ବଡ଼ପୋଖରିଆ ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ହେବ ଭାବେ ହେବ ପଞ୍ଚାୟତ ନିର୍ବାଚନ

ଖୋର୍ଦ୍ଧା: ପ୍ରାୟ ଦୁଇ ଦଶନ୍ଧୀ ଧରି ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା ଓ ସାଧାରଣ ନିର୍ବାଚନ ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ପଞ୍ଚାୟତରେ ନିର୍ବାଚନୀ ହିଂସା ଏକ ସ୍ୱାଭାବିକ ଘଟଣା ଥିଲା। ଜିଲ୍ଲାରେ ଅତି ସମ୍ବେଦନଶୀଳ ବୁଥ ତାଲିକାରେ ବଡ଼ପୋଖରିଆ ପଞ୍ଚାୟତ ରହିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ପଞ୍ଚାୟତରେ ୱାର୍ଡ଼ ସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରିଥିବା ଜଣାଯାଇଛି। ବଡ଼ ପୋଖରିଆ ପଞ୍ଚାୟତରେ ୧୪ଟି ୱାର୍ଡ଼ ସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା ବିହୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଫଳରେ ଦୀର୍ଘବର୍ଷ ଧରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ଆପାତତଃ ଅନ୍ତ ଘଟିଛି। ତେବେ ଜିଲ୍ଲା ପରିଷଦ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଠିଆ କରାଇଥିବାରୁ ଏନେଇ ନିର୍ବାଚନ ହେବ।

ସୂଚନାଯୋଗ୍ୟ, ଗତ ୨୦ ବର୍ଷ ଧରି ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକ ମଧ୍ୟରେ ବିବାଦ ଯୋଗୁଁ ୪ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନେକ ଆହତ ହୋଇଛନ୍ତି। ଏପରିକି କେତେକ ଗାଁ ଛାଡ଼ି ବାହାରକୁ ଚାଲିଯାଇଥିବା ବେଳେ ଅନେକ ଜେଲ୍‌ରେ ଅଛନ୍ତି। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ମମତା ଜେନା ବିଜେପି ଟିକଟରୁ ଜିଲ୍ଲା ପରିଷଦ ଜିତିଥିଲେ। ୨୦୨୦ରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଅପରପକ୍ଷରେ, ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବଡ଼ପୋଖରିଆ ପଞ୍ଚାୟତର ବିଜେପିର ନେତୃତ୍ୱ ନେଇ ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ଅଞ୍ଚଳରେ ବିବାଦ ଘନୀଭୂତ ହେବା ଆଶଙ୍କା କରାଯାଉଥିଲା, କିନ୍ତୁ ୨୦୧୯ ନିର୍ବାଚନରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଧାୟକ ଜିତିବା ପରେ ନିଜେ ନେତୃତ୍ୱ ନେଇ ଗାଁରେ ମଙ୍ଗୁଳି ଜେନାଙ୍କ ପ୍ରତିମୂର୍ତି ସ୍ଥାପନ ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇଥିଲେ।

ସମ୍ବନ୍ଧିତ ଖବର