର ଉତ୍ତର ବିଧାନସଭା ଆସନରୁ ବିଜେପି ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ରଙ୍କୁ ଟିକେଟ ଦେଇଛି। ଶ୍ରୀ ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ମନୋନୀତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାୟପୁର ନଗର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି। ଛତିଶଗଡ଼ ବିଧାନସଭା ନିର୍ବାଚନରେ କୌଣସି ଜାତୀୟ ଦଳ ତରଫରୁ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ। ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ପୁରନ୍ଦର ମିଶ୍ର, ଛତିଶଗଡ଼ ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।
ଏହି ବୃହତ ସମାଜ ଅଧୀନରେ ପ୍ରଦେଶରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଅଧିବାସୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ଟି ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି। ଶ୍ରୀ ମିଶ୍ର ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଅଛନ୍ତି। ଶ୍ରୀ ମିଶ୍ରଙ୍କୁ ବିଜେପି ପାର୍ଥୀ ଘୋଷଣା କରାଯିବା ପରେ ଛତିଶଗଡ଼ର ଓଡ଼ିଆ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ଲକ୍ଷ କରାଯାଉଛି। ଓଡ଼ିଶା ଏବଂ ସାରା ଦେଶରେ ଶ୍ରୀ ମିଶ୍ରଙ୍କର ସମର୍ଥକ ଓ ଶୁଭଚିନ୍ତକ ତଥା ଦେଶ ବିଦେଶର ପ୍ରବାସୀ ଓଡ଼ିଆ ନେତୃବର୍ଗ ମାନେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/IMG-20231009-WA0007.jpg)