ପୌର ଓ ପଞ୍ଚାୟତ ନିର୍ବାଚନ ବିଫଳତା ପରେ ରାୟଗଡ଼ା କଂଗ୍ରେସ ସଂଗଠନକୁ ସଞ୍ଜିବନୀ ଦେବ କିଏ?

ରାୟଗଡ଼ା: ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ବିଫଳତା ରାୟଗଡ଼ା ଜିଲ୍ଲାରେ ଦଳକୁ ଦୁର୍ବଳ କରିବାରେ ଲାଗିଛି। ଜିଲ୍ଲା ସାଂଗଠନିକ ସ୍ତରରେ ନେତୃତ୍ବ ମରୁଡ଼ି ଯୋଗୁ ଦଳକୁ ଉଭୟ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଖସିଥିବା ବେଳେ ପୌର ନିର୍ବାଚନରେ ୩ ପୌରାଞ୍ଚଳରେ ଦଳ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। କଂଗ୍ରେସ ପରାଜୟରେ ମର୍ମାହତ ହୋଇ ରାୟଗଡ଼ା ନଗର ସଭାପତି ପଦବିରୁ ଇସ୍ତଫା ଦେଇଛନ୍ତି ମାଝୀ ଶଙ୍କର ରାଓ। ସଭାପତି ପଦବି ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଅବ୍ୟାହତି ନେବା ପାଇଁ ସେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଭଳି ସ୍ଥିତିରେ ରାୟଗଡାରେ କଂଗ୍ରେସ ସଂଗଠନକୁ ସଞ୍ଜିବନୀ ଦେବ କିଏ ସେଥିନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ ଯେ,  ଦୀର୍ଘ ୨୦ ବର୍ଷ ହେଲା କଂଗ୍ରେସ ସଂଗଠନ ସହ ଜଡ଼ିତ ଥିଲେ ଶଙ୍କର ରାଓ। ରାୟଗଡ଼ା ନଗର ସଭାପତି ଦାୟିତ୍ବ ତୁଲାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡାଙ୍କୁ ସହଯୋଗ କରି ଆସୁଥିଲେ। ଚଳିତ ପୌର ନିର୍ବାଚନରେ ରାୟଗଡ଼ାର ୨୪ଟି ୱାର୍ଡରୁ ବହୁ ୱାର୍ଡରେ ପ୍ରାର୍ଥୀ ଚୟନ କରିବାରେ କଂଗ୍ରେସ ସମସ୍ୟାର ସମ୍ମୁଖୀନ ହୋଇଥିଲା। ନଗର ସଭାପତି ଶଙ୍କର ରାଓ ଏହାର ନେତୃତ୍ବ ନେଇ ସବୁ ୱାର୍ଡରେ ପ୍ରାର୍ଥୀ ଚୟନ କରି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ବ୍ୟକ୍ତିଗତ କାରଣ ଦର୍ଶାଇ ୩ଟି ୱାର୍ଡର ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଥିଲେ। ୨୧ଟି ୱାର୍ଡର ପ୍ରାର୍ଥୀଙ୍କୁ ନେଇ ଦଳ ନିର୍ବାଚନ ଲଢ଼ିବା ସହ ପୌରାଧ୍ୟକ୍ଷ ପଦବିରେ ଆପଲସ୍ବାମୀ କାଡ୍ରକାଙ୍କୁ ପ୍ରାର୍ଥୀ କରିଥିଲା। ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା ସଭାପତି ଦୁର୍ଗା ପଣ୍ଡାଙ୍କ ସମେତ ଅନେକ ନେତୃବୃନ୍ଦ। ହେଲେ ଶାସକ ଦଳର ଷ୍ଟ୍ରାଟେଜି ଆଗରେ କଂଗ୍ରେସର ରଣନୀତି ଫିକା ପଡିଗଲା।

ଦଳ ପ୍ରାର୍ଥୀ ଦେଇଥିବା ୨୧ଟି ୱାର୍ଡରୁ ମାତ୍ର ଗୋଟିଏ ୨୪ନଂ ୱାର୍ଡରେ ବିଜୟୀ ହୋଇଥିଲା। ପୌରାଧ୍ୟକ୍ଷ ପ୍ରାର୍ଥୀ ମଧ୍ୟ ଜିତି ପାରିନଥିଲେ। ୭୪୮୮ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ରାୟଗଡ଼ା ଭଳି ଗୁଣପୁର, ଗୁଡାରିରେ ମଧ୍ୟ କଂଗ୍ରେସକୁ ପୌର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। ଗୁଣପୁରର ୧୯ଟି ୱାର୍ଡରୁ ୧୫ଟି ୱାର୍ଡରେ ଦଳ ପ୍ରାର୍ଥୀ ଦେବାରେ ବିଫଳ ହୋଇଥିଲା। ଦୁର୍ବଳ ନେତୃତ୍ବ ପାଇଁ ଗୁଣପୁର ପୌର ପରିଷଦରେ ନିର୍ବାଚନ ଲଢ଼ିବା ଆଗରୁ ହିଁ କଂଗ୍ରେସ ପରାଜୟକୁ ସ୍ବୀକାର କରି ନେଇଥିଲା। ଯାହାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାରଣ ଦର୍ଶାଅ ‌ନୋଟିସ୍ ଜାରି କରିଥିଲା। ଗୁଣପୁରର ୪ଟି ୱାର୍ଡରେ ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ବି ଜିତି ନଥିବା ବେଳେ ଅଧ୍ୟକ୍ଷା ପ୍ରାର୍ଥିନୀ ରୀନା ଶବର ମାତ୍ର ୩୩୬ ଭୋଟ ପାଇ ଅମାନତ ହରାଇଥିଲେ। ନିର୍ବାଚନ ପୂର୍ବରୁ ଗୁଣପୁର ବ୍ଲକ୍, ନଗର ସଭାପତି, ସାଂସଦ ପ୍ରତିନିଧି ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା କାରଣରୁ ଗୁଣପୁରରେ କଂଗ୍ରେସର ପରିସ୍ଥିତ ଶୋଚନୀୟ ହୋଇ ପଡିଥିଲା। ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ମଧ୍ୟରୁ ୪ଟି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରିନଥିଲା। ନିର୍ବାଚନ ଲଢ଼ୁଥିବା ୭ଟି ୱାର୍ଡ ମଧ୍ୟରୁ ଗୋଟିଏରେ ବି ଦଳ ଜିତିବାରେ ସକ୍ଷମ ହୋଇନଥିଲା। ୧୧ରୁ ୧୧ ୱାର୍ଡ ସହ ଅଧ୍ୟକ୍ଷା ପଦବିକୁ ଗୁଡାରିରେ ବିଜେଡି ପୋଛି ନେଇଥିଲା। ଗୁଡାରିରେ କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ହୋଇଥିବା ନିରୁପମା ଶବର ମାତ୍ର ୨୧୯ ଭୋଟ ପାଇ ଅମାନତ ହରାଇଛନ୍ତି।

ଜିଲ୍ଲାର ୩ ପୌରାଞ୍ଚଳରେ କଂଗ୍ରେସର ବିପର୍ଯ୍ୟୟର ଦଳର ଏକାଧିକ ନେତା ଓ କର୍ମୀଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା। ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ଗିରିଧର ଗମାଙ୍ଗଙ୍କଠୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକା, ଡମ୍ବରୁଧର ଉଲାକାଙ୍କ ଭଳି ବହୁ ନେତା କଂଗ୍ରେସର ମଙ୍ଗ ସମ୍ଭାଳିଛନ୍ତି। ୨୦୦୯ ସାଧାରଣ ନିର୍ବାଚନ ପରଠୁ କଂଗ୍ରେସ ଗଡ଼ ରାୟଗଡ଼ାରେ ବିଜେଡି ବିଜୟୀ ବାନା ଉଡାଇ ଆସୁଛି। ତଥାପି ତୃଣମୂଳସ୍ତରରେ କଂଗ୍ରେସର ଦୃଢ଼ ସଂଗଠନ ଥିବା କାରଣରୁ ୨୦୧୪, ୨୦୧୯ ନିର୍ବାଚନରେ ବିଜେଡିକୁ ତୀବ୍ର ଲଢ଼େଇର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ୨୦୧୯ ନିର୍ବାଚନରେ ଓଡ଼ିଶାରୁ ଏକ ମାତ୍ର ଲୋକସଭା ସାଂସଦ ଭାବେ କ‌ୋରାପୁଟ ନିର୍ବାଚନ ମଣ୍ଡଳୀରୁ ରାୟଗଡ଼ାର ଯୁବ କଂଗ୍ରେସ ନେତା ସପ୍ତଗିରି ଉଲାକା ବିଜୟୀ ହୋଇଥିଲେ। ହେଲେ ଏହାର ପ୍ରଭାବ ପଞ୍ଚାୟତ କିମ୍ବା ପୌର ନିର୍ବାଚନରେ ପ୍ରତିଫଳିତ ହୋଇପାରିନି। ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ରାୟଗଡ଼ାରେ ଜିଲ୍ଲା ପରିଷଦ ଗଠ କରିଥିବା ବେଳେ ୨୦୨୨ ନିର୍ବାଚନରେ କେବଳ ୬ଟି ଜୋନରେ ବିଜୟୀ ହେବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର